
ଗୁଣୁପୁରର ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ଇସ୍ତଫା
ଭୁବନେଶ୍ୱର,୧୮ ମାର୍ଚ୍ଚ – ସାଂସଦ ବଳଭଦ୍ର ମାଝୀ , ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା ପରେ ସୋମବାର ଗୁଣୁପୁରର ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା, ଦେଇଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇନଯିବା ଏବଂ ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଦଳରେ ସାମିଲ କରାଯାଇ ତାଙ୍କ ସ୍ଥାନରେ ଟିକେଟ୍ ଦିଆଯିବାର ଯୋଜନା କରାଯାଇଥିବାରୁ ସେ ତାର ପ୍ରତିବାଦରେ ଇସ୍ତଫା ଦେଉଥିବା ନିଜ ଇସ୍ତାପତ୍ରରେ ଦର୍ଶାଇଛନ୍ତି ।
ଶ୍ରୀ ଗମାଙ୍ଗ ନିଜ ଇସ୍ତଫାପତ୍ରରେ ସେ ଜଣେ ଶିକ୍ଷିତ ଆଦିବାସୀ । ତାଙ୍କୁ ଦଳରେ ଚାକର ଭଳି ବ୍ୟବହାର କରାଯାଇଛି । ଏସମ୍ପର୍କରେ ଜଣାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦେଖା ମିଳିଲା ନାହିଁ । ତାଙ୍କୁ ଅନ୍ୟାୟ ଓ ଅନୀତି କାର୍ଯ୍ୟ କରିବାପାଇଁ କିଛି ନେତାଙ୍କ ଚାପ ପକାଉଥିଲେ । ଏଥିରେ ରାଜି ନହେବାରୁ ତାଙ୍କୁ ବଦନାମ କରିବାପାଇଁ ଷଡଯନ୍ତ୍ର କରିଛନ୍ତି । ନିକଟରେ ଚାକିରୀରୁ ଅବସର ନେଇଥିବା ଜଣେ ଦୂର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗତବର୍ଷ ଦଳରେ ସାମିଲ କରିବାନେଇ କୌଣସି ସୂଚନା ତାଙ୍କୁ ଦିଆଯାଇନଥିଲା । ଏବେ ତାଙ୍କୁ ଦଳୀୟ ଟିକେଟ୍ ଦିଆଯିବାର ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଆଦିବାସୀଙ୍କ ପ୍ରତି କୌଣସି ସ୍ନେହ ଶ୍ରଦ୍ଧା ନାହିଁ । ଏସମସ୍ତ ବିଷୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗପତ୍ର ଦେଇଥିଲେ ହେଁ ତାହା ଉପରେ କୌଣସି ବିଚାର କରାଗଲା ନାହିଁ ବୋଲି ସେ ନିଜ ଇସ୍ତଫାପତ୍ରରେ କହିଛନ୍ତି ।
ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବିଜେଡିରେ ଟିକେଟ୍ ବଂଟା ବିବାଦ ତୁଟୁ ନାହିଁ । ନବୀନ ନିବାସରେ ଟିକେଟ୍ ପାଇବାକୁ ଆଶାୟୀ ପ୍ରାର୍ଥୀଙ୍କ ଭିଡ ବଢୁଛି । କାହାକୁ ଟିକେଟ୍ ଦେବେ ସେନେଇ ବିଜେଡି ସୁପ୍ରିମୋ ଚିନ୍ତାରେ । ସେଥିରେ ପୁଣି ବିଦ୍ରୋହୀ ପ୍ରାର୍ଥୀଙ୍କ ଡର ମଧ୍ୟ ରହୁଛି । ଏହା ମଧ୍ୟରେ ବିଜେଡିର ବିଧାୟକ ଓ ସାଂସଦ ମାନେ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି । ଏପରି ପରିସ୍ଥିତିକୁ ମୁକାବିଲା କରିବା ବିଜେଡି ପାଇଁ ଆହ୍ୱାନ ହୋଇଛି ।
