ଇସ୍ତଫା ଦେଲେ ଏମ୍.ଜେ ଆକବର
ନୂଆଦିଲ୍ଲୀ,୧୪ା୧୦ : ‘ମି ଠୁ’ ଅଭିଯାନ କ୍ରମେ ୧୨ ମହିଳାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍.ଜେ ଆକବର ରବିବାର ନିଦ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇମେଲ ଯୋଗେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଇସ୍ତଫା ପତ୍ର ପଠାଇଥିବା ଜାଣିବାକୁ ମିଳିଛି । ଇମେଲରେ ଇସ୍ତଫା ପତ୍ର ପଠାଇବା ପରେ ଆକର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଏହାସହ ମନ୍ତ୍ରୀ ଏମ୍.ଜେ ଆକବର ରବିବାର ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗକୁ ନିରାଧାର ଓ ଭିତ୍ତିହୀନ ବୋଲି କହିଛନ୍ତି । ଏନେଇ ସେ ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଙ୍କେତ ଦେଇଛନ୍ତି ।
‘ମି ଠୁ’ ଅଭିଯାନ ଓ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ସମୟକୁ ନେଇ ସେ ପ୍ରଶ୍ନ କରିଛନ୍ତି । ସାଧାରଣ ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ କାହିଁକି ଏପରି ଅଭିଯୋଗ ଉଠୁଛି ବୋଲି ସେ କହିଛନ୍ତି । ଆକବର କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା । ସରକାରୀ କାର୍ଯ୍ୟରେ ସେ ବିଦେଶରେ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇ ପାରିନଥିଲେ । ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ସେ ଖୁବଶୀଘ୍ର ଉଚିତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । କିଛି ଲୋକଙ୍କ ବିନା କାରଣରେ କୌଣସି ଅଭିଯୋଗ କରିବାର ରୋଗ ଅଛି । ଆଗକୁ ତାଙ୍କ ଓକିଲ ଏହାର ଜବାବ ଦେବେ । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଏଭଳି ନିରାଧର ଅଭିଯୋଗ ଆସିବା ପଛରେ କ’ଣ ଏଜେଣ୍ଡା ଅଛି ବୋଲି ଆକବର ପ୍ରଶ୍ନ କରିଛନ୍ତି । ଏହି ନିରାଧାର, ମିଥ୍ୟା ଏବଂ କ୍ରୁର ଅଭିଯୋଗ ଯୋଗୁଁ ତାଙ୍କ ପ୍ରତିଷ୍ଠାର ଅପୂରଣୀୟ କ୍ଷତି ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ପ୍ରିୟା ରମାନି ବର୍ଷେ ପୂର୍ବେ ଏକ ପତ୍ରିକାରେ ସ୍ତମ୍ଭ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ । ସେତେବେଳେ ସେ ତାଙ୍କ ନାମ ନେଇନଥିଲେ । କାରଣ ଏଭଳି କୌଣସି କାହାଣୀ ହିଁ ନାହିଁ । ଉଲ୍ଲେଖ ଯେ, ମନ୍ତ୍ରୀ ଏମ୍.ଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପ୍ରିୟା ରମାନିଙ୍କ ସମେତ ଶୁତାପା ପଲ, ଶୁମା ରାହା, ଅଞ୍ଜୁ ଭାରତୀ ଏବଂ ଗଜାଲା ୱାହାବ ନାମକ ମହିଳା ‘ମି ଠୁ’ ଅଭିଯାନ କ୍ରମେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଭିତରେ ଶୁତାପା ପଲ ତାଙ୍କୁ କେବେ ଆକବର ଛୁଇଁ ନଥିବା ଓ ଶୁମା ରାହା ତାଙ୍କ ସହ ଆକବର କିଛି କରିନଥିବା ସ୍ପଷ୍ଟ କରିଛନ୍ତି । ଏକ ସୁଇମିଂ ପୁଲରେ ପହଁରୁଥିବା ସମୟରେ ଏମ୍.ଜେ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଞ୍ଜୁ ଭାରତୀ ଅଭିଯୋଗ କରିଥିଲେ । ଏପଟେ ଆକବର ପହଁରା ଜାଣିନଥିବା ସ୍ପଷ୍ଟ କରିଛନ୍ତି । ସାମ୍ବାଦିକା ପ୍ରିୟା ଏବଂ ଗଜାଲାଙ୍କ ଅଭିଯୋଗକୁ ଖଣ୍ଡନ କରି ଏମ୍.ଜେ ଆକବର କହିଛନ୍ତି ଯେ ତାଙ୍କ ଛବିକୁ ନଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ । ଦୁଇ ସାମ୍ବାଦିକଙ୍କ କହିବା ଅନୁସାରେ ଯୌନ ଶୋଷଣ ପରେ ବି ସେ ଆକବରଙ୍କ ସହ କାର୍ଯ୍ୟ କରିଥିଲେ । କାର୍ଯ୍ୟ କରିବା ସମୟରେ ସେମାନେ କୌଣସି ବିରୋଧ କିମ୍ବା ଚିନ୍ତା ପ୍ରକଟ କରିନଥିଲେ । ଦୀର୍ଘ ଦିନ ପରେ ଏଭଳି ଅଭିଯୋଗ ପଛରେ କିଛି ଏଜେଣ୍ଡା ରହିଛି ବୋଲି ସେ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ମନ୍ତ୍ରୀ ଏମ୍.ଜେ ଆକବରଙ୍କ ବିରୋଧରେ ୧୨ଜଣ ମହିଳା ଅନୁଚିତ୍ ବ୍ୟବହାର ଏବଂ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି । ଆକବର ସାମ୍ବାଦିକ ଓ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ସବୁ ଘଟଣା ଭିଆଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ବିରୋଧ ଦଳ ଏହି ମାମଲାରେ ମନ୍ତ୍ରୀ ପଦରୁ ଆକବର ଇସ୍ତଫା ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।