ଆମ ଗାଁ ଆମ ବିକାଶ , ଏଥର ୨୦୯ ପଞ୍ଚାୟତ ପାଇଁ ୪୭.୨୪ କୋଟି ମଞ୍ଜୁର l
ଭୁବନେଶ୍ୱର,୨୩ା୮ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୭.୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ପୁରୀ ଜିଲ୍ଲାର ଗୋପ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, କେଉଁଝର ଜିଲ୍ଲାର ଘସିପୁରା, ବଲାଙ୍ଗିର ଜିଲ୍ଲାର ପୁଇଁତଳା, ରାୟଗଡ଼ା ଜିଲ୍ଲାର ବିଷମ କଟକ, ଗଜପତି ଜିଲ୍ଲାର ଗୁମ୍ମା, କନ୍ଧମାଳ ଜିଲ୍ଲାର ବାଲିଗୁଡା ଏବଂ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଓ ବିଶୋଇ ବ୍ଲକ ।
ଆଜି ମୁଖ୍ୟମନ୍ତ୍ରୀ ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୨୬ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ, ଗୋପ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୯.୭୮ କୋଟି ଟଙ୍କାରେ ୪୨୬ଟି ପ୍ରକଳ୍ପ, ରାଜନଗର ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୪୩ କୋଟି ଟଙ୍କାରେ ୩୧୫ଟି ପ୍ରକଳ୍ପ, ଘସିପୁରା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୫.୯୮ କୋଟି ଟଙ୍କାରେ ୨୨୯ଟି ପକଳ୍ପ, ପୁଇଁତଳା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୩.୫୯ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, ବିଷମ କଟକ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୩.୯୯ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ, ଗୁମ୍ମା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୦୭ଟି ପ୍ରକଳ୍ପ, ବାଲିଗୁଡା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୨.୮୦ କୋଟି ଟଙ୍କାରେ ୬୯ଟି ପ୍ରକଳ୍ପ, ତିରିଙ୍ଗ ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୦୧ଟି ପ୍ରକଳ୍ପ ଓ ବିଶୋଇ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୩.୩୦ କୋଟି ଟଙ୍କାର ୧୧୩ଟି ପ୍ରକଳ୍ପ ଏହିପରି ସମୁଦାୟ ୧୦ଟି ବ୍ଲକର ୨୦୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪୭.୨୪ କୋଟି ଟଙ୍କାରେ ୧୮୬୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫୫ଟି ବ୍ଲକର ୩୫୦୮ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ୩୨୪୬୨ ପ୍ରକଳ୍ପ ପାଇଁ ୭୯୩.୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।
ସୂଚନାଯୋଗ୍ୟ ଯେ, ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ । ଆଜିର ମନ୍ତ୍ରିମଣ୍ଡଳ ପରିଷଦ ବୈଠକ ଯୋଗୁଁ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ କ୍ଷମା ଚାହିଁଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।