ଆଜି ଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ଟଙ୍କିକିଆ ଚାଉଳ
ଭୁବନେଶ୍ୱର,୧ା୧୦: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଗାନ୍ଧି ଜୟନ୍ତୀ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇଦେବେ । ପ୍ରଥମ ପର୍ଯ୍ୟୟରେ ୧୮ ଲକ୍ଷ ୩୨ ହଜାର ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ୬ ଲକ୍ଷ ୬୮ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ ।
ମୋଟ ୨୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଚାଉଳ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।