ଆଜି ଆଧାର ଶୁଣାଣି
ନୂଆଦିଲ୍ଲୀ,୨୫ା୯ : ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ରହିଥିବା ଆଧାରକାର୍ଡର ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ । ଆଧାରର ବୈଧତାକୁ ନେଇ ଚ୍ୟାଲେଞ୍ଜ ଦେଇଥିବା ୨୭ ଆବେଦନ ଉପରେ ପ୍ରାୟ ୪ମାସ ପର୍ଯ୍ୟନ୍ତ କୋର୍ଟରେ ବିତର୍କ ଚାଲିଥିଲା । ମାରାଥନ ବିତର୍କ ପରେ ସୁପ୍ରିମକୋର୍ଟ ମେ’ ମାସରେ ରାୟ ସଂରକ୍ଷିତ ରଖିଥିଲେ । ମାମଲାର ଶୁଣାଣି ଜାନୁଆରୀରେ ଆରମ୍ଭ ହୋଇ ପ୍ରାୟ ୩୮ଦିନ ପର୍ଯ୍ୟନ୍ତ ଚାଲିଥିଲା ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ସରକାରଙ୍କୁ ଏହା ମଧ୍ୟ ନିଷ୍ପତ୍ତି ନେବାକୁ ପଡିବ ଯେ, କ’ଣ ଆଧାର କାର୍ଡ ବ୍ୟକ୍ତିର ଗୋପନୀୟତାକୁ କ୍ଷୂର୍ଣ୍ଣ କରୁଛି ? ଯାହା ସମ୍ବିଧାନ ମୁତାବକ କୌଣସି ବ୍ୟକ୍ତିର ସର୍ବନିମ୍ନ ଅଧିକାର । ସରକାର କଲ୍ୟାଣକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଥିଲେ । ଏହାବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ପାନକାର୍ଡ କରିବା, ସେଲଫୋନ ସର୍ଭିସ, ପାସପୋର୍ଟ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାରେ ମଧ୍ୟ ଆଧାରକାର୍ଡକୁ ଅନିର୍ବାର୍ଯ୍ୟ କରିଥିଲେ । ଆଧାରକାର୍ଡକୁ ବ୍ୟକ୍ତିର ପରିଚୟ ଚିହ୍ନଟ କରିବା ଓ ପ୍ରମାଣ ରୂପେ ମାନ୍ୟତା ଦିଆଯାଇଥିଲା । ମାତ୍ର ଯାଚିକାକର୍ତ୍ତାଙ୍କ ଯୁକ୍ତି ଏହା ଯେ, ଆଧାରକାର୍ଡରେ ସ୍ୱାଭାବିକ ଜୀବନ ପ୍ରଭାବିତ ହୋଇଛି । ଏମିତିରେ ଏହାକୁ ସମାପ୍ତ କରିବା ଉଚିତ୍ ।
ଅନ୍ୟପଟେ କେନ୍ଦ୍ର ସରକାର ଆଧାରକାର୍ଡ ପକ୍ଷରେ ଅନେକ ଦଲିଲ କରିଥିଲେ । ସରକାରଙ୍କ ସବୁଠୁ ବଡ ଦଲିଲ ଏହା ଯେ, ଆଧାର କାରଣରୁ ସବସିଡ୍ ପାଉଥିବା ଲାଭାର୍ଥୀଙ୍କୁ ବିନା କୌଣସି ଅସୁବିଧାରେ ଫାଇଦା ମିଳୁଛି । ଆଧାର ଡାଟା, ସରକାର ଓ ଆଧାର ଅଥରିଟିର କହିବା କଥା ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଏଥିରେ ହେରଫେର କରାଯାଇପାରିବ ନାହିଁ ।