ରାଫେଲ ଡିଲ ସମ୍ପର୍କିତ ସୂଚନା ଦେଲେ ଦସାଲ୍ଟ ସିଇଓ
ନୂଆଦିଲ୍ଲୀ,୧୩ା୧୧ : ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବିବାଦ ରାଜରାସ୍ତାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପ୍ରକମ୍ପିତ ହେଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପ୍ରମୁଖ ବିରୋଧୀ ଦଳ ଏହି ପ୍ରକ୍ରିୟାକୁ ଭ୍ରଷ୍ଟାଚାର ବୋଲି ଅଭିଯୋଗ କରୁଛନ୍ତି । ଫ୍ରାନ୍ସର କମ୍ପାନୀ ଦସାଲ୍ଟ ଏଭିଏସନର ସିଇଓ ଏରିକ୍ ଟ୍ରେପିୟରଙ୍କ ଦ୍ୱାରା ଗଣମାଧ୍ୟମରେ ଦିଆଯାଇଥିବା ଏକ ସାକ୍ଷାତକାରରେ ଏହି ଡିଲକୁ ନେଇ ଉଠିଥିବା ବିବାଦ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ଦ୍ୱାରା ଉଠିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି ସେ ପ୍ରକାଶ କରିବା ସହ ଏ ସମ୍ପର୍କରେ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ବୋଲି ମତବ୍ୟକ୍ତ କରିଛନ୍ତି । ଏରିକି ତାଙ୍କ ସାକ୍ଷାତକାରରେ ରାହୁଲଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ନିରାଧାର ବୋଲି ଉଲ୍ଲେଖ କରାଯାଇଛି । ରାହୁଲ ଗାନ୍ଧି ଦସାଲ୍ଟ ଓ ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଯେଉଁ ପ୍ରଚାର କରୁଛନ୍ତି ତାହା ମିଥ୍ୟା ବୋଲି ଏରିକ ସ୍ପଷ୍ଟ କରିଛନ୍ତି । ଏରିକ ଏ ସମ୍ପର୍କରେ ଅଧିକ କହିବାକୁ ଯାଇ ଭାରତ ସହ ତାଙ୍କ କମ୍ପାନୀର ସମ୍ପର୍କ ବେଶ୍ ଦୀର୍ଘ ।
ସର୍ବପ୍ରଥମେ ଜବାହାରଲାଲ ନେହେରୁ ୧୯୫୩ରେ ଏହି କମ୍ପାନୀ ସହ ଚୁକ୍ତି କରିଥିଲେ । ଏରିକଙ୍କ କମ୍ପାନୀ ଦୀର୍ଘ ସମୟ ଧରି ଭାରତକୁ ଯୁଦ୍ଧ ଜାହାଜ ପ୍ରେରଣ କରି ଆସୁଛି । ଏହି ଡିଲରେ ରିଲାଏନ୍ସ କେବଳ ଟଙ୍କା ଲଗାଇ ନାହିଁ ବରଂ ଏରିକଙ୍କ ଦସାଲ୍ଟ ମଧ୍ୟ ଏହି ଡିଲରେ ସମାନ ଅନୁପାତରେ ଟଙ୍କା ବିନିଯୋଗ କରିଛି । ଦସାଲ୍ଟ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ କାର୍ଯ୍ୟରେ ଟଙ୍କା ବିନିଯୋଗ କରୁଥିବା ବେଳେ ରିଲାଏନ୍ସ ଏୟାରକ୍ରାଫ୍ଟ ନିର୍ମାଣ କ୍ଷେତ୍ରରେ ଟଙ୍କା ବିନିଯୋଗ କରିବ । ଏହି ମିଳିତ ଚୁକ୍ତିରେ ଦସାଲ୍ଟ ୪୯ ପ୍ରତିଶତ ଅର୍ଥ ବିନିଯୋଗ କରୁଥିବା ବେଳେ ରିଲାଏନ୍ସ ୫୧ ପ୍ରତିଶତ ଅର୍ଥ ବିନିଯୋଗ କରୁଛି । ଏହି ଡିଲରେ ଲାଭାଂଶ ସମାନ ଅନୁପାତରେ ଉଭୟ କମ୍ପାନୀ ପାଇବେ । ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ ପ୍ରଶ୍ନରେ ଏରିକ ବର୍ତ୍ତମାନ ଭାରତକୁ ମିଳିବାକୁ ଥିବା ରାଫେଲ ବିମାନର ପ୍ରକୃତ ମୂଲ୍ୟଠାରୁ ୯ ପ୍ରତିଶତ କମରେ ମିଳିବ ବୋଲି ସୂଚନା ଦେଇଛନ୍ତି । ଏହି ମୂଲ୍ୟ ୩୬ଟି ବିମାନକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଇଥିଲା । ତେବେ ଭାରତ ପରବର୍ତ୍ତୀ ସମୟରେ କେବଳ ୧୮ଟି ବିମାନ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ଫଳରେ ଯୁଦ୍ଧ ବିମାନର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ଥିଲା ।
ତେବେ ଭାରତ-ଫ୍ରାନ୍ସ ମଧ୍ୟରେ ଚୁକ୍ତିକୁ ଦୃଷ୍ଟିରେ ରଖି କମ୍ପାନୀକୁ ପୂର୍ବ ଧାର୍ଯ୍ୟ ମୂଲ୍ୟରେ ଏହି ବିମାନ ପ୍ରଦାନ କରିବାକୁ ପଡୁଛି ବୋଲି ଏରିକ ସ୍ପଷ୍ଟ କରିଛନ୍ତି । ଏପରିକି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଥିବା ୩୬ଟି ରାଫେଲ ବିମାନର ମୂଲ୍ୟ ପୂର୍ବରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ୧୨୬ଟି ବିମାନଠାରୁ ବ୍ୟାପକ ମାତ୍ରାରେ କମ୍ ରହିଛି । ହାଲ ସହ ଦସାଲ୍ଟର ଚୁକ୍ତି ଭାଙ୍ଗିବାର କାରଣ ମଧ୍ୟ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ୧୨୬ଟି ଯୁଦ୍ଧ ବିମାନ କ୍ରୟ କରିବାର ପ୍ରକ୍ରିୟା ଚାଲିଥିବା ବେଳେ ହାଲ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରାଯାଇଥିଲା । ଫଳରେ ବାଧ୍ୟ ହୋଇ ଦସାଲ୍ଟକୁ ରିଲାଏନ୍ସ ସହ ଚୁକ୍ତି କରିବାକୁ ପଡିଥିଲା । ହାଲ ମଧ୍ୟ ଏହି ଚୁକ୍ତିରେ ସାମିଲ ହେବାକୁ ମନା କରିଥିଲା ।
ଏହି ସମୟରେ କେବଳ ରିଲାନ୍ସ କାହିଁକି ଟାଟା ଗ୍ରୁପର କମ୍ପାନୀ ମଧ୍ୟ ଏହି ପ୍ରକ୍ରିୟାରେ ଆଗ୍ରହ ପ୍ରକାଶ କରିଥିଲେ । ଦସାଲ୍ଟ କମ୍ପାୀ କେବଳ ଯୁଦ୍ଧ ବିମାନ ଯୋଗାଇବାର ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ରାଫେଲରେ ଲାଗୁଥିବା ଯୁଦ୍ଧାସ୍ତ୍ରକୁ ପୃଥକ ଏକ ଚୁକ୍ତି ମାଧ୍ୟମରେ ଭାରତ କ୍ରୟ କରିବ ବୋଲି ଏରିକ ସ୍ପଷ୍ଟ କରିଛନ୍ତି ।