ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
– ଆରମ୍ଭ ହେବ ଏକ ରାଜ୍ୟ ଏକ କ୍ରୀଡ଼ା ଯୋଜନା : କିରେନ ରିଜିଜୁ
– ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୬ ଜାନୁଆରୀ – ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଲୋଗୋକୁ ଉନ୍ମେଚନ କରିଛନ୍ତିି । ଭୁବନେଶ୍ୱର ପୂର୍ବତଟ ରେଲୱେ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଉନ୍ମୋଚନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଖୁସି । ବର୍ତମାନ ଓଡିଶା କେବଳ କ୍ରୀଡା ଉତ୍ସବ ଗୁଡିକୁ ଆୟୋଜନ କରିବାରେ ପ୍ରଶଂସା ପାଇଛି ତାହା ନୁହେଁ ବରଂ ଏଠାରୁ ବାହାରୁଥିବା କ୍ରୀଡା ବିତ୍ ମାନଙ୍କ ପାଇଁ ମଧ୍ୟ ପରିଚିତି ଲାଭ କରିପାରିଛି । ସେମାନେ ବିଭିନ୍ନ କ୍ରୀଡାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ୨୨ ଫେବୃଆରୀରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶର ୧୦୦ଟି ବିଶ୍ୱ ବିଦ୍ୟାଳୟରୁ ୧୭ଟି ବିଭାଗରେ ୪ହଜାରରୁ ଉଦ୍ଧ୍ୱର୍ କ୍ରୀଡାବିତ୍ ଭାଗ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ସଫଳତା କାମନା କରିବାସହ ଏଥିରେ ଭାଗ ନେବାକୁ ଥିବା କ୍ରୀଡାବିତ୍ ମାନେ ଓଡିଶାର ଆତିଥ୍ୟ ଗ୍ରହଣ କରି ସମୃଦ୍ଧ ସଂସ୍କୃତି ବିଷୟରେ ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନୀତିଗତ ନିଷ୍ପତି ନେଇଛନ୍ତି । ଏହି ଚାରିଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଖେଲୋ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଆୟୋଜନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । ଆସାମର ଗୌହାଟୀ ଠାରେ ଆସନ୍ତା ୧୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାପରେ ଭୁବନେଶ୍ୱରରେ ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ । ଏହାବ୍ୟତିତ କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନିଷ୍ପତି ନେଇଛନ୍ତି । ସେହିପରି ଖେଲୋ ଇଣ୍ଡିଆ ପାରମ୍ପରିକ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ବାର୍ଷିକ ବୈକଳ୍ପିକ ଭାବେ ଆୟୋଜନ କରାଯିବା ଲାଗି ନିଷ୍ପତି ନିଆଯାଇଥିବା ଶ୍ରୀ ରିଜିଜୁ ପ୍ରକାଶ କରିଥିଲେ ।
ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଓଡ଼ିଶାରେ ଅନେକ କ୍ରୀଡ଼ା ପ୍ରତିଭା ରହିଛନ୍ତି, କ୍ରୀଡ଼ାର ପ୍ରୋତ୍ସାହନ ଲାଗି ମଧ୍ୟ ଏଠାରେ ଅନୁକୂଳ ପରିବେଶ ରହିଛି । ହକି ଓ ଦୌଡ଼କୁଦ ଭଳି କ୍ରୀଡ଼ା ପ୍ରତିଯୋଗିତାର ପ୍ରୋତ୍ସାହନ ଲାଗି ଶ୍ରୀ ରିଜିଜୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । କ୍ରୀଡ଼ାର ପ୍ରୋତ୍ସାହନ ଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଶ୍ରୀ ରିଜିଜୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରୀଡ଼ାସୂଚୀ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ । ରାଜ୍ୟରେ କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି । ଗତ ଅଲମ୍ପିକରେ ଦାରିଦ୍ର୍ୟ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର ଆବଶ୍ୟକତା ରହିଛି ।
ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମେତ ସମସ୍ତଙ୍କ ସହଯୋଗ ରହିବା ଦରକାର । ଓଡିଶାର ଅଧିକରୁ ଅଧିକ ପିଲାମାନେ ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବାର ସକ୍ଷମ ରଖୁଛନ୍ତି । ତେଣୁ ଏହାକୁ ପ୍ରତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ । ଖେଲୋ ଇଣ୍ଡିଆ ଦ୍ୱାରା ଓଡିଶାର ପିଲାମାନେ ଲାଭ ପାଇବେ ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ‘ନିଶଙ୍କ’ କହିଥିଲେ ଯେ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱରେ ଜ୍ଞାନର ମହାଶକ୍ତି ଭାବେ ଖ୍ୟାତି ଲାଭ କରିଥିବା ଭାରତ ନିକଟରେ କ୍ରୀଡ଼ା ମହାଶକ୍ତି ହେବାର ଅପାର ସମ୍ଭାବନା ରହିଛି । ଦେଶରେ ୧ ହଜାରରୁ ଊଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ, ୪୫ ହଜାରରୁ ଅଧିକ ଡିଗ୍ରୀ କଲେଜ ରହିଛି । ପ୍ରତି ଶିକ୍ଷାନୁଷ୍ଠାନରୁ ୧୦ରୁ ୨୦ ଜଣ କ୍ରୀଡ଼ାବିତ ବାହାରିଲେ ଭାରତ ବିଶ୍ୱ କ୍ରୀଡ଼ା ମହାଶକ୍ତିରେ ପରିଣତ ହୋଇପାରିବ । ଓଡ଼ିଶା ମାଟିରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ସୌଭାଗ୍ୟର କଥା । ଏହି ମାଟିରେ ଆରମ୍ଭ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳ ହୋଇଥାଏ ବୋଲି ସେ କହିଥିଲେ । ଏହି ଅବସରରେ ସେ ପ୍ରତିଯୋଗିତାର ମାସ୍କଟ ‘ଜୟ’ ଓ ‘ବିଜୟ’ର ଉନ୍ମୋଚନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଖେଳ
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
More in ଖେଳ
-
ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I
ଭୁବନେଶ୍ୱର -ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ...
-
ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ,
ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ, ଭଦ୍ରକ ଚମ୍ପିଆନ ,ପାରାମାଉଂଟ ଭୁବନେଶ୍ୱର ରନର୍ସ କୋରାଇ, ୦୪ ଫେବୃଆରୀ- ଯାଜପୁର...
-
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ ଭୁବନେଶ୍ୱର, ୦୧ ନଭେମ୍ବର – ଟୋକିଓ ଅଲିମ୍ପିକ ଯୋଗ୍ୟତା...
-
ଭୁବନେଶ୍ୱରରେ ଖୋଲିବ ବ୍ୟାଡମିଂଟନ ଏକାଡେମ
ଭୁବନେଶ୍ୱରରେ ଖୋଲିବ ବ୍ୟାଡମିଂଟନ ଏକାଡେମ -୨୦୨୦ ସୁଦ୍ଧା ହେବ କାର୍ଯ୍ୟକ୍ଷମ – ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଡମିଂଟନ କୋଚ୍ ପୁଲେଲା...