Connect with us

ଓଡିଶା

୨୮ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

ସାଙ୍କେତିକ

୨୮ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
– ଖୋଲା ବଜାରରୁ ଗ୍ରୀଡକୋ ଉଠାଇବ ୩ହଜାର କୋଟି ଋଣ
– କାଳିଆ ଛାତ୍ରବୃତିରେ ୩୫ଟି ପାଠ୍ୟକ୍ରମରେ ମିଳିବ ସଂରକ୍ଷଣ
ଭୁବନେଶ୍ୱର, ୨୨ ଫେବୃଆରୀ – ବାଣିଜ୍ୟିକ ବ୍ୟାଙ୍କ ଏବଂ ଖୋଲା ବଜାରରୁ ଗ୍ରୀଡକୋ ତିନିହଜାର କୋଟି ଟଙ୍କା ଋଣ ଉଠାଇବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ଆଜି ଅପରାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୨୮ଟି ବିଷୟ ଉପରେ ଆଲୋଚନା କରାଯାଇ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ ବୈଠକ ପରେ କ୍ୟାବିନେଟ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କର ସୂଚନା ଦେଇ କହିଥିଲେ ଯେ, ଗ୍ରୀଡ୍କୋ ସଂସ୍ଥା ୫ହଜାର କୋଟି ଟଙ୍କା ଋଣ କରିଥିଲା ଏବଂ ରାଜ୍ୟ ସରକାର ଗ୍ୟାରେଂଟର ହୋଇଥିଲେ । ସେଥିମଧ୍ୟରୁ ୩୧୫୭.୮୫ କୋଟି ଟଙ୍କା ପରିଶୋଧ କରିସାରିଛନ୍ତି । ଏବେ ଆଉ ୩ହଜାର କୋଟି ଟଙ୍କା ନୂତନ ଋଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି ।
ସେ କହିଲେ ଯେ, ଘୋଷିତ ହୋଇଥିବା କାଳିଆ ଛାତ୍ରବୃତି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀ, ଭୂମିହୀନ, କୃଷି ଶ୍ରମିକ ଓ କୃଷକ ଚାଷୀମାନଙ୍କର ପିଲାମାନଙ୍କ ପାଇଁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ(ଇଞ୍ଜିନିୟରିଂ, ମେଡ଼ିକାଲ୍, ଭେଟନାରୀ, ଏଗ୍ରିକଲଚର) କ୍ଷେତ୍ରରେ ସମୁଦାୟ ସିଟ୍ର ୧୦ ପ୍ରତିଶତ ଏବଂ ସରକାରୀ ଆଇଟିଆଇ ଓ ପଲିଟେକ୍ନିକ, ଫାର୍ମାସିଷ୍ଟ, ଏଏନଏମ, ନର୍ସିଂରେ ୨୦ ପ୍ରତିଶତ ସଂରକ୍ଷଣ ରହିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିପାଇଁ ୩୫ଟି ପାଠ୍ୟକ୍ରମକୁ ଚିହ୍ନଟ କରାଯାଇଛି । ହଷ୍ଟେଲ ଚାର୍ଜ ଓ କୋର୍ସ ଫି’କୁ ସରକାର ବହନ କରିବା ପାଇଁ ସ୍ଥିର ହୋଇଛି ।
ଶ୍ରୀ ପାଢ଼ୀ ଆହୁରି କହିଥିଲେ ଯେ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୬ଲକ୍ଷ ଏସଏସଜି ଗ୍ରୁପକୁ ସ୍ମାର୍ଟଫୋନ ଦିଆଯିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ତା’ ସହିତ ବିନା ସୁଧରେ ତିନିଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ମଧ୍ୟ ଦିଆଯିବ । ଖୁସି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରୀମାନଙ୍କୁ ବିନାମୂଲ୍ୟରେ ସାନିଟାରୀ ନାପକିନ ଯୋଗାଇ ଦିଆଯିବ । ଏହାବ୍ୟତୀତ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟକୁ ମଧ୍ୟ ସାମିଲ କରାଯିବ । ପ୍ରତ୍ୟେକ ଛାତ୍ରୀଙ୍କୁ ମାସକୁ ୧୮ଟି ବେଲ୍ଟଲେସ୍ ନାପକିନ ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ତଫସିଲଭୁକ୍ତ ଜାତି ଓ ଜନଜାତି ବିକାଶ ଓ ପଛୁଆବର୍ଗ ଉନ୍ନୟନ ବିଭାର ସହଯୋଗରେ ଏହା କାର୍ଯ୍ୟକାରୀ କରାଯିବ । ପାଂଚବର୍ଷ ମଧ୍ୟରେ ଏଥିପାଇଁ ୪୬୬.୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛି । ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ଓଡ଼ିଶା ରାଜ୍ୟ ଆହାର ସମିତିକୁ ବୈଷୟିକ ସହାୟତା ତଥା ଆହାର କାର୍ଯ୍ୟକ୍ରମର ସୁପରିଚାଳନା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରରେ ଏକ ଯୋଜନା ପରିଚାଳନା ୟୁନିଟ୍ର ସ୍ଥାପନା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶ୍ରୀ ପାଢ଼ୀ କହିଥିଲେ ଯେ, ରାଜ୍ୟର ୧୧୪ଟି ସହର ଏବଂ କର୍ପୋରେସନରେ କାର୍ଯ୍ୟକାରୀ ହେଉଥିବା ଆହାର କାର୍ଯ୍ୟକ୍ରମ ପାଇଁ ବର୍ଷକୁ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଅର୍ଥ କମ୍ପାନୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯାଉଛି । ପ୍ରତିଦିନ ଏକଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏହାକୁ ଚାଲୁ ରଖିବା ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି । ବିଭିନ୍ନ ଦ୍ରବ୍ୟର ବଜାର ଦର ମଜୁରୀ ବୃଦ୍ଧିକୁ ଦୃଷ୍ଟିରେ ହିତାଧିକାରୀଙ୍କ ଦେୟ ପରିମାଣ ୫ଟଙ୍କା ଅପରିବର୍ତିତ ରଖି ଭୋଜନର ମୂଲ୍ୟ ୨୦ଟଙ୍କାରୁ ୨୩ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅନୁଗୁଳ ବିଜ୍ଞାପିତ ଅଂଚଳ ପରିଷଦ ଅଧିନରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ଝାରସୁଗୁଡ଼ା ପୌରପାଳିକାର ଏକତାଳୀ ଉଚ୍ଚ ବିଦ୍ୟାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତରୀକରଣ କରିବା ଉଦ୍ଦେଶ୍ୟରେ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଦୁଇଟି ଉଚ୍ଚ ବିଦ୍ୟାଳୟ୍ରରେ ଶିକ୍ଷକତା କରୁଥିବା ଶିକ୍ଷକ ଓ କାର୍ଯ୍ୟରତ ଅଣ ଶିକ୍ଷକମାନଙ୍କୁ ହସ୍ତାନ୍ତର ଦିନ ଠାରୁ ସରକାରୀ ମାନ୍ୟତା ପ୍ରଦାନ ସହିତ ସେହି ଦିନ ଠାରୁ ସରକାରୀ ସେବା ଓ ସୁବିଧା ଅନୁଯାୟୀ ସମସ୍ତ ପ୍ରାପ୍ୟ ପ୍ରଦାନ ଲାଗି ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।
ସମ୍ବଲପୁର ଓ ସୋନପୁର ଜିଲ୍ଲାର ୧୨ହଜାର ୯୦୦ ହେକ୍ଟର ଚାଷଜମିକୁ କ୍ଲଷ୍ଟର-୪ ଦ୍ୱାରା ଜଳସେଚନ ଯୋଗାଇ ଦେବା ପାଇଁ ଆହ୍ୱାନ କରାଯାଇଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ଟେଣ୍ଡରକୁ ମଞ୍ଜୁରୀ ଦିଆଯାଇଛି । ଏଥିରେ ୩୫୭ କୋଟି ୨୯ଲକ୍ଷ ଟଙ୍କା ବିନିଯୋଗ ହେବ । ଦୁଇଗୋଟି ଠିକାଦାରୀ ସଂସ୍ଥା(ଏଲ୍ଆଣ୍ଡଟି, ମେଗା ଇଞ୍ଜିନିୟରିଂ ଆଣ୍ଡ ଇମ୍ପ୍ରାଷ୍ଟକଚର) ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ଏଲ୍ଆଣ୍ଡଟିକୁ ଦେବାପାଇଁ ଆସିଥିବା ପ୍ରସ୍ତାବରେ ଅନୁମୋଦନ କରାଯାଇଛି ।
ସେହିପରି ଯାଜପୁର, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ୧୪,୯୦୦ ହେକ୍ଟର ଚାଷଜମିକୁ କ୍ଲଷ୍ଟର ଡିଏମଏଫ ଦ୍ୱାରା ଜଳସେଚନ ଯୋଗାଇ ଦେବାପାଇଁ ଆହ୍ୱାନ କରାଯାଇଥିଲା । ଏହି ଟେଣ୍ଡର ଦ୍ୱାରା ୧୦ଟି ପ୍ରକଳ୍ପ ଗୋଟିଏ ଗୁଚ୍ଛରେ ଆରମ୍ଭ କରାଯିବ । ଏଥିରେ ତିନିଗୋଟି ଠିକାଦାରୀ ସଂସ୍ଥା(ଏଲ୍ଆଣ୍ଡଟି, ମେଗା ଇଞ୍ଜିନିୟରିଂ ଆଣ୍ଡ ଇମ୍ଫ୍ରାଷ୍ଟକଚର, ଜିଭିପିଆର ଇଞ୍ଜିନିୟରର୍ସ ଲିମିଟେଡ) ଭାଗ ନେଇଥିଲେ । ଭାଗ ନେଇଥିବା ଠିକାଦାରୀ ସଂସ୍ଥାମାନଙ୍କ ମଧ୍ୟରୁ ମେଗା ଇଞ୍ଜିନିୟରିଂ ଆଣ୍ଡ ଇମ୍ଫ୍ରାଷ୍ଟକଚର କାମ କରିବା ନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପରେ ୪୩୨ କୋଟି ୩୭ଲକ୍ଷ ୫୦ହଜାର ଟଙ୍କା ବିନିଯୋଗ କରାଯିବ । ଅନୁଗୁଳ, ବୌଦ୍ଦ ଓ ଢେଙ୍କାନାଳ ଜିଲ୍ଲାର ୧୬,୧୫୪ ହେକ୍ଟର ଚାଷଜମିକୁ କ୍ଲଷ୍ଟର-୫ ଦ୍ୱାରା ଜଳସେଚନ ଯୋଗାଇ ଦେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଉପରୋକ୍ତ ତିନୋଟି କମ୍ପାନୀ ଅଂଶଗ୍ରହଣ କରିଥିଲେ । ମେଗା ଇଞ୍ଜିନିୟରିଂ ଆଣ୍ଡ ଇମ୍ଫ୍ରାଷ୍ଟକରଚର ଲିମିଟେଡକୁ ଏହି କାର୍ଯ୍ୟ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ଲଷ୍ଟର-୫ରେ ସମୁଦାୟ ୪୪୫ କୋଟି ୩୫ ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ ।
ମାଲକାନଗିରି ଜିଲ୍ଲାର ଚିତପାରି ନଦୀ , ପୋଟେରୁ , ସାବେରୀ , ଗରିଆ , କୋଲାବର ୧୨,୯୬୪ ହେକ୍ଟର ଚାଷ ଜମିକୁ କ୍ଲେଷ୍ଟେର ମାଲକାନଗିରି ଦ୍ୱାରା ଜଳସେଚନ ଯୋଗାଇଦେବାପାଇଁ ଆହ୍ୱାନ କରାଯାଇଥିବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ୩୮୬,୧୨,୮୮ ଟଙ୍କାର ଟେଣ୍ଡରକୁ ବୈଠକରେ ଅନୁମୋଦନ କରାଯାଇଛି । ଏହି ଟେଣ୍ଡର ଦ୍ୱାରା ୮ଟି ପ୍ରକଳ୍ପ ଗୋଟଇ ଏ ଗୁଚ୍ଛରେ ଆରମ୍ଭ କରାଯିବ । ୨ ଗୋଟି ଠିକା ସଂସ୍ଥା ମେଗା ଇଂଜିନିୟରିଂ ଆଣ୍ଡ ଇମ୍ଫ୍ରାଷ୍ଟକରଚର ଲିମିଟେଡ୍ ଓ ଜିଭିପିଆର ଇଂଜିନିୟରର୍ସ ଲିମିଟେଡ୍ ଅଂଶଗ୍ରହଣ କରିଥିଲେ । ଜିଭିପ୍ରିଆର ଇଂଜିନିୟରର୍ସ ଲିମିଟେଡ୍ କୁ ଏହି କାର୍ଯ୍ୟ କରିବାପାଇଁ ଆସିଥିବା ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା