Connect with us

ଆଞ୍ଚଳିକ

୨୦୦ ବ୍ଲକରେ ପହଁଚିଲା ଆମ ଗାଁ ଆମ ବିକାଶ l

୨୦୦ ବ୍ଲକରେ ପହଁଚିଲା ଆମ ଗାଁ ଆମ ବିକାଶ l

୨୦୦ ବ୍ଲକରେ ପହଁଚିଲା ଆମ ଗାଁ ଆମ ବିକାଶ
ପୁଣି ୪,୩୭୩ ପଞ୍ଚାୟତ ପାଇଁ ୩୯,୯୭୫ ପ୍ରକଳ୍ପ
ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜି ଓଡ଼ିଶାର ୨୦୦ ବ୍ଲକରେ ପହଂଚିଛି । ଆଜିସୁଦ୍ଧା ୪,୩୭୩ଟି ପଞ୍ଚାୟତ ପାଇଁ ୩୯,୯୭୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି ଏବଂ ଏଥିପାଇଁ ୯୮୭.୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଗ୍ରାମବାସୀମାନେ ସେମାନଙ୍କ ଗ୍ରାମ ପାଇଁ ଯେଉଁ ପ୍ରକଳ୍ପର ଆବଶ୍ୟକତା ଅନୁଭବ କରି ପ୍ରସ୍ତାବ ରଖୁଛନ୍ତି, ସେହି ପ୍ରସ୍ତାବ ମୁତାବକ ପ୍ରକଳ୍ପ ମଞ୍ଜୁର କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଗୋଷ୍ଠୀକେନ୍ଦ୍ର, ସଂକୀର୍ତ୍ତନ ମଣ୍ଡପ, ପାଠାଗାରା, ବିଶ୍ରାମଗୃହ ଓ ପୋଖରୀ ପୁନରୁଦ୍ଧାର ଆଦି ପ୍ରକଳ୍ପ ଗୁଡିକ ଏହି କାର୍ଯ୍ୟକ୍ରମ ଜରିଆରେ ରୂପାୟନ କରାଯାଇଛି । ଏହାଦ୍ୱାରା ଗାଁ ମାନଙ୍କରେ ଜରୁରୀ ଭିତ୍ତିଭୂମି ଗୁଡିକର ଉଲ୍ଲେଖନୀୟ ବିକାଶ ହୋଇପାରୁଛି ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୯୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ଚିକିଟି, ଯାଜପୁର ଜିଲ୍ଲାର ବଡଚଣା, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ରାୟଗଡ଼ା ଜିଲ୍ଲାର ଗୁଡାରୀ ଓ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ । ଆଜି ମୁଖ୍ୟମନ୍ତ୍ରୀ ଚିକିଟି ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୨୧ କୋଟି ଟଙ୍କାରେ ୯୭ଟି ପ୍ରକଳ୍ପ, ବଡଚଣା ବ୍ଲକର ୪୩ଟି ପଞ୍ଚାୟତ ପାଇଁ ୧୦.୭୫ କୋଟି ଟଙ୍କାରେ ୪୧୧ଟି ପ୍ରକଳ୍ପ, ହିନ୍ଦୋଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୭ କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ, ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୮ଟି ପ୍ରକଳ୍ପ, ଗୁଡାରୀ ବ୍ଲକର ୯ଟି ପଞ୍ଚାୟତ ପାଇଁ ୧.୦୩ କୋଟି ଟଙ୍କାରେ ୪୯ଟି ପ୍ରକଳ୍ପ, ମାନେଶ୍ୱର ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୮୭ କୋଟି ଟଙ୍କାରେ ୧୧୮ଟି ପ୍ରକଳ୍ପ ଏହିପରି ସମୁଦାୟ ୭ଟି ବ୍ଲକର ୧୫୩ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୩.୯୬ କୋଟି ଟଙ୍କାରେ ୧୩୭୧ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଏକଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ