Connect with us

ଓଡିଶା

୧୦ ହଜାରରୁ ଅଧିକ ଗାଁକୁ ସଡ଼କ ସଂଯୋଗ ନାହିଁ

image

୧୦ ହଜାରରୁ ଅଧିକ ଗାଁକୁ ସଡ଼କ ସଂଯୋଗ ନାହିଁ
ଭୁବନେଶ୍ୱର :- ଓଡ଼ିଶାରେ ପ୍ରାୟ ୧୦ ହଜାର ଗାଁକୁ ସବୁଦିନିଆ ସଡ଼କ ସଂଯୋଗ ନାହିଁ । ତେବେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଉଛି ସେଥିରେ ତାଳମେଳ ରହୁନଥିବାରୁ ବାସ୍ତବରେ କେତେ ଗାଁକୁ ରାସ୍ତା ନାହିଁ ସେ ସଂକ୍ରାନ୍ତୀୟ ପ୍ରକୃତ ଚିତ୍ର ମିଳିପାରୁନାହିଁ ।
ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଅ।ରୁଖ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ଯେ ୨୦୦୦-୦୧ ବର୍ଷର ହିସାବ ଅନୁଯାୟୀ ରାଜ୍ୟର ସମୁଦାୟ ୫୦,୧୮୯ଟି ଗାଁ ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ୨୦୦୦ ଡିସେମ୍ବର ୨୫ ତାରିଖରେ ଆରମ୍ଭ ହେବା ବେଳକୁ ୨୦,୪୩୮ଟି ଗାଁକୁ ସବୁଦିନିଆ ରାସ୍ତା ଥିଲା ଓ ୨୯,୭୫୧ଟି ଗାଁକୁ ରାସ୍ତା ନ ଥିଲା । ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୧୪,୭୫୨ଟି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଡ଼କ ସଂଯୋଗ କରାଯାଇଛି । ଅର୍ଥାତ୍ ଏହି ହିସାବ ଅନୁଯାୟୀ ଆଉ ୧୪,୯୯୯ଟି ଗାଁକୁ ସଡ଼କ ନ ଥିଲା । ତେବେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ୧୩୦୫ଟି ଗାଁକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଏହି ହିସାବ ବିଶ୍ଳେଷଣ ଅନୁଯାୟୀ ଆଉ ୧୩,୬୮୪ ଗାଁକୁ ମୋଟାମୋଟି ଭାବେ ରାସ୍ତା ନ ଥିବା ଜଣାପଡ଼ିଛି ।
ତେବେ ମନ୍ତ୍ରୀଙ୍କ ପ୍ରଦତ ହିସାବ ଅନୁଯାୟୀ ୨୦୦୦ ଡିସେମ୍ବର ୨୫ ବେଳକୁ ଯେଉଁ ୨୯,୭୯୧ଟି ଗାଁକୁ ରାସ୍ତା ନ ଥିଲା ସେଥିମଧ୍ୟରୁ ୧୮,୬୮୭ଟି ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିୟମାବଳୀ ଅନ୍ତର୍ଭୁକ୍ତ । ଏଥିରୁ ପିଏମଏସୟାଇ ଓ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ତିଆରି ହୋଇଥିବା ରାସ୍ତାକୁ ହିସାବକୁ ନେବା ପରେ ଆଉ ୨୧୩୫ଟି ଗ୍ରାମର ସଂଯୋଗୀକରଣ ପାଇଁ କାର୍ଯ୍ୟ ଚାଲିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଆଉ ୨୩୩ଟି ଗାଁକୁ ସଂଯୋଗ କରିବା ପାଇଁ ଯୋଜନା ଅଛି । ବାକି ୨୬୨ଟି ଗାଁକୁ ବିଭିନ୍ନ କାରଣ ଯୋଗୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିନାହିଁ ।
ତେବେ ପଂଚାୟତିରାଜ ବିଭାଗ ନିକଟରେ ରାଜ୍ୟରେ ସବୁଦିନିଆ ସଡ଼କ ସଂଯୋଗ ନଥିବା ଗ୍ରାମ ସଂଖ୍ୟା କିନ୍ତୁ ଭିନ୍ନ । ଚଳିତ ବର୍ଷର ସରକାରୀ ଡାଏରୀରେ ଦର୍ଶାଯାଇଛି ଯେ ଓଡ଼ିଶାରେ ଗ୍ରାମ ସଂଖ୍ୟା ୫୧,୬୮୧ । ସ୍ୱାସ୍ଥ୍ୟ ବିଭାଗର ଖବର ଅନୁଯାୟୀ ରାଜ୍ୟର ୭୩୩୨ଟି ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ । ଏହି ଗାଁଗୁଡ଼ିକୁ ଅପହଂଚ ଇଲାକା ଭାବେ ଚିହ୍ନଟ କରାଯାଇଛି । ଏଥିମଧ୍ୟରେ ସର୍ବାଧିକ ୯୯୮ଟି କୋରାପୁଟ ଜିଲ୍ଲରେ ଥିବା ବେଳେ ୯୧୪ଟି ରହିଛି କନ୍ଧମାଳ ଜିଲ୍ଲାରେ । ରାୟଗଡ଼ା ଜିଲ୍ଲାରେ ୮୧୭ଟି ଅପହଂଚ ଗାଁ ଥିବା କଥା ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି । ଏହାଛଡ଼ା ଗଜପତି ଜିଲ୍ଲାରେ ୫୮୩ଟି, କଳାହାଣ୍ଡିରେ ୫୩୫ଟି, ମାଲକାନଗିରିରେ ୫୬୧ଟି, ଗଞ୍ଜାମରେ ୪୮୩ଟି, ମୟୂରଭଞ୍ଜରେ ୩୨୯ଟି, ନବରଙ୍ଗପୁରରେ ୩୭୫ଟି, ନୟାଗଡ଼ରେ ୩୬୯ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୧୦ଟି ଅପହଂଚ ଗାଁ ରହିଛି । ଅନ୍ୟ ସବୁ ଜିଲ୍ଲାରେ ଅପହଂଚ ଗାଁ ସଂଖ୍ୟା ୨୦୦ରୁ କମ୍ କରି ଅଛି । ଏହି ଅପହଂଚ ଇଲାକାଗୁଡ଼ିକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସେଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣା ଯୋଜନାରେ ସାମିଲ କରି ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ନିମିତ ଆଣିବା ପାଇଁ ହଜାରେ ଟଙ୍କା କରି ଆର୍ଥିକ ସହାୟତା ସହିତ ଜିଟିଏସ୍ ୟୁନାଇଟେଡ୍ ଫଣ୍ଡରୁ ଅଗ୍ରୀମ ଦେବାର ବ୍ୟବସ୍ଥା କରିଛି । ବାଇକ୍ ଆମ୍ବୁଲାନ୍ସ ମଧ୍ୟ ସମ୍ପୃକ୍ତ ଅଂଚଳରେ ପ୍ରଚଳନ ପାଇଁ ବ୍ୟବସ୍ଥା ହୋଇଛି । ଗତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣା ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତରରେ ସୂଚାଇଛନ୍ତି ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏ ପର୍ଯ୍ୟନ୍ତ ୨୦,୮୯୨ କୋଟି ଟଙ୍କା ବିନିଯୋଗରେ ୧୨,୨୯୨ଟି ରାସ୍ତା ଓ ୪୪୧ଟି ସେତୁର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ୪୭୬୬ କୋଟି ଟଙ୍କା ବ୍ୟୟ ବରାଦରେ ଅ ।ଉ ୩୩୧୯ଟି ରାସ୍ତା ଓ ୨୫୫ଟି ସେତୁର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବିଭାଗୀୟ ମନ୍ତ୍ରୀ ଶ୍ରୀ ଆରୁଖ ବିଧାୟକ ଶ୍ରୀ ରାୟଙ୍କୁ କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭରୁ ଏଯାବତ୍ ରାଜ୍ୟରେ ୬୨୦ କୋଟି ଟଙ୍କା ବ୍ୟୟରେ ୩୮୪ଟି ରାସ୍ତା ନିର୍ମିତ ହୋଇଥିବା ବେଳେ ୨୭୪ କୋଟି ଟଙ୍କା ବ୍ୟୟ ଅଟକଳରେ ଆଉ ୩୪୯ଟି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୀମିତ ସମୟ ମଧ୍ୟରେ ରାଜ୍ୟର ସମସ୍ତ ଗାଁକୁ ସବୁଦିନିଆ ସଡ଼କ ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଦୃଢ଼ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା