Connect with us

ଓଡିଶା

୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି : ମତାଧିକାର ସାବ୍ୟସ୍ତ କରିବେ ୧ଲକ୍ଷ ୮୩ ହଜାରରୁ ଅଧିକ ଭୋଟର

ସାଙ୍କେତିକ

୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି : ମତାଧିକାର ସାବ୍ୟସ୍ତ କରିବେ ୧ଲକ୍ଷ ୮୩ ହଜାରରୁ ଅଧିକ ଭୋଟର
ବାରିପଦା, ୨୨ ଏପ୍ରିଲ – ରାଜ୍ୟରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନ ଓ ଉକ୍ତ ନିର୍ବାଚନ କ୍ଷେତ୍ର ସହ ଯୋଡ଼ି ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ୩୦ନଂ କରଞ୍ଜିଆ(ସଂ) ନିମନ୍ତେ ଏପ୍ରିଲ ୨୩ ମଙ୍ଗଳବାର ଭୋଟ ଗ୍ରହଣ ହେଉଛି । ମତଦାତାମାନେ ମୋଟ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ମନ ପସନ୍ଦର ପ୍ରିୟ ପ୍ରାର୍ଥୀଙ୍କୁ ବିଧାୟକ ଭାବେ ଚୟନ କରିବେ । ତେବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ଦଳର ନେତା ଏବଂ ଏହି ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଚଳାଇ ଆସିଥିବା ମାରାଥନ ପ୍ରଚାରର ଆଜି ହେଉଛି ଅଗ୍ନି ପରୀକ୍ଷା । ମୁଖ୍ୟତଃ ଉକ୍ତ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିବା ନିମନ୍ତେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା । ଶାସକ ଦଳ ବିଜେଡ଼ିର ବାସନ୍ତୀ ହେମ୍ବ୍ରମ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ରହିଥିଲେ । ଏହା ପୂର୍ବରୁ ଦୁଇ ଦୁଇଥର ଶୁକୃଳି ବ୍ଲକର ଅଧ୍ୟକ୍ଷା ମଧ୍ୟ ରହିଥିଲେ । ଏଥି ସହିତ ଶ୍ରୀମତୀ ହେମ୍ବ୍ରମଙ୍କର ଅନ୍ୟ ଏକ ପରିଚୟ ରହିଛି । ସେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୧୯୭୭ରେ ଜନତାପାର୍ଟି, ୧୯୮୦ରେ ଲୋକଦଳ ଓ ୧୯୯୦ରେ ଜନତାଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ହେମ୍ବ୍ରଙ୍କ ପୁତ୍ର ବଧୂ ଓ ୨୦୦୪ରେ ବିଜେଡ଼ିର ବିଧାୟକ ଅଜିତ ହେମ୍ବ୍ରମଙ୍କ ସାନ ଭାଇଙ୍କ ସହଧର୍ମିଣୀ ଅଟନ୍ତି । ବିଜେଡ଼ି ପ୍ରାର୍ଥୀ ବାସନ୍ତୀଙ୍କ ସପକ୍ଷରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ଆସି ପ୍ରଚାର ଚଳାଇବା ସହ ରାଜ୍ୟସଭା ସାଂସଦ ତଥା ସମାଜସେବୀ ଅଚ୍ୟୁତ ସାମନ୍ତ ପ୍ରମୁଖ ମାରାଥନ ପ୍ରଚାର ଚଳାଇଥିଲେ । ରାଜ୍ୟରେ ଜାରି ରହିଥିବା ବିକାଶ ଧାରା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରରେ ଓଡ଼ିଶା ପ୍ରତି ରହିଥିବା ବୈମାତୃକ ମନୋଭାବ , ମିଥ୍ୟା ପ୍ରତିଶ୍ରୁତି ସହ ବିଜେଡ଼ିର ନିର୍ବାଚନୀ ଇସ୍ତାହାର ଆଦି ମୁଖ୍ୟ ପ୍ରସଙ୍ଗ ଭାବେ ଉତ୍ଥାପନ କରାଇଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ପଡ଼ିଯାଇ ନାହିଁ । ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି କୋହ୍ଲ ସମ୍ପ୍ରଦାୟର ୨୦୦୦ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପଦ୍ମଚରଣ ହାଇବୁରୁ । ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂ ପ୍ରମୁଖ କେନ୍ଦ୍ରୀୟ ନେତା କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଶ୍ରୀହାଇବୁରୁଙ୍କ ସପକ୍ଷରେ ମାରାଥନ ପ୍ରଚାର ଚଳାଇଥିଲେ । ମୁଖ୍ୟ ପ୍ରସଙ୍ଗ ରହିଥିଲା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରରେ ବିଭିନ୍ନ ଦୁର୍ନୀତି ସହ ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରାଇବାର ପ୍ରତିଶ୍ରୁତି ଓ ଆକର୍ଷଣୀୟ ନିର୍ବାଚନୀ ଇସ୍ତାହାର । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବାଥୁଡ଼ି ସମ୍ପ୍ରଦାୟର ସୁନାମଧନ୍ୟ ଅବସର ପ୍ରାପ୍ତ ଲୋକପ୍ରିୟ ଶିକ୍ଷକ ସୁଦାମ ଚରଣ ନାଏକ । କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ କୌଣସି ହାଇ ପ୍ରୋଫାଲ ନେତା ପ୍ରଚାରର ମଙ୍ଗ ସମ୍ଭାଳି ନଥିବା ବେଳେ କେବଳ ରାଜ୍ୟ ଓ ଜିଲ୍ଲାର ନେତାମାନେ ଏକମାତ୍ର ଭରସା ଥିଲେ । କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ମୁଖ୍ୟ ପ୍ରସଙ୍ଗ ରହିଥିଲା ରାଜ୍ୟରେ ଏକ ଅପାରଗ ଓ ଦୁର୍ନୀତି ଗ୍ରସ୍ତ ସରକାରକୁ ହଟାଇ କଂଗ୍ରେସ ପକ୍ଷରୁ କ୍ଷମତା ଦଖଲ ସହ କେନ୍ଦ୍ରରେ ଦୁର୍ନୀତି ଗ୍ରସ୍ତ ଭ୍ରଷ୍ଟାଚାରୀ ଜୁମୁଲାବାଜ୍ ସରକାରକୁ କ୍ଷମତାଚ୍ୟୁତ କରାଇ ପୁଣି ଥରେ କଂଗ୍ରେସ କ୍ଷମତାକୁ ଫେରି ଆସିବା । ଏହିପରିପ୍ରେକ୍ଷୀରେ ଜାରି କରିଛନ୍ତି ଏକ ଜନକଲ୍ୟାଣକାରୀ ନିର୍ବାଚନୀ ଇସ୍ତାହାର । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟିଏମସିରୁ ଜବାମଣି ଟୁଡ଼ୁ, ଏସୟୁସିଆରରୁ ବାଜୁରାମ ସିଦ୍ଧୁ, ଅଖିଳ ଭାରତୀୟ ହିନ୍ଦୁ ମହାସଭାରୁ ରଘୁନାଥ ନାଏକ ପ୍ରମୁଖଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ବୈଦ୍ୟନାଥ ସିଂ ବଦ୍ରା, ସମୀୟ ପୁର୍ତି, ସୁଜିତ ଲୁଗୁନ, ସୁବାସ ଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ପ୍ରତିଦ୍ୱାନ୍ଦିତାରେ ରହିଛନ୍ତି ।
ନିର୍ବାଚନରେ ବିଜେପି, ବିଜେଡ଼ି ଓ କଂଗ୍ରେସ ବିଜୟୀ ହେବା ନିମନ୍ତେ ଆଶାବାଦୀ ରହିଥିବା ବେଳେ ମୁଖ୍ୟତଃ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ତେଣୁ ୨୦୧୯ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାହା ଆକଳନ କରିବା ସମ୍ଭବ ହୋଇପାରୁ ନାହିଁ । ତେବେ ଏକ ଆକଳନରୁ ଜଣାପଡ଼େ, କରଞ୍ଜିଆ(ସଂ) ନିର୍ବାଚନ ମଣ୍ଡଳୀରେ ପ୍ରାୟ ୭୫ ଭାଗ ଆଦିବାସୀ ସମ୍ପ୍ରଦାୟର । ଉକ୍ତ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ କୋହ୍ଲ ସମ୍ପ୍ରଦାୟ ପ୍ରାୟ ୪୦ ପ୍ରତିଶତ ରହିଥିବା ବେଳେ ବାଥୁଡ଼ି ସମ୍ପ୍ରଦାୟ ୩୫ ପ୍ରତିଶତ ଏବଂ ଅବଶିଷ୍ଟ ୨୫ ପ୍ରତିଶତ ସାନ୍ତାଳ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି । ୨୫ ପ୍ରତିଶତ ସାଧାରଣ ବର୍ଗ ମଧ୍ୟରୁ ଅଧିକାଂଶ ମହାନ୍ତ ସମ୍ପ୍ରଦାୟ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା