Connect with us

ଦେଶ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୩୦ ଭିତରେ ସବୁ ଦଳ ଦେବେ ନିର୍ବାଚନ ବଣ୍ଡ୍‌ର ସୂଚନା

ସାଙ୍କେତିକ

କେନ୍ଦ୍ର ସରକାରଙ୍କୁ ଝଟକା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୩୦ ଭିତରେ ସବୁ ଦଳ ଦେବେ ନିର୍ବାଚନ ବଣ୍ଡ୍‌ର ସୂଚନା
ନୂଆଦିଲ୍ଲୀ, ୧୨ ଅପ୍ରେଲ: ନିର୍ବାଚନୀ ବଣ୍ଡ୍‌ ମାମଲାରେ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଏକ ବଡ଼ ଝଟକା ଦେଇଛି ସୁପ୍ରିମକୋର୍ଟ । ମେ ୩୦ ଭିତରେ ସବୁ ଦଳ ନିର୍ବାଚନ କମିଶନ(ଇସି)ଙ୍କୁ ନିର୍ବାଚନ ବଣ୍ଡର ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ୍‌ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, ନିର୍ବାଚନ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ଗୋପନ ରଖାଯିବା ଉଚିତ ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ ।ଏପରିକି କେନ୍ଦ୍ର ସରକାର ଜନସାଧାରଣଙ୍କୁ ଚାନ୍ଦା ତଥ୍ୟ ଜାଣିବାର ଅଧିକାର ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । କେନ୍ଦ୍ର ସରକାର ନିର୍ବାଚନୀ ବଣ୍ଡ୍‌ ଯୋଜନାକୁ ନିର୍ବାଚନ କମିଶନ ବିରୋଧ କରିଥିଲେ । ଏଥିଯୋଗୁ ରାଜନେତିକ ଦଳମାନଙ୍କ ଚାନ୍ଦା ହାସଲରେ ସ୍ବଚ୍ଛତା ରହିବ ନାହିଁ ଏବଂ ଏହା ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେବ ବୋଲି ନିର୍ବାଚନ କମିଶନ ସୁପ୍ରିମ କୋର୍ଟରେ ଜବାବ ଦାଖଲ କରି କହିଥିଲେ । ଇସି ଯୁକ୍ତି ବାଢିଥିଲେ ଯେ, ନିର୍ବାଚନ ସ୍ବଚ୍ଛତା ନିମନ୍ତେ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ପ୍ରକାଶ କରାଯିବା ଆବଶ୍ୟକ । ଏହାଦ୍ବାରା କମ୍ପାନୀଗୁଡିକ ମାଧ୍ୟମରେ କଳାଧନକୁ ନିର୍ବାଚନରେ ଉପଯୋଗ କରାଯିବାର ବାଟ ମଧ୍ୟ ବନ୍ଦ ହେବ । ନିର୍ବାଚନ ବଣ୍ଡ୍‌କୁ ବିରୋଧ କରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ ଅନ୍ୟମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ