Connect with us

ଆମ ଖବର

ସିଏଜି ଅଡିଟରେ ରାଜ୍ୟ ସରକାର ସହଯୋଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ବିଜେପି

ବିଜୁ ଯୁବ ବାହିନୀ ନାଁରେ ରାଜ୍ୟ ସରକାର ୪୫୦ କୋଟି ଟଙ୍କାର ବିପୁଳ ଅର୍ଥ ବ୍ୟୟ ବରାଦ କରିବା ପ୍ରସଙ୍ଗରେ
ସିଏଜି ଅଡିଟରେ ରାଜ୍ୟ ସରକାର ସହଯୋଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ବିଜେପି
ଭୁବନେଶ୍ୱର : ଯୁବବାହିନୀ ନାଁରେ ଦଳର ପ୍ରଚାର ପାଇଁ ରାଜ୍ୟସରକାର ୪୫୦ କୋଟି ଟଙ୍କାର ବିପୁଳ ପରିମାଣର ଅର୍ଥ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ତଦନ୍ତ ପାଇଁ ଗତ ୪ ତାରିଖ ଦିନ ରାଜ୍ୟ ବିଜେପି ଏକ ସ୍ମାରକ ପତ୍ର ସିଏଜିକୁ ପ୍ରଦାନ କରିଥିଲା । ଏହି ପତ୍ରରେ ବିଜୁ ଯୁବ ବାହିନୀ ଏବଂ ଆମ ଗାଁ ଆମ ବିକାଶ ଯୋଜନା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାର ଉତ୍ସ ସଂପର୍କରେ ଅଡିଟ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସିଏଜିଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସିଏଜି ଅଡିଟରେ ରାଜ୍ୟସରକାର ସହଯୋଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ କହିଛନ୍ତି ।
ବିଜୁ ଯୁବ ବାହିନୀ ନାଁରେ ରାଜ୍ୟସରକାର ୪୫୦ କୋଟି ଟଙ୍କାର ବିପୁଳ ବ୍ୟୟ ବରାଦ କରିଛନ୍ତି । ଏହି ଅର୍ଥ ସାଧାରଣ ଓଡ଼ିଆ ଲୋକଙ୍କର ଝାଳବୁହା ଟିକସ ପଇସା । ଦେଶର ବିଧି ବ୍ୟବସ୍ଥା ଅନୁସାରେ ଟିକସଦାତାଙ୍କ ଟିକସରେ ହେଉଥିବା ବିଭିନ୍ନ ଯୋଜନାର ଖର୍ଚ୍ଚ ହିସାବ ଦେବା ପାଇଁ ରାଜ୍ୟ ସରକାର ବାଧ୍ୟ ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ବିଜୁ ଯୁବ ବାହିନୀର ଖର୍ଚ୍ଚକୁ ନେଇ ସିଏଜି ଅଡ଼ିଟ୍ କରିବା ପାଇଁ ଓଡ଼ିଶା ସରକାରଙ୍କୁ ବିଧିବଦ୍ଧ ଚିଠି ଲେଖି ତଥ୍ୟ ଉପଲବ୍ଧ କରାଇ ଅଡିଟରେ ସହଯୋଗ କରିବା ପାଇଁ ୬ ସେପ୍ଟେମ୍ବର ୨୦୧୮ରେ ଅନୁରୋଧ କରିଥିଲେ । ମାତ୍ର ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ବିଶ୍ୱ କପ୍ ହକି ପାଇଁ ବ୍ୟସ୍ତ ଥିବାରୁ ଅଡ଼ିଟ୍ ଟିମକୁ ସହଯୋଗ ନ କରି ଫେରାଇ ଦେଇଛନ୍ତି । ରାଜ୍ୟସରକାର ମିଛ ଆଳ ଦେଖାଇ ବିଜୁ ଯୁବ ବାହିନୀ ନାଁରେ କୋଟି କୋଟି ଟଙ୍କା ହେରଫେର୍ କରିଥିବା ଦୁର୍ନୀତିକୁ ଘୋଡାଇବାକୁ ଚାହୁଁଛନ୍ତି । ରାଜ୍ୟର ଜନସାଧାରଣଙ୍କ ଟିକସର ଅର୍ଥକୁ ଶାସକ ବିଜେଡି ନିଜ ରାଜନୈତିକ ଫାଇଦା ପାଇଁ ଖର୍ଚ୍ଚ କରୁଛିି । ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଲୁଟି ଚାଲିଛନ୍ତି । ବିଧାନସଭା ଗୃହରେ ଏହି ଘଟଣା ଉପରେ ବିଜେପିକୁ ମତ ରଖିବାକୁ ଦିଆଯାଇ ନଥିବାରୁ ଗୃହ ବାହାରେ ଗଣମାଧ୍ୟମ ଆଗରେ ବିଜେପି ତାର ପକ୍ଷ ରଖିଛି । ରାଜ୍ୟର ଅର୍ଥକୁ ସରକାର ହରିଲୁଟ କରିବାକୁ ବସିଛନ୍ତି । ଏହାର ତୁରନ୍ତ ତଦନ୍ତ ହେବା ଦରକାର ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ସିଏଜି ପୁଣି ତାଙ୍କର ପରବର୍ତୀ ଚିଠିରେ ଏହି ଅଡ଼ିଟ୍ ଜିଲ୍ଲା, ବ୍ଲକ୍, ପଂଚାୟତ ଓ ସହରାଂଚଳ ସ୍ୱାୟତ ଶାସନ ସ୍ତରରେ ଅଡ଼ିଟ୍ କରିବାକୁ ଥିବା ଅବଗତ କରାଇବା ସହ ଏହି ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମର ଲକ୍ଷ୍ୟ, ଅର୍ଥର ସ୍ରୋତ, ବାର୍ଷିକ ବ୍ୟବବରାଦ, ଆଜି ପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଅର୍ଥ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ପାଇଁ ନୋଡାଲ ଅଫିସ ଗୁଡ଼ିକ, ଖର୍ଚ୍ଚରେ ସ୍ୱଚ୍ଛତା ପାଇଁ ନେଇଥିବା ପଦକ୍ଷେପ ତଥା ଏହି କାର୍ଯ୍ୟକ୍ରମ ଉପରେ ମନିଟରିଂ ଓ ସୁପରଭିଜନ ବ୍ୟବସ୍ଥାର ନିତିଗତ ଦିଗ ଗୁଡ଼ିକ କେବଳ ଜଣାଇବା ପାଇଁ କହିଛନ୍ତି । ମାତ୍ର ରାଜ୍ୟ ସରକାର ମିଛ ଆଳ ଦେଖାଇ ଶହ ଶହ କୋଟି ଟଙ୍କାର ଖର୍ଚ୍ଚକୁ ଅଡିଟରୁ ଦୂରେଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବିଶେଷ ଭାବରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ ଦେବ ସରକାରୀ ଦାୟିତ୍ୱ ନୁହେଁ ବିଜୁ ଜନତା ଦଳର ଏଜେଂଟ୍ ଭଳି ରାଜନୈତିକ ଏଜେଣ୍ଡାରେ କାମ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର