Connect with us

ଦେଶ

ସାମ୍ବାଦିକାଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଏମ୍.ଜେ ଆକବର

ସାଙ୍କେତିକ ଚିତ୍ର

ସାମ୍ବାଦିକାଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଏମ୍.ଜେ ଆକବର
ନୂଆଦିଲ୍ଲୀ,୧୫ା୧୦ : ‘ମି ଠୁ’ ଅଭିଯାନ କ୍ରମେ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍.ଜେ ଆକବର ରବିବାର ସ୍ପଷ୍ଟୀକରଣ ଦେବା ପରେ ସୋମବାର ଆଇନର ବାଟ ଆପଣାଇଛନ୍ତି । ସେ ଅଭିଯୋଗ କାରିଣୀ ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ।

ଆକବରଙ୍କ ଓକିଲ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଏହି ମକଦ୍ଦମା ରୁଜୁ କରିଛନ୍ତି । ସୂଚନାଥାଉ କି, ମନ୍ତ୍ରୀ ଏମ୍.ଜେ ଆକବରଙ୍କ ବିରୋଧରେ ୧୨ରୁ ଅଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିରୋଧୀ ଦଳ ଗୁଡିକ ମନ୍ତ୍ରୀ ପଦରୁ ଆକବରଙ୍କ ଇସ୍ତଫା ଏବଂ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି । ଆଫ୍ରିକା ଗସ୍ତରୁ ଫେରିବା ପରେ ରବିବାର ଆକବର ଏହା ଉପରେ ସ୍ପଷ୍ଟୀକରଣ ଦେବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ନିରାଧାର, ଏଥିରେ କାଣିଚାଏ ବି ସତ୍ୟ ନାହିଁ ବୋଲି ସେ କହିଥିଲେ । ଏପରିକି ଆଗକୁ ସେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଂଙ୍କେତ ଦେଇଥିଲେ । ଏହି କ୍ରମରେ ସୋମବାର ତାଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରାଯାଇଛି ।

ଆକବର ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, କିଛି ବର୍ଗର ଲୋକଙ୍କୁ ପ୍ରମାଣ ବିନା ଅଭିଯୋଗ ଲଗାଇବାର ସଂକ୍ରମିତ ଜ୍ୱର ହୋଇଯାଇଛି । ‘ମିଣ୍ଟ ଲାଉଞ୍ଜ’ର ପୂର୍ବତନ ସମ୍ପାଦକ ପ୍ରିୟା ରମାନି ସର୍ବପ୍ରଥମେ ମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାକୁ ଖଣ୍ଡନ କରି ଆକବର କହିଥିଲେ ଯେ, ବର୍ଷେ ତଳେ ପ୍ରିୟା ରମାଣି ଏକ ପତ୍ରିକାରେ ନିବନ୍ଧ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ । ସେତେବେଳେ ସେ ମୋ ନାମ ନେଇନଥିଲେ । କାରଣ ସେ ଜାଣିଥିଲେ ଏହା ଏକ ମିଥ୍ୟା କାହାଣୀ । ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ତଥା ‘ଏସିଆନ ଏଜ୍’ର ପୂର୍ବତନ ସମ୍ପାଦକ ଏମ.ଜେ ଆକବରଙ୍କ ବିରୋଧରେ ରମାନିଙ୍କ ସମେତ ୧୨ଜଣ ମହିଳା ସାମ୍ବାଦିକ ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି ।

ଅଭିଯୋଗ କରିଥିବା ମହିଳାମାନେ ଆକବରଙ୍କ ସହ କାର୍ଯ୍ୟ କରୁଥିଲେ । ଅଭିଯୋଗ କାରିଣୀଙ୍କ ମଧ୍ୟରେ ‘ଫୋର୍ସ’ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଗଜାଲା ୱାହାବ, ଆମେରିକା ସାମ୍ବାଦିକ ମଜିଲ ଡେ ଏବଂ ଇଂଲଣ୍ଡ ସାମ୍ବାଦିକା ରୁଥ ଡେଭିଡ ପ୍ରମୁଖ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ