Connect with us

ଅପରାଧ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ

ସାଙ୍କେତିକ ଚିତ୍ର

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ

‘ସୁନ୍ଦରୀ’ ବନ୍ଦୀ, ‘ମହାବୀର’ ମୃତ

ଭୁବନେଶ୍ୱର,୧୫ା୧୧ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଦେଖା ଦେଇଛି ଅନିଶ୍ଚିତତା । ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷର କର୍ତ୍ତୃପକ୍ଷ (ଏନ୍ଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି । କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ମହାବୀର’ ଗତକାଲି ଅତି ରହସ୍ୟଜନକ ଭାବେ ମୃତ୍ୟୁବରଣ କରିଛି ।

ଅପରପକ୍ଷେ ମଧ୍ୟପ୍ରଦେଶରୁ ଆସି ସାତକୋଶିଆ ଜଙ୍ଗଲରେ ଛଡା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ଦୁଇ ଦୁଇଟି ମଣିଷ ମାରିବା ଅପବାଦ ନେଇ ବନ୍ଦୀ । ଏ ପରିସ୍ଥିତିରେ ଆପଣାଛାଏଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହୋଇଯାଇଛି । ଏନେଇ ପିସିସିଏଫ୍ ଡ.ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ପାଇଁ ବନ୍ଦ କରି ଦିଆଯାଇଛି । ଏନ୍ଟିସିଏ ସହିତ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଗତକାଲି କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ମହାବୀର’ର ମୃତଦେହ ସାତକୋଶିଆର କୋର ଏରିଆରେ ପଡିଥିବା ଦେଖିବାକୁ ମିଳିଥିଲା । ମାତ୍ର ଅଢ଼େଇ ବର୍ଷର ଜୁଆନ ବାଘ ମହାବୀରକୁ ନେଇ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆଗେଇବ ବୋଲି ଆଶା କରି ତା’ ପାଖରେ ବାଘୁଣୀ ସୁନ୍ଦରୀକୁ ଆଣି ଛାଡିଥିଲେ । ମାତ୍ର ସୁନ୍ଦରୀ ଓ ମହାବୀରଙ୍କ ମିଳନ ପୂର୍ବରୁ ସୁନ୍ଦରୀ ଗାଁ ପାଖରେ ମଣିଷ ମାରିବା ଅଭିଯୋଗ ହୋଇଥିଲା । ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ଏନକ୍ଲୋଜର ଭିତରେ ରଖାଯାଇଛି ।

ତେବେ ଜାତୀୟ ବ୍ୟାଘ୍ର ସଂରକ୍ଷଣର କର୍ତ୍ତୃପକ୍ଷଙ୍କୁ ଜୋରରେ ଝଟକା ଲାଗିଥିଲା ଯେତେବେଳେ ଗତକାଲି ରାତିରେ ମହାବୀରର ମୃତ୍ୟୁ ଖବର ମିଳିଥିଲା । ମହାବୀର ବେକରେ ଗଭୀର କ୍ଷତ ହୋଇଥିବାରୁ ଏହାର ସଂକ୍ରମଣ ଯୋଗୁଁ ମହାବୀରର ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ କେଉଁ ପରିସ୍ଥିତିରେ ମହାବଳ ‘ମହାବୀର’ର ମୃତ୍ୟୁ ଘଟିଛି ତା’ର ତଦନ୍ତ ଅନୁଗୁଳ ଡିଏଫ୍ଓ କରିବେ ବୋଲି ପିସିସିଏଫ୍ ଡ. ତ୍ରିପାଠୀ କହିବା ସହିତ ସାମୟିକ ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ