Connect with us

ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ l

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ l

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୯ା୯: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣରେ ରିଲିଫ ସାମଗ୍ରୀର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ ଆଜି ରାତି ସୁଦ୍ଧା ଗୋପାଳପୁର ଅତିକ୍ରମ କରିବ । ଉପକୂଳ ଛୁଇଁବା ସମୟରେ ଏହା ବାତ୍ୟାରେ ପରିଣତ ହେବା ସହିତ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରେ ସଡକ ନଷ୍ଟ ହେବା ସହିତ ବିଜୁଳି ସରବରାହ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଇଞ୍ଜିନିୟରିଂ ବିଭାଗ ଗୁଡିକ ଆଗୁଆ ପଦକ୍ଷେପ ନେଇ ତୁରନ୍ତ ମରାମତି କରି ସମସ୍ତ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷକରି ହସ୍ପିଟାଲ ଓ ଜଳଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ୫ଟି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ୨୧ ତାରିଖ ସରକାରୀ ଛୁଟି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ଅନ୍ୟ ଜିଲ୍ଲା ଗୁଡିକରେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବୈଠକର ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ରାଜ୍ୟର ଓଡ୍ରାଫ ଓ ଏନଡିଆରଏଫ ଟିମ୍ ଗୁଡିକ ପ୍ରସ୍ତୁତ ଅଛନ୍ତି । ରିଲିଫ ସାମଗ୍ରୀ ସହିତ ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ