Connect with us

ଦେଶ

ଲୋକସଭାରେ ତିନି ତଲାକ ବିଲ୍ ପାରିତ

ସାଙ୍କେତିକ

ଲୋକସଭାରେ ତିନି ତଲାକ ବିଲ୍ ପାରିତ
ନୂଆଦିଲ୍ଲୀ,୨୭ା୧୨ : ବହୁପ୍ରତୀକ୍ଷିତ ତିନି ତଲାକ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଯାଇଛି । ଏବେ ଏହାକୁ ରାଜ୍ୟସଭାରେ ମଞ୍ଜୁରୀ ପାଇଁ ଉପସ୍ଥାପନ କରାଯିବ । ଏହାପରେ ଯାଇ ଏହି ବିଲ୍ ଆଇନର ରୂପ ନେବ । ଗୃହରେ ଉପସ୍ଥାପିତ ୨୫୬ ସାଂସଦଙ୍କ ମଧ୍ୟରୁ ୨୪୫ ସଦସ୍ୟ ଏହା ସପକ୍ଷରେ ମତଦାନ କରିଥିବା ବେଳେ ୧୧ଜଣ ସଦସ୍ୟ ଏହା ବିରୋଧରେ ଭୋଟ୍ ଦେଇଥିଲେ । ଏହାସହିତ ଗୃହରେ ଅସାଦୁଦ୍ଦିନ୍ ଓୱିସିଙ୍କ ତିନୋଟି ସଂଶୋଧନ ପ୍ରସ୍ତାବ ମଧ୍ୟ କାଟ୍ ଖାଇଯାଇଛି । ଅନେକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିନାହିଁ । କଂଗ୍ରେସ ଓ ଏଆଇଏଡିଏମକେ ଏହି ବିଲ୍ ବିରୋଧରେ କକ୍ଷ ତ୍ୟାଗ କରିଥିଲେ ଏବଂ ମତଦାନ ସମୟରେ ଉପସ୍ଥିତ ନଥିଲେ । ଏହାସହିତ ସମାଜବାଦୀ ପାର୍ଟିର ସାଂସଦ ମଧ୍ୟ ଏହି ଭୋଟିଂରେ ଅଂଶ ଗ୍ରହଣ କରିନଥିଲେ । ଏହି ବିଲ୍ ବିରୋଧରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବ ଗୃହରେ କାଟ୍ ଖାଇ ଯାଇଛି ।

ଏହାପୂର୍ବରୁ ୨୦୧୭ ଡିସେମ୍ବରରେ ମଧ୍ୟ ଲୋକସଭାରେ ତିନି ତଲାକ ବିଲ୍କୁ ମଞ୍ଜୁରୀ ମିଳିଥିଲା, ମାତ୍ର ରାଜ୍ୟସଭାରେ ଏହା ପାରିତ ହୋଇପାରି ନଥିଲା । ଏହାପରେ ସରକାରଙ୍କୁ ତିନି ତଲାକ ଉପରେ ଅଧ୍ୟାଦେଶ ଆଣିବାକୁ ପଡିଥିଲା । ଏବେ ସରକାର ପୁଣିଥରେ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପନ କରିଥିଲେ । ଏବେ ଲୋକସଭାରେ ତିନି ତଲାକକୁ ଅପରାଧ ଦର୍ଶାଯାଉଥିବା ବିଲ୍ ମଞ୍ଜୁରୀ ମିଳିବା ପରେ ରାଜ୍ୟସଭାରେ ଏହାକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । କାରଣ ଉଚ୍ଚ ସଦନରେ ଏନଡିଏ ବହୁମତ ନାହିଁ । ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍କୁ ଉପସ୍ଥାପନ କରି କହିଥିଲେ ଯେ, ଏହା କୌଣସି ସମ୍ପ୍ରଦାୟ ଧର୍ମ କିମ୍ବା ଆସ୍ଥାର ବିରୁଦ୍ଧାଚରଣ କରୁନାହିଁ । ମାନବିକତା ଏବଂ ମୁସଲମାନ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ଉଦ୍ଦିଷ୍ଟ । ୨୦ଟି ମୁସଲମାନ ଦେଶରେ ତିନି ତଲାକ ନିଷିଦ୍ଧ କରାଯାଇଥିବା ବେଳେ ଭାରତ ଭଳି ଧର୍ମ ନିରପେକ୍ଷ ଦେଶରେ ଏହାକୁ କାହିଁକି ଲାଗୁ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ ।

ପୂର୍ବରୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ସମ୍ବିଧାନ ସମ୍ପର୍କିତ ହୋଇଥିବାରୁ ଏହା ଉପରେ ଆମୂଳଚୂଳ ତର୍ଜମା ପାଇଁ କହିଥିଲେ । ଏହି ବିଲକୁ ଯୁଗ୍ମ ଚୟନ କମିଟି ନିକଟକୁ ପଠାଇବା ପାଇଁ ସେ ଦାବି କରିଥିଲେ । ତୃଣମୂଳ କଂଗ୍ରେସର ସୁଦୀପ୍ ବନ୍ଦୋପାଧ୍ୟାୟ, ଏଆଇଏଡିଏମକେର ପି.ବେଣୁଗୋପାଳ, ସିପିଆଇଏମର ପି.କରୁଣାକରନ୍, ଆର୍ଜେଡିର ଜୟପ୍ରକାଶ ନାରାୟଣ ଯାଦବ, ଆମ୍ ଆଦମି ପାର୍ଟିର ଭଗବତ ମାନ୍, ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ, ଏମ୍ଆଇଏମର ଅସାଦୁଦ୍ଦିନ୍ ଓୱିସି ଏବଂ ଅନ୍ୟମାନେ ଯୁଗ୍ମ ଚୟନ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଥିଲେ । ବିଜେପିର ମୀନାକ୍ଷି ଲେଖି କହିଥିଲେ ଯେ, ଏହି ବିଲ୍ ହେଉଛି ଦଣ୍ଡ ପ୍ରଦାନକାରୀ, ପୁନଃଗଠନକାରୀ ଓ ସଂସ୍କାରବାଦୀ ।

କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି, ୧୯୮୬ ମସିହାର ମୁସଲମାନ ମହିଳାମାନଙ୍କ ପାଇଁ ଯେଉଁ ଆଇନ୍ ପ୍ରଣୟନ କରାଯାଇଥିଲା ସେଥିରେ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଆଦୌ ଲକ୍ଷ୍ୟ ନଥିଲା କେବଳ ସେମାନଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟ ଥିଲା । ବିତର୍କରେ ଅଂଶଗ୍ରହଣ କରି ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁକ୍ତାର ଆବାସ ନକବି ତତ୍କାଳ ତିନି ତଲାକ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଦାବି ଉପସ୍ଥାପନ କରି କହିଥିଲେ, ସମାଜରେ ଥିବା କୁସଂସ୍କାରକୁ ଦୂର କରିବା ଏହି ବିଲ୍ର ଲକ୍ଷ୍ୟ ବୋଲି ସେ ମତ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ