Connect with us

ଓଡିଶା

ରାଜ୍ୟରେ ଜଣେ ବି ଗରିବ ଲୋକ ଖାଦ୍ୟ ଅଧିକାରରୁ ବଂଚିତ ହେବନି : ନବୀନ

ସାଙ୍କେତିକ ଚିତ୍ର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ
ରାଜ୍ୟରେ ଜଣେ ବି ଗରିବ ଲୋକ ଖାଦ୍ୟ ଅଧିକାରରୁ ବଂଚିତ ହେବନି : ନବୀନ
ଭୁବନେଶ୍ୱର : ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ମଙ୍ଗଳବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଆସନ୍ତାକାଲିଠାରୁ ମାସିକ ମୁଣ୍ଡ ପିଛା ୧ଟଙ୍କା ଦରରେ ୫ କିଲୋଗ୍ରାମ ଚାଉଳ ମିଳିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଲୋକଙ୍କ ସେବା ପାଇଁ କେବେ ହେଲେ ଟଙ୍କାର ଅଭାବ ରହିବ ନାହିଁ । ଓଡ଼ିଶାବାସୀଙ୍କ ଟଙ୍କା ଓଡ଼ିଶାବାସୀ ପାଇଁ ହିଁ ଖର୍ଚ୍ଚ କରାଯାଉଛି । ରାଜ୍ୟର ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରେ ବଂଚିତ ହେବାକୁ ଦିଆଯିବନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ରାଜ୍ୟରେ ଯେତେବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହେଲା, ସେତେବେଳେ ଓଡ଼ିଶାର ବହୁ ଲୋକ ଏହି ସୁବିଧା ପାଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କୁ ମଧ୍ୟ ସେ ଏଥିପାଇଁ ବହୁବାର ଅନୁରୋଧ କରିଛନ୍ତି । ସାଧାରଣ ଲୋକମାନେ ଯେତେବେଳେ ତାଙ୍କୁ ଭେଟନ୍ତି, ସେମାନେ ଏଥିପାଇଁ ତାଙ୍କୁ ଅନୁରୋଧ କରନ୍ତି । ଆଜି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ । ରାଜ୍ୟର ୨୫ଲକ୍ଷରୁ ଅଧିକ ଲୋକ ଏହି ସୁବିଧା ପାଇବେ । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାର ହିତାଧିକାରୀମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ବଲାଙ୍ଗିରର ବଙ୍ଗମୁଣ୍ଡା, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ମୟୂରଭଞ୍ଜର ଖୁଣ୍ଟା ଓ ବାଲେଶ୍ୱରର ଜଳେଶ୍ୱରରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ବଙ୍ଗମୁଣ୍ଡାର ଅନୁଛାୟା କୁମ୍ଭାର, ରାଜଗାଙ୍ଗପୁର ଇନ୍ଦୁମତୀ ସ, ଖୁଣ୍ଟାର ମାମା ମୁର୍ମୁ ଏବଂ ଜଳେଶ୍ୱରର ଜଣେ ଭିନ୍ନକ୍ଷମ ଆନନ୍ଦ ମୁଖୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହି ସୁବିଧା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜି ହେଉଛି ଗାନ୍ଧି ଜୟନ୍ତୀ । ସାରା ବିଶ୍ୱ ଆଜି ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି । ଏହି ଶୁଭ ଅବସରରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି । ୨୦୦୮ରେ ରାଜ୍ୟ ସରକାର କେଜି ଦୁଇ ଟଙ୍କାରେ ଏବଂ ୨୦୧୩ରୁ କେଜି ଏକ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଦେଉଛନ୍ତି ।

୨୦୧୪ ନିର୍ବାଚନରେ ଆମେ ରାଜ୍ୟର ନିଜ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ପ୍ରତିଜ୍ଞା କରିଥିଲୁ । ଆଜି ଆମେ ଆମ କଥା ରଖିପାରିଛୁ । ଏଥିପାଇଁ ମୁଁ ବହୁତ ଖୁସି । ରାଜ୍ୟର ବର୍ତ୍ତମାନ ୨୫ଲକ୍ଷ ଗରିବ ଲୋକ ଏହି ଯୋଜନାର ସୁବିଧା ପାଇବେ । କେଜି ଏକ ଟଙ୍କାରେ ଚାଉଳ ପାଇବେ । ଖାଦ୍ୟ ସୁରକ୍ଷା ଆପଣମାନଙ୍କ ଅଧିକାର ।

ଆମ ସରକାର ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବ । ୨୦୧୪ରେ ରାଜ୍ୟରେ ନ୍ୟାସନାଲ ଫୁଡ୍ ସିକ୍ୟୁରିଟ୍ ଆକ୍ଟ କାର୍ଯ୍ୟକାରୀ ହେଲା । କିନ୍ତୁ ବହୁ ଲୋକ ଏହି ସୁବିଧା ପାଇପାରୁ ନଥଲେ । ଏଥିପାଇଁ ମୁଁ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି । ମୁଁ ଯେତେବେଳେ ସାଧାରଣ ଲୋକଙ୍କୁ ଭେଟିଛି, ସେତେବେଳେ ବହୁ ଲୋକ ଏହି ସୁବିଧା ପାଇଁ ମୋତେ ଅନୁରୋଧ କରୁଥିଲେ । ଆଜି ସେ ଗରିବ ଲୋକମାନଙ୍କ କଥା ମୁଁ ରଖିପାରିଛି । ଏହା ମୋତେ ବହୁତ ଖୁସି ଦେଇଛି ବୋଲି ମୁଖମନ୍ତ୍ରୀ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା