Connect with us

ଅପରାଧ

‘ମ୍ୟାଜିକ ପେନ୍’ ଆକାଉଣ୍ଟ ଧାରୀଙ୍କୁ ଦେଲା ‘ପେନ’ !

ସାଙ୍କେତିକ ଚିତ୍ର

‘ମ୍ୟାଜିକ ପେନ୍’ ଆକାଉଣ୍ଟ ଧାରୀଙ୍କୁ ଦେଲା ‘ପେନ’ !
ରାଜଧାନୀ ପୋଲିସ ଖୋଜୁଛି ଏହାର ‘ଚେନ’ !
ଭୁବନେଶ୍ବର:- ଯଦି କାହାକୁ ଆପଣ ଚେକ୍ ଦେଉଛନ୍ତି ତେବେ ଚେକଟିକୁ ସଂପୂର୍ଣ୍ଣ ଭାବେ ନିଜ ପେନରେ ହିଁ ପୂରଣକରି ବ୍ୟବହାର କରନ୍ତୁ । ନଚେତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଶୂନ ହୋଇଯାଇପାରେ । ଏଭଳି ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ୍ ଏବେ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ । ରାଜଧାନୀରେ ଏଭଳି ଅଭିଯୋଗ ବଢ଼ିବା ପରେ କମିସନରେଟ୍ ପୁଲିସ ଟେନସନରେ ଅଛି । ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଂଚଳ ସ୍ଥିତ ଜଗନ୍ନାଥ ଗ୍ରାଫିକ୍ସର ମାଲିକ ରଞ୍ଜନ କୁମାର ମଲ୍ଲ ଏଭଳି ଠକାମିର ଶିକାର ହୋଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ , ଠକଜଣକ ତାଙ୍କ ଆକାଉଣ୍ଟରୁ ୧.୫ ଲକ୍ଷ ଟଙ୍କା ଚେକ ମାଧ୍ୟମରେ ଉଠାଇ ନେଇଛି । ଏନେଇ ରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଛାନଭିନ ଆରମ୍ଭ କରିଦେଇଛି । ରଞ୍ଜନଙ୍କ ଅଭିଯୋଗ ଅନୁସାରେ, ଗତ କିଛି ଦିନ ତଳେ ଜଣେ ଓଡ଼ିଆ ଯୁବକ ଫୋନ୍ କରି ନିଜକୁ ଏକ ନିର୍ଦିଷ୍ଟ ବ୍ୟାଙ୍କର ମ୍ୟାନେଜର୍ ବୋଲି ପରିଚୟ ଦେଇ କହିଥିଲା, ଆମର ବ୍ରାଞ୍ଚ ମ୍ୟାନେଜର ଆପଣଙ୍କ ସହିତ ବ୍ୟାଙ୍କ ଋଣ ସମ୍ବନ୍ଧରେ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି । ବୁଧବାର ଅପରାହ୍ଣରେ ଫୋନ୍ କରି ଜଣେ ଅଣଓଡ଼ିଆ ଯୁବକ ରଞ୍ଜନଙ୍କ ବମିଖାଲ କାର୍ଯ୍ୟାଳୟକୁ ଆସିଥିଲେ ।

କୋର୍ଟ ଟାଇ ପିନ୍ଧି ଆସିଥିବା ଏହି ଯୁବକଜଣଙ୍କ ନିଜକୁ ବ୍ୟାଙ୍କ ମ୍ୟାନେଜର୍ ବୋଲି ପରିଚୟ ଦେଇ ରଞ୍ଜନଙ୍କୁ କହିଥିଲାଯେ , ଆପଣଙ୍କର ଭଲ ବ୍ୟବସାୟ ଚାଲିଛି ଓ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ୧୦ ଲକ୍ଷ ଟଙ୍କାର ସିସି ଋଣ ପ୍ରଦାନ କରାଯାଇପାରିବ । ୧୦ ଲକ୍ଷ ଟଙ୍କା ଋଣ ନେବାକୁ ହେଲେ ଅତି କମରେ ୧.୫ ଲକ୍ଷ ଟଙ୍କାର ବାଲାନ୍ସ ଥିବା ଯେକୌଣସି ବ୍ୟାଙ୍କ ଆକାଉଣ୍ଟର ଏକ କ୍ୟାନସେଲ ଚେକ୍ ଦେବାକୁ ପଡ଼ିବ । ଏଥିପାଇଁ ସେ ରଂଜନଙ୍କ ଆଧାରକାର୍ଡ, ପ୍ୟାନକାର୍ଡ, ଫଟୋ, ବିଦ୍ୟୁତ୍ ବିଲର ଜେରକ୍ସ କପି ସହିତ ଆଇଡିବିଆଇ ବ୍ୟାଙ୍କର ଏକ କ୍ୟାନସଲ ଚେକ ନେଇଥିବାବେଳେ ଚେକକୁ କ୍ୟାନସେଲ କରିବା ବେଳେ ଠକ ଜଣକ ନିଜ ପକେଟରୁ ପେନ୍ ବାହାର କରି ରଞ୍ଜନଙ୍କୁ ଦେଇଥିଲା । ରଂଜନ ସେହି ପେନରେ ଦସ୍ତଖତ କରିବା ସହ ଚେକଟିକୁ କ୍ୟାନସେଲ କରି ଦେଇଥିଲେ ।

ଆଜି ସକାଳୁ ପୁଣି ଥରେ ସେହି ଠକ ରଞ୍ଜନଙ୍କୁ ଫୋନ୍ କଲ କରି କହିଥିଲା, ଆପଣଙ୍କ ଆକାଉଣ୍ଟ ଏବେ ଲଗ୍-ଇନ ହେବ । ଆପଣ ଫୋନ୍ ଲାଇନରେ କିଛି ସମୟ ରୁହନ୍ତୁ । ଏହି ସମୟରେ ଠକଜଣକ ରଞ୍ଜନଙ୍କ ସହିତ ମୋବାଇଲରେ ଗପିବା ଆରମ୍ଭ କରିଥିଲା । କିଛି ସମୟ ପରେ ରଞ୍ଜନଙ୍କ ଫୋନ ମନକୁ ମନ କଟି ଯାଇ ମୋବାଇଲକୁ ଏକ ଏସ୍ଏମ୍ଏସ୍ ଆସିଥିଲା ଯେ, ତାଙ୍କ ଆକାଉଣ୍ଟରୁ ୧.୫ଲକ୍ଷ ଟଙ୍କା ଉଠାଯାଇଛି ।

ରଞ୍ଜନ ତୁରନ୍ତ ବ୍ୟାଙ୍କକୁ ଯାଇ ପଚରାଉଚରା କରିବା ବେଳେ ଜାଣିବାକୁ ପାଇଥିଲେଯେ , ସେହି ଠକଜଣକ ଚେକ୍ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛି । ବ୍ୟାଙ୍କରେ ଠକ ଜଣକ ନିଜକୁ ‘ପ୍ରଦୀପ୍ତ ବାନାର୍ଜି ‘ ବୋଲି ପରିଚୟ ଦେବା ସହ ପ୍ୟାନକାର୍ଡର ଜେରକ୍ସ ମଧ୍ୟ ଦେଇଛି । ରଞ୍ଜନ ଲକ୍ଷ୍ମୀସାଗର ଥାନାକୁ ଯାଇ ଏତଲା ଦେଇଥିଲେ । ଗତ କିଛି ଦିନ ମଧ୍ୟରେ ରାଜଧାନୀ ସମେତ ରାଜ୍ୟ ତଥା ଦେଶର ଅନ୍ୟ କେତେକ ସହରରେ ମଧ୍ୟ ଲୋକମାନେ ଏଭଳି ଠକେଇର ଶିକାର ହେଉଛନ୍ତି ।

ଏହିଭଳି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିବା ଏକ ଗ୍ୟାଙ୍ଗକୁ କିଛି ଦିନ ତଳେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ସେହି ଗ୍ୟାଙ୍ଗ ଜାମିନରେ ଆସି ଭୁବନେଶ୍ବରରେ ଏଭଳି ଠକେଇ କରୁ ଥାଇପାରନ୍ତି କିମ୍ବା ଅନ୍ୟ କୋଉ ନୂତନ ଗ୍ୟାଙ୍ଗ ଏଭଳି ପ୍ରକ୍ରିୟାକୁ ଆପଣାଇ ଥାଇପାରନ୍ତି । ତେବେ ଖୁବଶୀଘ୍ର ଏହି ଠକାମିର ରହସ୍ୟ ଉନ୍ମୋଚନ ହେବ ବୋଲି ଡିସିପି ଅନୁପ ସାହୁ ଆଶା ପ୍ରକାଶ କରିଛନ୍ତି ।
ଏହି ‘ମ୍ୟାଜିକ ପେନ’ର ଵିଶେଶ୍ୱତ କଣ ?
ଏହି ପେନର ବିଶେଷ୍ୟତ୍ୱ ହେଲା ଏଥିରେ ଲେଖା ଯାଇଥିବା ସଂପୂର୍ଣ୍ଣ ତଥ୍ୟ ପରେ ଲିଭା ଯାଇ ପାରିବ । ଏହି ମ୍ୟାଜିକ୍ ପେନରେ କିଛି ଲେଖିବା ପରେ ସେହି କାଗଜର ତଳ ଭାଗରେ ଲାଇଟର୍ ଜଳାଇଲେ, ତାହା ସଂପୂର୍ଣ୍ଣ ଲିଭି ଯାଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ଆପଣଙ୍କ ଦସ୍ତଖତକୁ ଛାଡ଼ି ବାକି ସବୁ ଲେଖା ଲିଭାଇଦେଇ ନିଜ ଇଛା ଅନୁସାରେ ପରିବର୍ତନ ବ୍ୟବହାର କରିପାରିବ । ଯଦି କୌଣସି ବ୍ୟକ୍ତି ଉକ୍ତ ପେନରେ ଚେକ୍ କ୍ୟାନସେଲ କରି କୌଣସି ବ୍ୟକ୍ତିକୁ ଦେଇଥାନ୍ତି ତେବେ ଏହି ଚେକକୁ ଉପରୋକ୍ତ ପ୍ରକ୍ରିୟା ଦ୍ୱାରା ସମ୍ପୂର୍ଣ ବଦଳାଯାଇପାରିବ । ତେଣୁ ଅନ୍ୟ କାହାର ପେନ ବ୍ୟବହାର କରିବା ଉଚିତନୁହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ