Connect with us

ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ “ତିତ୍ଲି’ ସମୀକ୍ଷା

ସାଙ୍କେତିକ ଚିତ୍ର

ମୁଖ୍ୟମନ୍ତ୍ରୀଙ୍କ “ତିତ୍ଲି’ ସମୀକ୍ଷା
କ୍ଷତିଗ୍ରସ୍ତଙ୍କୁ ଯୋଗାଇ ଦିଆଯିବ ସମସ୍ତ ସୁବିଧା
ଭୁବନେଶ୍ୱର,୧୫ା୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତଲି ପରବର୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଆଜି ଗଜପତି ଜିଲ୍ଲା ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ଏକହଜାର ଟଙ୍କା, ୫୦ କେ.ଜି. ଚାଉଳ ଓ ଅଢ଼େଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖୁବଶୀଘ୍ର ଆଉ ଦୁଇହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରାଯିବ । ବୈଠକର ଆଲୋଚନାରୁ ଜଣାଯାଇଛି ଯେ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକରେ ପରିସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ ଯୋଗାଇ ଦିଆଯାଉଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ପଲିଥିନ ଆବଂଟନ କରାଯିବ । ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ପୁନଃ ସ୍ଥାପିତ ହେବ ।

ଅନ୍ୟାନ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତାକାଲି ସୁଦ୍ଧା ପୁନଃ ସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବ୍ୟାପକ କ୍ଷତି ଯୋଗୁ ବାକି ସ୍ଥାନଗୁଡ଼ିକ ପାଇଁ ଦୁଇ ତିନିଦିନ ସମୟ ଲାଗିବ । ବାତ୍ୟା ଓ ପରବର୍ତି ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡ଼କ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି । ପୂର୍ତ ବିଭାଗ ରାସ୍ତାଗୁଡ଼ିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡ଼ିକର ମରାମତି ପାଇଁ ତିନିଦିନ ସମୟ ଲାଗିବ ଏବଂ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତମ ସେବା ଯୋଗାଇ ଦିଆଯାଉଛି । ହସପିଟାଲ ଓ ମୋବାଇଲ ହେଲଥ ୟୁନିଟଗୁଡ଼ିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଂଟନ କରାଯାଉଛି ଏବଂ ବିଭିନ୍ନ ସଂକ୍ରାମକ ରୋଗ ସମ୍ପର୍କରେ ଡାକ୍ତରମାନେ ସତର୍କତା ମୂଳକ ପଦକ୍ଷେପ ନେବା ସହିତ ଲୋକଙ୍କୁ ସଚେତନ କରାଯାଉଛି ।

ରାଜ୍ୟର ୧୬ଟି ଜିଲ୍ଲାର ୧୧୪ଟି ବ୍ଲକର ୫୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାନ ଓ ଅଣ ଧାନ ଚାଷରେ ବ୍ୟାପକ ଭାବରେ କ୍ଷତି ଘଟିଛି । ୧,୪୮,୦୦୦ ହେକ୍ଟର ଧାନ ଫସଲ ଓ ୬୫,୦୦୦ ହେକ୍ଟର ଅଣ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ପ୍ରଦାନ କାମ ଆରମ୍ଭ ହୋଇଯାଇଛି ।

ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ପରିସ୍ଥିତି ସ୍ୱାଭାବିକ ହେଲାଣିବୋଲି ବୈଠକରେ ସୂଚନା ଦିଆଯାଇଥିଲା । କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ