Connect with us

ଅପରାଧ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ

ସାଙ୍କେତିକ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ
କେନ୍ଦ୍ରାପଡା,୭ା୧ : ୫ ନଂ (କ) ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ରୟାଲ ଡ୍ୟାନ୍ସ ଗୃପର କଳାକାରମାନେ ଯାଜପୁର ଜିଲ୍ଲାର ପାଣି କୋଇଲି ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଏକ କାର (ଓଡି-୩୩-ଏସ ୮୧୫୪) ଯୋଗେ ଫେରୁଥିବା ବେଳେ ଅଳାବାଙ୍କ ଛକ ନିକଟରେ ଥିବା ଓଜନ କଣ୍ଟା ପାଖରେ ରବିବାର ରାତି ପ୍ରାୟ ୨ଟା ସମୟରେ ସମ୍ମୁଖ ଭାଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେବା ଫଳରେ କାରଟି ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ କାରରେ ଥିବା ୪ ଜଣ ଯୁବକଙ୍କ ସମେତ କାର ଚାଳକ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ।

ଖବର ପାଇ ଡେରାବିଶ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କାର ଡୋରକୁ କାଟି କାର ଭିତରୁ ମୃତ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏଥି ସହିତ ଗୁରୁତର ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣିଥଲେ । ମୃତ ଯୁବକ ମାନେ ହେଲେ ରାଜନଗର ବ୍ଲକ ଅନ୍ତର୍ଗତ ଗୋପାଳ ଗ୍ରାମର ଶରତ ଜେନାଙ୍କ ପୁଅ ରାଜେଶ (୨୨), କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନକିରାଇ ଗ୍ରାମର ଅମରେନ୍ଦ୍ର ଶତପଥୀଙ୍କ ପୁଅ ଜୀବନ ଜ୍ୟୋତି(୧୫), ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବେଳତଳ ଗ୍ରାମର ଅମୁଲ୍ୟ ସେଠୀଙ୍କ ପୁଅ ଦେବାଶିଷ (୨୨) ଓ କାଳିସି ଗ୍ରାମର ନିରଞ୍ଜନ ଧଳଙ୍କ ପୁଅ ଦିପକ(୧୮) ହୋଇଥିବା ବେଳେ ମୃତ ଗାଡି ଚାଳକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ରଘୁନାଥ ସାହୁଙ୍କ ପୁଅ ହରେକୃଷ୍ଣ (୧୮) ।

ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନୁଗୁଳ ଅଞ୍ଚଳର ଅନୁଭବ ମହାନ୍ତିଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ ଡେରାବିଶ ଥାନା ଅଧିକାରୀ ସୁଧୀର କୁମାର ସାହୁ, ଏସଆଇ ବିଜୟ କୁମାର ଖଟୁଆ ଏକ ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ କାରଟିକୁ ଜବତ କରିଥିବା ବେଳେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ସୋମବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ପହଞ୍ଚି ମୃତକଙ୍କ ପରିବାରର ସମ୍ପର୍କୀୟଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ସେହିପରି ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ରାଜେଶ ଦାସ ମୃତକଙ୍କ ଶେଷକୃତ୍ୟ ପାଇଁ ସହାୟତା ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଗୁଲନଗର ସରପଞ୍ଚ ପିତବାସ ବେହୁରା, ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ସମେତ ବହୁ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ । ବ୍ୟବଛେଦ ପରେ ପରିବାରଙ୍କୁ ମୃତକଙ୍କ ଶବ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ