Connect with us

ଦେଶ

ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ସାଙ୍କେତିକ

୨୭.୮୪ଲକ୍ଷ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
– ଦେଶର ୧୨ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ମିଳିବ ବାର୍ଷିକ ୬ ହଜାର ଟଙ୍କା
– ତଫସିଲଭୁକ୍ତ ଜାତି ଓ ଉପଜାତିର କଲ୍ୟାଣ ପାଇଁ ୧୨୬,୮୮୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
– ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍
– ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ /ଭୁବନେଶ୍ୱର,୦୧ ଫେବୃଆରୀ – କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଶୁକ୍ରବାର ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଅନୁସାରେ ବିତୀୟ ନିଅଂଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି ।
ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ୍ ଅଭିଭାଷଣ ପ୍ରଦାନ ବେଳେ ମଧ୍ୟମବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି । ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ । ଏହି କାର୍ଯ୍ୟକ୍ରମ ଲାଗି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ୨୦୧୯-୨୦ ଆର୍ଥିକ ବର୍ଷଲାଗି ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ୨୦୧୮ ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ ।
ଏହାସହ ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ । ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ । ଦେଶରେ ପ୍ରଥମ ଥରପାଇଁ ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିବା ବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି ।
ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିôବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିଷ୍ପତି ଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।
ନୂତନ ବଜେଟରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ । ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ -୧୮ ଚଳାଚଳ କରିବ । ଏହି ଟ୍ରେନ୍ର ନାମ ରଖାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍ ।’
ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି ।
ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବଜେଟ୍ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହାକି, ଚଳିତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି ଚଳିତ ୨୦୧୮-୧୯ ବର୍ଷର ବଜେଟ୍ଠାରୁ ୨୮ ପ୍ରତିଶତ ଅଧିକ । ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ସେହିପରି ଶ୍ରମିକମାନଙ୍କ ସକାଶେ ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା “ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଧନ୍ ଯୋଜନା”ର ଘୋଷଣା କରାଯାଇଛିା ଏଥିରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାର ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ମିଳିବ । ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତିରେ ଲାଗୁ କରାଯିବ । ବଜେଟ୍ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ଉଜ୍ୱଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷସୁଦ୍ଧା ଦେଶରେ ୮କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ବର୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି ।
ଦେଶରେ ସୌରଶକ୍ତି ଉତ୍ପାଦନ ୧୦ଗୁଣ ବୃଦ୍ଧି ପାଇଛି । ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି । ଏବେ କେନ୍ଦ୍ର ସରକାର ୧ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଆଗାମୀ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ୱଳ ଭବିଷ୍ୟତ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଏବେ ଜିଏସ୍ଟି ରିଟର୍ଣ୍ଣ ଦାଖଲକୁ ସଂପୂର୍ଣ୍ଣରୂପେ ଅନ୍ଲାଇନ୍ କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍ ଲାଗି ୨୪ ଘଂଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାର ମଧ୍ୟବିତ ପରିବାର ମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦକୁ ଟିକସ ହାର କମ୍ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି ।
ଦେଶକୁ ଏକ ନୂତନ ଶୀଖରରେ ପହଂଚାଇବା ପାଇଁ ଏବଂ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟ୍ରେ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି । ଏଗୁଡ଼ିକ ହେଲା –(୧) ଭୌତିକ ଓ ସାମାଜିକ ଭିତିଭୂମି ନିର୍ମାଣ, (୨) ଡିଜିଟାଲ ଭାରତ ଓ ଅର୍ଥ ବ୍ୟବସ୍ଥାର ଭିତିଭୂମିକୁ ସୁଦୃଢ କରିବା, (୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ, (୪) ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ, (୫) ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, (୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ, (୭) ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପଦାର୍ପଣ କରାଇବା, (୮) ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା, (୯) ସ୍ୱାସ୍ଥ୍ୟପ୍ରଦ ଭାରତ ଏବଂ (୧୦) ଛୋଟ ସରକାର, ସର୍ବୋତମ ପ୍ରଶାସନ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ