Connect with us

ଆଞ୍ଚଳିକ

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ l

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ l

ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା : ନବୀନ
ଭୁବନେଶ୍ୱର,୩୧ା୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀରଠାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିପାରିବ । ସନ୍ଥକବି ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୀମ ଭୋଇ ସାରା ଜଗତକୁ ମାନବ ଧର୍ମର ବାର୍ତ୍ତା ଦେଇଥିଲେ । ତାଙ୍କ ଆଦର୍ଶରେ ସମାଜ ପାଇଁ କିଛି ଅବଦାନ ରଖିବା ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ ସଶକ୍ତିକରଣ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ୨୦୦୦ ମସିହାରେ ରାଜ୍ୟର ସମୁଦାୟ ଏମ୍.ବି.ବି.ଏସ୍ ଆଇନ୍ ସଂଖ୍ୟା ୩୨୧ ଥିବା ବେଳେ, କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଭୀମ ଭୋଇ ମେଡିକାଲ କଲେଜର ଲୋକାର୍ପଣ ପରେ ଏହି ଆସନ ସଂଖ୍ୟା ୯୫୦କୁ ବୃଦ୍ଧି ପାଇଛି । ଆସନ୍ତା ମାସରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଲୋକାର୍ପିତ ହେବା ପରେ ରାଜ୍ୟର ଏମ୍.ବି.ବି.ଏସ୍ ଆସନ ସଂଖ୍ୟା ୧୦୫୦ ଟପିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ନିଜ ବୃତ୍ତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବ । ସୂଚନାଯୋଗ୍ୟ ଯେ, ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୨୨ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୩ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ୮୩ କୋଟି ଓ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି । ଏହାସହିତ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଅଧ୍ୟାପକ ଓ ଡାକ୍ତରଙ୍କ ଦରମା ଓ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ କଳିକେଶ ନାରାୟଣ ସିଂହଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ