Connect with us

ଦେଶ

ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ l

ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ l

ନୂଆଦିଲ୍ଲୀ,୧୬ା୮ : ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଅଟଳ ବିହାରୀ ବାଜପେୟୀଙ୍କ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ କିଛିବର୍ଷ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ମଧ୍ୟରେ ଗତି କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ଚଳିତ ବର୍ଷ ଜୁନ୍ ୧୧ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଏମ୍ସରେ ଚିକିତ୍ସାଧୀନ ଥିଲେ । ବାଜପେୟୀ ବୃକକରେ ସଂକ୍ରମଣ, ଛାତିରେ କଫ ଜମିବା ଓ ମୂତ୍ର ସଂକ୍ରମଣ ଭଳି ସମସ୍ୟାର ଦେଇ ଗତି କରୁଥିଲେ । ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସରେ ପହଂଚିବା ପରେ ଅଟଳ ବିହାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡିଥିବା ପ୍ରଚାର ହୋଇଥିଲା । ଗୁରୁବାର ସକାଳ ହସ୍ପିଟାଲ ବୁଲେଟିନରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଥିଲା । ଗୁରୁବାର ସଂଧ୍ୟା ୫ଟା ୦୫ ମିନିଟ୍ଷର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ମଧ୍ୟପ୍ରଦେଶର ଗ୍ୱାଲିୟରରେ ୧୯୨୪ ଡିସେମ୍ବର ୨୫ ତାରିଖରେ ଅଟଳ ବିହାରୀ ବାଜପେୟୀ ଜନ୍ମଲାଭ କରିଥିଲେ । ତାଙ୍କ ବାପା ପଣ୍ଡିତ କୃଷ୍ଣବିହାରୀ ବାଜପେୟୀ ଗ୍ୱାଲିୟରରେ ଅଧ୍ୟାପନା କରିବା ସହ ହିନ୍ଦୀ ଏବଂ ବ୍ରଜ ଭାଷାର ଖ୍ୟାତନାମା କବି ଥିଲେ । ହେଲେ ତାଙ୍କ ବାପା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲା ବଟେଶ୍ୱର ଗ୍ରାମବର ମୂଳ ବାସିନ୍ଦା ଥିଲେ । ପ୍ରଖର ବକ୍ତା ଏବଂ କାବ୍ୟିକ ଗୁଣ ବଂଶାନୁକ୍ରମିକ ଭାବେ ପିତାଙ୍କଠାରୁ ପାଇଥିଲେ । ସ୍କୁଲ ସମୟରୁ ହିଁ ଭାଷଣ ଦେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଛାତ୍ର ଜୀବନରୁ ଆର ର୍ଏସ୍ଏସ୍ ର ସ୍ୱୟଂସେବକ ଭାବେ ରହି ଆସିଥିବା ବାଜପେୟୀ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଜଡିତ ଥିଲେ । ରାଷ୍ଟ୍ରଧର୍ମ, ବୀର ଅର୍ଜୁନ ଆଦି ଦେଶପ୍ରେମ ସମ୍ବଳିତ ଏକାଧିକ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱରେ ଥିଲେ ସେ । ଅବିବାହିତ ରହିବାର ନିଷ୍ପତ୍ତି ନେଇଥିବା ବାଜପେୟୀ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ ଏବଂ ୧୯୬୮ରୁ ୧୯୭୩ ମସିହା ଯାଏ ଏହାର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସିଥିଲେ । ୧୯୫୭ ଲୋକସଭା ନିର୍ବାଚନରେ ପ୍ରଥମଥର ଉତ୍ତରପ୍ରଦେଶର ବଳରାମପୁର ଆସନରୁ ଜନସଂଘ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ସଂସଦରେ ପହଂଚି ପାରିଥିଲେ । ୧୯୫୭ରୁ ୧୯୭୭ ମସିହା ଯାଏ କ୍ରମାଗତ ଭାବେ ଜନସଂଘ ପକ୍ଷରୁ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ ।
୧୯୭୭ ମସିହାରେ ପ୍ରଥମଥର ଜନତା ପାର୍ଟି ନେତୃତ୍ୱରେ ଅଣକଂଗ୍ରେସ ସରକାର ଗଠିତ ହୋଇଥିବା ବେଳେ ଏହାର ନେତୃତ୍ୱ ନେଇଥିଲେ ମୋରାରଜୀ ଦେଶାଇ । ସେତେବେଳେ ଅଟଳବିହାରୀ ବାଜପେୟୀ ବୈଦେଶିକ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ୧୯୭୯ ଯାଏ ଏହି ପଦରେ ରହି ସାରା ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ ଏବଂ ବୈଦେଶିକ ମନ୍ତ୍ରୀ ଭାବେ ଜାତିସଂଘରେ ରାଷ୍ଟ୍ରଭାଷା ହିନ୍ଦୀରେ ଭାଷଣ ଦେବାରେ ଦେଶର ପ୍ରଥମ ବକ୍ତା ପାଲଟିଥିଲେ । ୧୯୮୦ ମସିହାରେ ଜନତା ପାର୍ଟି ଭାଙ୍ଗିବା ପରେ ବାଜପେୟୀ ନିଜ ସହଯୋଗୀ ନେତାମାନଙ୍କ ସହ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରି ଏହାର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ ।
ପ୍ରଥମଥର ୧୯୯୬ ମସିହାରେ ସେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇଥିଲେ । ଏହାପରେ ୧୯୯୮ ମାର୍ଚ୍ଚ ୧୯ରେ ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସହଯୋଗୀ ଦଳମାନେ ସମର୍ଥନ ପ୍ରତ୍ୟାହାର କରିବାରୁ ୧୩ ମାସରେ ପୁଣି ୧୯୯୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ଏଥର ଅକ୍ଟୋବର ୧୩ ତାରିଖରେ ସେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ । ତାଙ୍କ ନେତୃତ୍ୱରେ ୧୩ ଦଳୀୟ ଏନ୍ଡିଏ ସରକାର ପାଞ୍ଚବର୍ଷ ମଧ୍ୟରେ ପ୍ରଗତିର ବିଭିନ୍ନ ଦିଗ ସ୍ପର୍ଶ କରିଥିଲେ । ପୋଖରାନ୍ ପରମାଣୁ ପରୀକ୍ଷଣ, ଦେଶର ସର୍ବବୃହତ ତଥା ବିଶ୍ୱର ପଞ୍ଚମ ବୃହତ୍ତମ ଜାତୀୟ ରାଜପଥ ପ୍ରକଳ୍ପ ସ୍ୱର୍ଣ୍ଣ ଚତୁର୍ଭୁଜ, ନଦୀ ସଂଯୋଗୀକରଣ ଯୋଜନା ଆଦି ବାଜପେୟୀଙ୍କ କଳ୍ପନାପ୍ରସୂତ । ‘ଛୋଟ ମନ ନେଇ କେହି ବଡ ହୋଇନାହିଁ, ଭଙ୍ଗା ମନ ନେଇ କେହି ଛିଡା ହୋଇନାହିଁ ।’ କବିତାର ଏ ଯୁଗାନ୍ତକାରୀ ଭାବନାରେ ମାନବିକତାର ଶୀର୍ଷକୁ ଛାଇଁବାର ପ୍ରେରଣା ଦେଇଛନ୍ତି ଅଟଳ ବିହାରୀ ବାଜପେୟୀ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ