Connect with us

ଓଡିଶା

ଭଦ୍ରକ ବିଧାନସଭା କ୍ଷେତ୍ର : ଅସୀତ ଓ ନରେନଙ୍କୁ ନେଇ ଚର୍ଚ୍ଚା

ସାଙ୍କେତିକ

ଭଦ୍ରକ ବିଧାନସଭା କ୍ଷେତ୍ର : ଅସୀତ ଓ ନରେନଙ୍କୁ ନେଇ ଚର୍ଚ୍ଚା
ଭଦ୍ରକ, ୧୭ ଅପ୍ରେଲ – ଭଦ୍ରକ ବିଧାନସଭା କ୍ଷେତ୍ର ରାଜନୀତିରେ ଦୁଇଜଣ ଯୁବନେତା ଅସୀତ ଓ ନରେନଙ୍କ ଉପରେ ରାଜନୈତିକ ମହଲର ନଜର । ଅସୀତ ହେଲେ ବିଧାୟକ ଯୁଗଳ ପଟନାୟକଙ୍କ ପୁଅ । ବିଜେଡିରେ ବେଶ ପ୍ରଭାବଶାଳୀ ଥିଲେ । ବାପା ବିଧାୟକ ଥିଲେ, ପୁଅ ଅସୀତ ପୁରା ସଂଗଠନ କଥା ବୁଝୁଥିଲେ । କହିବାକୁ ଗଲେ ଅସୀତଙ୍କ ବିନା ଇଙ୍ଗିତରେ ଭଦ୍ରକ ବିଜେଡିର ପତ୍ର ବି ହଲୁନଥିଲା । ଦଳ ଭିତରେ ଓ ବାହାରେ ସବୁକଥା ବୁଝୁଥିଲେ ଅସୀତ । ସରକାରୀ ଅଫିସରମାନେ ମଧ୍ୟ ଅସୀତଙ୍କୁ ବେଶ ଗୁରୁତ୍ୱ ଦେଉଥିଲେ ।

ଅସୀତ ହିଁ ଯୁଗଳବାବୁଙ୍କ ଉତରାଧିକାରୀ ହେବେ ବୋଲି ଭଦ୍ରକ ବିଜେଡି ପକ୍ଷରୁ ଖୋଲାଖୋଲି କୁହାଯାଉଥିଲା । ଏପରିକି ଗାନ୍ଧି ପଡିଆର ଏକ ସଭାରେ ତତ୍କାଳୀନ ବିଜେଡି ସଭାପତି ସାଂସଦ ଅର୍ଜୁନ ସେଠୀ ଅସୀତଙ୍କର ଖୁବ ପ୍ରଶାଂସା କରିବା ସହ ସେ ଯୁଗଳଙ୍କ ଠାରୁ ଭଲ କାମ କରିବେ ବୋଲି କହି ପକାଇଥିଲେ । ଯୁଗଳବାବୁ ମଧ୍ୟ ବୟସାଧିକ୍ୟ କାଣର ଦର୍ଶାଇ ଆଗୁଆ ନିର୍ବାଚନ ଲଢିବେ ନାହିଁ ଘୋଷଣା କରି ପରୋକ୍ଷରେ ଅସୀତଙ୍କ ପାଇଁ ବାଟ ତିଆରି କରିଥିଲେ । ସଂଗଠନକୁ ହାତରେ ରଖିଥିବା ଅସୀତ ଟିକଟ ପାଇବା ପାଇଁ ଖୁବ ଦାବିଦାର ଥିଲେ, ଏପରିକି ତାଙ୍କ ଟିକଟ ପାଇବା ନେଇ ସାମାନ୍ୟ ଆଶଙ୍କା ନାହିଁ ବୋଲି ଶହଶହ ସମର୍ଥକ କହି ବୁଲୁଥିଲେ । ହେଲେ ବିଜେଡି ସୁପ୍ରିମୋ ନବୀନ ଅନେକ ଅପ୍ରତ୍ୟାଶିତ ନିଷ୍ପତି ନିଅନ୍ତି, ତା’ଭିତରୁ ଅସୀତଙ୍କୁ ଟିକଟରୁ ବାଦ ଦେଇ ସଂଜୀବ ମଲ୍ଲିକଙ୍କୁ ଟିକଟ ଦେଇଦେବା ଗୋଟିଏ ଥିଲା ।

ଟିକଟ ପାଇବା ପରଠାରୁ ସଂଜୀବ ଆଗକୁ ଆଗକୁ ମାଡି ଚାଲିଛନ୍ତି ସତ । ତାଙ୍କୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମର୍ଥକଙ୍କ ତତକ୍ଷଣାତ ସମର୍ଥନ ମିଳିଗଲା । ତା’ଛଡା ସଂଜୀବ ଜଣେ ନିର୍ବିବାଦୀୟ ଯୁବନେତା ହୋଇଥିବାରୁ ତାଙ୍କୁ ବିରୋଧ ମଧ୍ୟ ହେଲା ନାହିଁ । ସବୁପରେ ନବୀନ ବାବୁ ଓ ଶଙ୍ଖ ଚିହ୍ନକୁ ପ୍ରଚାରର ଆୟୁଧ କରି ସଂଜୀବ ଏବେ ଭଦ୍ରକ ବିଧାନସଭା କ୍ଷେତ୍ରରେ ପ୍ରଚାର ଓ ସମର୍ଥନ ଲୋଡିବାରେ ଆଗକୁ ମାଡୁଛନ୍ତି । ହେଲେ ଏହି ଆସନର ପ୍ରମୁଖ ଦାବିଦାର ଥିବା ଅସୀତଙ୍କ ସମର୍ଥନ ସଂଜୀବ ପାଇନାହାଂତି ଅଥବା ଅସୀତ ନିଜଆଡୁ ସଂଜୀବଙ୍କ ପ୍ରତି ସମର୍ଥନ ଘୋଷଣା କରିନାହାଂତି । ଭଦ୍ରକ ବିଧାନସଭା କ୍ଷେତ୍ରରେ ଯେ ଅସୀତଙ୍କର କିଛି ସମର୍ଥକ ନାହାଂତି ଅଥବା ତାଙ୍କର କିଛି ସଂଗଠନ ନଥିଲା ଏକଥା କହିବା ଭୁଲହେବ । ଅସୀତଙ୍କ ସମର୍ଥକଙ୍କ ସଂଖ୍ୟା କେତେ ତାକୁ ଆକଳନ କରିବା ଯଦିଓ ସହଜ ନୁହେଁ ତେବେ ତାଙ୍କର ଅନେକ ଅନୁଗତ ଅଛନ୍ତି ଏକଥାକୁ ଅସ୍ୱୀକାର କରିହେବ ନାହିଁ । ପୁଣି ଯୁଗଳବାବୁଙ୍କର ଭଦ୍ରକରେ ନିଜସ୍ୱ ଭୋଟବ୍ୟାଙ୍କ ରହିଛି ଏକଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ । ଏପରିସ୍ଥିତିରେ ଅସୀତ ଓ ତାଙ୍କ ଅନୁଗତଙ୍କ ଭୂମିକା କ’ଣ ହେବ(?) ତାକୁ ନେଇ ସାରା ବିଧାନସଭା କ୍ଷେତ୍ରରେ ଜାରି ରହିଛି ସସପେନ୍ସ ।

ଇତିମଧ୍ୟରେ ଅସୀତଙ୍କ ସହଯୋଗୀ କୁହାଯାଉଥିବା ଜିଲା ପରିଷଦ ସଭ୍ୟ ହେମନ୍ତ ପାଢୀ(କାଳିଆ)ଙ୍କ ସମେତ ୨୮ ନଂ ଜୋନର କେତେକ ନିର୍ବାଚିତ ପ୍ରତିନିଧି ଦଳ ଛାଡି ବିଜେପିକୁ ଯାଇଛନ୍ତି । ଏମିତି ଆଉ କିଛି ନେତା ଅଛନ୍ତି ଯେଉଁମାନେ କି ଏଯାଏ ନିଷ୍ପତି ନେଇନାହାଂତି । ସେହିଭଳି ନରେନ ପଲେଇ ଥିଲେ କଂଗ୍ରେସର ଜିଲା ସଭାପତି । ଭାଇ ବିଧାୟକ ବୀରେନ ପଲେଇଙ୍କ ଅକାଳ ବିୟୋଗ ପରେ ରାଜନୀତିକୁ ଆସିଥିଲେ ନରେନ । ୨୦୦୪ରେ ନରେନ ଭଦ୍ରକ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ରେ ହାରିଥିଲେ । ୨୦୧୪ରେ ଜୟଦେବ ଜେନା ପିସିସି ସଭାପତି ହେବା ପରେ ନରେନ ବେଶ ପ୍ରଭାବଶାଳୀ ଥିଲେ । ପୁଣିଥରେ ୨୦୧୪ରେ ନିର୍ବାଚନ ଲଢି ନରେନ ୨୫ ହଜାରରୁ ଅଧିକ ବ୍ୟବଧାନରେ ଯୁଗଳଙ୍କ ଠାରୁ ପରାସ୍ତ ହୋଇଥିଲେ । ଯଦିଓ ୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ନରେନ ସେତେଟା ସକ୍ରିୟ ନଥିଲେ ତଥାପି ଚଳିତ ୨୦୧୯ ନିର୍ବାଚନ ପାଇଁ ମଧ୍ୟ ନରେନ କଂଗ୍ରେସ ଟିକଟର ଦାବିଦାର ଥିଲେ । ଏଥରକ କଂଗ୍ରେସ ନରେନଙ୍କ ବଦଳରେ ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ମଇଦାନକୁ ଆଣିଛନ୍ତି । କିନ୍ତୁ ନଳିନୀଙ୍କୁ ନିଜର ସମର୍ଥନ ଘୋଷଣା କରିନାହାଂତି ନରେନ ।

ନଳିନୀ-ନରେନଙ୍କୁ ଆଉ ସାଙ୍ଗରେ ଦେଖିବାକୁ ମିଳିନି । ଯଦିଓ ଟିକଟ ଘୋଷଣାର କିଛିଦିନ ପୂର୍ବରୁ ଉଭୟ ସାଥିହୋଇ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଦୀର୍ଘ ୧୮ବର୍ଷ କାଳ କଂଗ୍ରେସ ସଂଗଠନକୁ ନିୟନ୍ତ୍ରଣ କରୁଥିବା ନରେନଙ୍କର ଭଦ୍ରକ ସହର ଓ ଭଦ୍ରକ ପଂଚାୟତ ସମିତିରେ ବହୁ ସମର୍ଥକ ଅଛନ୍ତି । ନଳିନୀ ଟିକଟ ପାଇବା ପରଠାରୁ କଂଗ୍ରେସରୁ ଅନେକ ନେତା ବିଜେଡିକୁ ଯାଉଛନ୍ତି । ସଂଜୀବ ମଧ୍ୟ କଂଗ୍ରେସ ନେତାଙ୍କୁ ପାଇ ଯୁଗଳଙ୍କ ପ୍ରସ୍ଥାନ ଜନିତ କ୍ଷତିକୁ ଭରଣା କରୁଛନ୍ତି । ତେବେବି ନରେନ ନିଜ ଅକ୍ତିଆରରେ ଏକ ଭୋଟବ୍ୟାଙ୍କ ସାଇତି ରଖିଛନ୍ତି । ଟିକଟ ନମିଳିବାର ଖବର ପାଇବା ପରଠାରୁ ନରେନ ଦଳଛାଡିବା କଥା ଆଲୋଚନା ହେଉଥିଲା ।

ମାତ୍ର ଅନ୍ୟଦଳରେ ନିଜପାଇଁ ଭଲ ଜାଗା ମିଳିବାରେ ଆଶଙ୍କା ନରେନଙ୍କୁ ଏଥିରୁ ନିବୃତ କରିଥିବା କୁହାଯାଉଛି । ଏପରିସ୍ଥିତିରେ ନିଜ ଭୋଟବ୍ୟାଙ୍କ ସହ ନରେନ କାହାକୁ ସମର୍ଥନ କରିବେ (?) ସେଥିନେଇ ଜାରି ରହିଛି ସସପେନସ୍ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା