Connect with us

ଓଡିଶା

ବୁଗୁଡା ଓ ପାତ୍ରପୁରରେ ଜବାବ ମାଗୁଛି ଓଡିଶା ଅଭିଯାନ

ବୁଗୁଡା ଓ ପାତ୍ରପୁରରେ ଜବାବ ମାଗୁଛି ଓଡିଶା ଅଭିଯାନ
ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର ପର୍ଯ୍ୟନ୍ତ ଲମ୍ବିଛି : ଧର୍ମେନ୍ଦ୍ର ପ୍ରଧାନ
ଗଞ୍ଜାମ, ୧୪ା୦୧(ନିପ୍ର) : ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ବାବୁ ଦେଉଛନ୍ତି । ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର ପର୍ଯ୍ୟନ୍ତ ଲମ୍ବିଛି । ପିସି, ଚିଟଫଣ୍ଡ, ଖଣି ଦାନବକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ମନ୍ତ୍ରୀ, ବିଧାୟକ ଓ ଆଇଏଏସ ମାନେ ପିସି ନେଉଥିବା ବେଳେ ଧରା ପଡୁନାହାନ୍ତି । ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଅଛନ୍ତି । ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଛୋଟ ଦାନବ ସରୋଜ ସାହୁ କିଏ, ସିଏ କେଉଁଠାରେ ରହେ, ତାଙ୍କୁ ସିବିଆଇ କଣ ପାଇଁ ଜେରା କରିଥିଲା । ତାହା ସହ ନବୀନ ବାବୁଙ୍କର କଣ ସମ୍ପର୍କ ରହିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁର ଠାରେ ଆୟୋଜିତ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଯୁବକଙ୍କୁ ଚାକିରୀ ନାହିଁ, ଚାଷକୁ ଜଳସେଚନ ନାହିଁ, ମା ଭଉଣୀ ମାନଙ୍କୁ ପିଇବା ପାଣି ମିଳୁନି, ଗାଁ ଗଣ୍ଡାରେ ୨୪ ଘଂଟିଆ ବିଜୁଳି ସେବା ନାହିଁ, ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଆପଣ ମାନେ ଖୁସି ତ ବୋଲି କହି ବୁଲୁଛନ୍ତି । ଆପଣ ଖୁସି ଥାଇ ପାରନ୍ତି, ତେବେ ୧୯ ବର୍ଷ ଧରି ଓଡିଶାର ଲୋକଙ୍କୁ ହିନସ୍ତା ମଧ୍ୟରେ ରଖିଥିବା ସରକାରଙ୍କୁ ଏଥିଲାଗି ଜବାବ ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି । ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାର ମାନଙ୍କ ସହ ମେଂଟ କରିଛନ୍ତି । ବିଧାୟକଙ୍କ ଚେଲାଚପାତି ମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଦ୍ଧକ୍ୟଭତା ମିଳୁନାହିଁ । ରାଜ୍ୟରେ ଲୋକମାନେ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ ନବୀନ ବାବୁ ଦାନବ ମାନଙ୍କର ମୁଖ୍ୟ ସଂରକ୍ଷକ ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମଣ୍ଡିରେ ଧାନ ବିକ୍ରୀ ହେଉନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ ମାନଙ୍କ ପାଇଁ କୁଇଟାଂଲ ପିଛା ବିନା କଟନୀ ଛଟନୀରେ ୧୭୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟରେ ଚାଷୀ ତାର ହକ୍ ପାଉନାହିଁ । ହେଲେ ମନ୍ତ୍ରୀ ସୂର୍ଯ୍ୟପାତ୍ର କହୁଛନ୍ତି ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ୟାସ ନେବେ । ଏବେ ତାଙ୍କର ଅସଲ ମୁଖା ପଦାରେ ପଡିଛି । ଏଥର ସୂର୍ଯ୍ୟପାତ୍ର ଓ ତାଙ୍କର ମାଲିକ ମାନଙ୍କୁ ସନ୍ୟାସ ନେବାକୁ ପଡିବ । ଏହି ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଉଷାଦେବୀ, ବିକ୍ରମ ଆରୁଖ, ସୂର୍ଯ୍ୟପାତ୍ରଙ୍କ ପରି ୪-୪ ଜଣ ମନ୍ତ୍ରୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା । ଜିଲାରେ ୬୨ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ସବୁର ଜବାବ ଦେବାକୁ ପଡିବ । ବୁଢା, ବାପା ମା, ସ୍ତ୍ରୀ, ପିଲା ଛୁଆ, ସାଙ୍ଗକୁ ଛାଡି ଗଞ୍ଜାମର ଯୁବକ ସୁରଟକୁ ଯାଇ ସୁରଟର ଅର୍ଥନୀତିକୁ ସୁଦୃଢ କରୁଛନ୍ତି । ଯଦି ଗଞ୍ଜାମର ଭଂଜନଗର, ଆସ୍କାରେ ରୋଜଗାର ମିଳିବ ତେବେ ଗଞ୍ଜାମ ଜିଲ୍ଲାର ପରିଶ୍ରମୀ ଲୋକେ ଗୁଜୁରାଟ କାହିଁକି ଯିବେ? ହେଲେ ସରକାର ତାହା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଂସା କରି ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ । ଏବେ ସୁରଟରେ କାମ କରୁଥିବା ଗରୀବ ଲୋକମାନେ ସେଠାକାର କେଉଁ ହସ୍ପିଟାଲରେ ଚିକିତ୍ସିତ ହେବେ ତା’ର ଉତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ନବୀନ ସରକାର ୧୯ ବର୍ଷର ଶାସନ କାଳରେ ଚାଷ ଜମିକୁ ପାଣି ଦେଇନି, ଘରକୁ ପାଣି ଟୋପେ ଦେଇନି, ବିଦ୍ୟୁତ ଯୋଗାଇ ନାହିଁ, ସେ ରାଜ୍ୟକୁ ୧ ନମ୍ବର କରିବା କଥା କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଅଙ୍ଗନବାଡି କର୍ମୀଙ୍କ ଦରମା ଦେଢ ହଜାର ଟଙ୍କା ବୃଦ୍ଧି କରାଯାଇଛି, ଏହା ଦିନରେ ଲଣ୍ଠନ ଦେଖାଇବା ଭଳି । ଶ୍ରୀ ପ୍ରଧାନ କହିଛନ୍ତି ଭାରତବର୍ଷର ୬୦୦ଟି ଜିଲ୍ଲାରେ ଶିଶୁଙ୍କ ଅବସ୍ଥା ତୁଳନାରେ ମୁଖ୍ୟମନ୍ତ୍ରୀ ଶେଷ୍ଠ ଜିଲ୍ଲାର ତାଲିକା ନମ୍ବର ରହିଛି ୪୦୮ । ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀ ଲମ୍ବା ସମୟର ଜଳସେଚନ ବିଭାଗର ଦାୟିତ୍ୱରେ ରହିବା ପରେ ମଧ୍ୟ ଋଷିକଲ୍ୟା ନଦୀର ପାଣିକୁ ରୋକି ପାରିଲେ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଲୋକମାନଙ୍କ ପାଖରେ ନୁହେଁ ବରଂ ନିଜ ଅସାଧୁ ଗୁମାସ୍ତାଙ୍କ ପାଖରେ । ଗତ ରବିବାର ଦିନ କନ୍ଧମାଳରେ ଆଦିବାସୀ ଝିଅ ସରକାରୀ ସ୍କୁଲରେ ରହି ଏକ ସନ୍ତାନ ପ୍ରସବ କଲେ । ସରକାରୀ ଅଧିକାରୀ ମାନେ ତାକୁ ଜଙ୍ଗଲରେ ଛାଡି ଦେଇ ଆସିଲେ । ସ୍ଥାନୀୟ ଲୋକମାନେ ଏହି ଘଟଣାର ପ୍ରତିବାଦରେ ବିକ୍ଷୋଭ କଲେ । ଏହା ପରେ ତଳିଆଙ୍କୁ ମାର୍ ନୀତିରେ କେତେ ଜଣ ଅଧିକରାରୀଙ୍କୁ ନିଲମ୍ବିତ କରାଗଲା । ୨୦୧୫ ମସିହାରୁ ଆଶ୍ରମ ସ୍କୁଲରେ ରହୁଥିବା ଝିଅ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ହେବ ବୋଲି ନିୟମ ରହିଛି । ଯିଏ ବେବିନାର ଦୁଃଖ ଦେଖିପାରେ ନାହିଁ, କନ୍ଧମାଳର ଝିଅକୁ ଦେଖିପାରେ ନାହିଁ, ସେହି ମୁଖ୍ୟମନ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛନ୍ତି ମୋ ସରକାରରେ ଆପଣ ଖୁସି ତ ? ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଜବାବ ମାଗୁଛି ଓଡିଶା ଅଭିଯାନକୁ ତୀବ୍ର କରିବାର ସମୟ ଆସିଛି । ଏ କୁମ୍ଭକର୍ଣ୍ଣ, ଅପାରଗ, ସମ୍ବେଦନହୀନ, ସ୍ଥାଣୁ, ମିଛୁଆ ସରକାରକୁ ଜବାବ ମାଗିବା ଦରକାର । ୯୫୫୫୨୨୭୨୨୭ରେ କଲ କରି ଜବାବ୍ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ଏ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ଆହ୍ୱାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା