Connect with us

ଦେଶ

ବିରୋଧୀଙ୍କ ହଟ୍ଟଗୋଳ; ଗୃହ ମୁଲତବୀ

ସାଙ୍କେତିକ

ବିରୋଧୀଙ୍କ ହଟ୍ଟଗୋଳ; ଗୃହ ମୁଲତବୀ
ନୂଆଦିଲ୍ଲୀ,୭ା୧ : ଉତ୍ତରପ୍ରଦେଶରେ ବେଆଇନ ବାଲି ଖନନ ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗରେ ସମାଜବାଦୀ ପାର୍ଟିର ସଦସ୍ୟମାନେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଏବଂ ରାଫେଲ୍ ବିଷୟକୁ ନେଇ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ଲୋକସଭାରେ ହୋ-ହାଲ୍ଲା ଯୋଗୁଁ ସୋମବାର ସଂସଦର ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି । ଏହି ସବୁ ପ୍ରସଙ୍ଗକୁ ନେଇ ବାରମ୍ବାର ମୁଲତବୀ ପରେ ଶେଷରେ ଦିନକ ପାଇଁ ଦୁଇ ସଦନକୁ ମୁଲତବୀ କରାଯାଇଛି ।

ସୋମବାର ଲୋକସଭାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ରାଫେଲ୍ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ରାଫେଲ୍ କାରବାରର ଜେପିସି ତଦନ୍ତ ପାଇଁ ଦାବି କରି ସ୍ଲୋଗାନ୍ ଦେବା ସହ ସେମାନେ ବାଚସ୍ପତିଙ୍କ ଆସନ ନିକଟକୁ ମାଡିଯାଇ ହୋ-ହାଲ୍ଲା କରିଥିଲେ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହାଲକୁ ୧ଲକ୍ଷ କୋଟି ଟଙ୍କାର ସରକାରୀ ଠିକା ଦେବା ସଂକ୍ରାନ୍ତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟକୁ ନେଇ ସେମାନେ ହୋ-ହାଲ୍ଲା କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ଅପରାହ୍ନ ଅଧିବେଶନରେ ଅନୁରୂପ ସ୍ଥିତି ଲାଗି ରହିବାକୁ ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାକୁ ଆସନ୍ତ।।ଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ବେଆଇନ ବାଲି ଖନନ ଘଟଣାର ସିବିଆଇ ତଦନ୍ତ ବିଷୟକୁ ନେଇ ସମାଜବାଦୀ ପାର୍ଟିର ସଦସ୍ୟମାନେ ରାଜ୍ୟସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ସମାଜବାଦି ପାର୍ଟି ସଦସ୍ୟମାନେ ସ୍ଲୋଗାନ ଦେଇ ଏ ବିଷୟ ଉଠାଇବାକୁ ଚାହିଁଥିଲେ, କିନ୍ତୁ ଅଧ୍ୟକ୍ଷ ଏମ୍.ଭେଙ୍କୟାନାଇଡୁ ଏଥିପାଇଁ ଅନୁମତି ଦେଇନଥିଲେ । ଏହାପରେ ସମାଜବାଦି ପାର୍ଟି ସଦସ୍ୟମାନେ ଅନ୍ୟ ବିରୋଧୀ ଦଳର ସଦସ୍ୟମାନଙ୍କ ସହ ମିଶି ହୋ-ହାଲ୍ଲା କରିଥିଲେ ।

ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ଶେଷରେ ମୁଲତବୀ ରଖାଯାଇଛି । ତେବେ ଆଜି ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନ ଏଆଇଏଡିଏମକେର ତିନିଜଣ ଓ ତେଲୁଗୁଦେଶମ୍ ପାର୍ଟିର ଜଣେ ସାଂସଦଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି । ମଧ୍ୟାହ୍ନରେ ପ୍ରଥମ ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହି ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହାପରେ ବାଚସ୍ପତି ସେମାନଙ୍କୁ ଦୁଇଟି ବୈଠକ ପାଇଁ ନିଲମ୍ବନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ