Connect with us

ଓଡିଶା

ବିଦା ହେବେ ଦାମ ବାବୁ ?

ବିଦା ହେବେ ଦାମ ବାବୁ ?

ବିଦା ହେବେ ଦାମ !
ବହିଷ୍କାର ଦାବିରେ ନବୀନଙ୍କୁ ଫେରାଦ ହେଲେ ବିଷ୍ଣୁ,ପ୍ରଶାନ୍ତ
ଦଳ ବିରୋଧୀ କାମ କରିନି : ଦାମ
ଭୁବନେଶ୍ୱର,୧୦ା୯ : ଦଳ ବିରୋଧୀ ମନ୍ତବ୍ୟ ପାଇଁ ଦଳରୁ ଦାମୋଦର ରାଉତଙ୍କୁ ବହିଷ୍କାର କରିବାକୁ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଦାବି କରିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏରସମାରେ ଆୟୋଜିତ ଏକ ସଭାରେ ଡା.ରାଉତ କଂଗ୍ରେସ ଏବଂ ବିଜେପି ନେତା ମାନଙ୍କ ସହ ମିଶି ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ତାଙ୍କର ଏପରି ଆଚରଣ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଧାୟକ ଶ୍ରୀ ମୁଦୁଲି ଦାବିକରିଛନ୍ତି ।

ଅନ୍ୟପକ୍ଷରେ ଏହାଉପରେ ପ୍ରତିକ୍ରିୟା ପ୍ରକାଶ କରି ଡ. ରାଉତ କହିଛନ୍ତି ଯେ ,”ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ବିଷ୍ଣୁ ଦାସ କହିଲେ ନବୀନ ବାବୁ କଣ ତାଙ୍କୁ ବାହାର କରିଦେବେ ? ବିଷ୍ଣୁ ଦାସ କଣ ନବୀନ ବାବୁ କଣ ଜାଣିନାହାନ୍ତି ? ବିଧାୟକ ପ୍ରଶାନ୍ତଙ୍କ ମୁଣ୍ଡକୁ କଙ୍କଡା ବିଛା କାମୁଡିଲାଣି । ସେମାନଙ୍କ କଥାରେ ପଡି ଯଦି ନବୀନ ବାବୁ ତାଙ୍କୁ କାଢିବା ପାଇଁ ଚାହିଁବେ ତାହେଲେ କାଢି ଦେଇ ପାରନ୍ତି । ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ସେ ତାଙ୍କ ପାଖକୁ ଯାଇ ନାହାନ୍ତି । ଏବେ କଣ ଯିବେ ? ମନ୍ତ୍ରୀ ପଦ ଯାଇଛି , ଉପସଭାପତି ପଦ ମଧ୍ୟ ଯାଇଛି ” । ଯଦି ନବୀନ ବାବୁ ବିଜେଡିରୁ ବିଦା କରନ୍ତି ବିଜେପିରେ ଯୋଗ ଦେବେକି ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ସେ ପ୍ରଶ୍ନ ଉଠୁନାହିଁ । ୧୦ କୋଟି ଟଙ୍କା ଦେଲେ ବି ସେଠାକୁ ଯିବାର ନାହିଁ ।

ସେ ଆହୁରି କହିଛନ୍ତି ଯେ, ଲୋକେ ଯେତେଦିନ ପର୍ଯ୍ୟନ୍ତ ଚାହିଁବେ ସେ ଲଢିବେ । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ଡା. ରାଉତ ବିଭିନ୍ନ ବିଭାଗରେ ଦୁର୍ନୀତି ହୋଇଥିବା ନେଇ ସଂଗୀନ ଅଭିଯୋଗ ଆଣୁଛନ୍ତି । ଉଦ୍ୟାନ କୃଷି ବିଭାଗରେ ଚାରା ଦୁର୍ନୀତି ଠାରୁ ଆରମ୍ଭ କରି ଓମଫେଡ୍ ଜରି ଦୂର୍ନୀତି ,ସମବାୟ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଡା. ରାଉତ ବାରମ୍ବାର ବିଭାଗୀୟ ଅଧିକାରୀ , ତଥା କଥିତ ଗଡ ଫାଦରଙ୍କୁ ଟାର୍ଗେଟ୍ କରିଛନ୍ତି ।

ତେବେ ଦଳୀୟ ନେତାମାନେ ତାଙ୍କ ବିରୁଦ୍ଧରେ ଫେରାଦ୍ ହେବା ପରେ ତାଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା