Connect with us

ଓଡିଶା

“ବିଜେପି ଈର୍ଷାନ୍ୱିତ, ଭୟଭୀତ ଓ ବୌଦ୍ଧିକ ସ୍ତରରେ ଦେବାଳିଆ’- ବିଜେଡି

ସାଙ୍କେତିକ ଚିତ୍ର

“ବିଜେପି ଈର୍ଷାନ୍ୱିତ, ଭୟଭୀତ ଓ ବୌଦ୍ଧିକ ସ୍ତରରେ ଦେବାଳିଆ’
ଭୁବନେଶ୍ୱର,୭ା୧୦ : ବିଜେପି ଦ୍ୱାରା ଯେଉଁ ଚିଠା ପ୍ରସ୍ତାବଗୁଡିକ ତାଙ୍କ ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହୋଇଛି, ତାହା ସଂପୂର୍ଣ୍ଣ ହାସ୍ୟାସ୍ପଦ ଓ ଭିତ୍ତିହୀନ । ଏହା ବିଜେପିର ବୌଦ୍ଧିକ ଦେବାଳିଆପଣକୁ ପରିପ୍ରକାଶ କରୁଥିଲା ବେଳେ ବିଜେଡି ସରକାରର ଯେଉଁ ଲୋକାଭିମୁଖୀ କାର୍ଯ୍ୟ ୧୮ବର୍ଷ ହେଲା କ୍ରମାଗତ ଭାବରେ କରିଆସୁଛି, ସେଥିପ୍ରତି ଈର୍ଷାନ୍ୱିତ ଓ ଭୟଭୀତ ହୋଇ ବିଜେପି ଏ ପ୍ରକାର ମତ ରଖୁଛି । ବିଜେଡି ସରକାରର ୧୮ବର୍ଷର ସୁଶାସନ ଯୋଗୁ ବିଜେପି ନିର୍ବାକ ଏବଂ ପ୍ରସଂଗହୀନ ହୋଇଯାଇଛି । ରାଜନୈତିକ ସ୍ତରରେ ପ୍ରାଂସଗିକତା ହରାଉଥିବା ବିଜେପି କେବଳ ଗଣମାଧ୍ୟମର ଚର୍ଚ୍ଚାରେ ରହିବା ପାଇଁ ଏ ପ୍ରକାର ପ୍ରସ୍ତାବ ପାରିତ କରିବା ପାଇଁ ଆଜି ବାଧ୍ୟ ହୋଇଛି । ଯେଉଁ ୫ଟି ପ୍ରସ୍ତାବ ଜରିଆରେ ବିଜେପି ଅଭିଯୋଗ କରିଛି, ତାହା ସଂପୂର୍ଣ୍ଣ ଭିତ୍ତିହୀନ । ୫ଟି ଯୋଜନାରେ ରାଜ୍ୟରେ ମହିଳାମାନଙ୍କ ସଶକ୍ତିକରଣ ହୋଇଛି, ଖାଦ୍ୟ ସୁରକ୍ଷାରେ ବୃଦ୍ଧି ଘଟିଛି, ଯୁବ ସଶକ୍ତିକରଣ ହୋଇଛି ଏବଂ ଗାଁକୁ ବିକାଶର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବରେ ଭିଡିଓ କନଫରେନ୍ସି ଜରିଆରେ ଓଡ଼ିଶାର ଗାଁମାନଙ୍କ ସହିତ ଯୋଡ଼ି ହୋଇ ଓଡ଼ିଶାର ବିକାଶକୁ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଦ୍ୱାରା ୪୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ଉଠିଥିଲା ବେଳେ ଏହା ଓଡ଼ିଶାର ମହିଳାମାନଙ୍କୁ ସଶକ୍ତିକରଣ ସହିତ ନେତୃତ୍ୱରେ ଅନେକ ଦାୟିତ୍ୱ ଏବଂ ସୁଯୋଗ ଦେଇଛି । ବିଜୁ ଯୁବ ବାହିନୀ ଦ୍ୱାରା ନେତୃତ୍ୱ ବୃଦ୍ଧି ଏବଂ ଯୁବ ସଶକ୍ତିକରଣ ଓଡ଼ିଶାରେ ଯୁବ ଶକ୍ତିକୁ ଏକ ନୂଆ ଉତ୍ସାହ ଓ ଉଦ୍ଦୀପନା ଯୋଗାଇଛି । ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା କେନ୍ଦ୍ରୀୟ ଯୋଜନା ଠାରୁ ବାଦ ପଡିଯାଇଥିବା ୨୫ଲକ୍ଷ ଓଡ଼ିଶାବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଲା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ଦ୍ୱାରା ବାଦ ପଡିଥିବା ୫୦ଲକ୍ଷ ଓଡ଼ିଶାବାସୀଙ୍କୁ ମିଶାଇ ସାଢ଼େ ୩କୋଟି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛି । ବିଶେଷକରି ମହିଳାମାନଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସକ୍ଷମ ହୋଇଛି, ଯାହାକି ଆୟୁଷମାନ ଯୋଜନା ଯୋଗାଇ ପାରିନାହିଁ ।

ଭ୍ରଷ୍ଟାଚାର ଉପରେ ବିଜେପିର ମତ ରଖିବାର କୌଣସି ନୈତିକ ଅଧିକାର ନାହିଁ । ଗତ ୪ବର୍ଷ ମଧ୍ୟରେ ବ୍ୟାଙ୍କ କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ନୀତି ଘଟିଛି । ବ୍ୟାଙ୍କମାନଙ୍କରେ ହଜାର ହଜାର କୋଟି ଟଙ୍କାର ଜାଲିଆତି କରି ବଡ଼ ବଡ଼ ଶିଳ୍ପପତିମାନେ ବିଜେପି ହାତରୁ ଖସିଯାଇ ଆଜି ବିଦେଶରେ ଅୟସ କରୁଛନ୍ତି । ସାଧାରଣ ଜନତାଙ୍କ ଅର୍ଥକୁ ଲୁଣ୍ଠନ କରି ଆଜି ବିଜୟ ମାଲ୍ୟା, ନିରଭ ମୋଦି, ମୋହୁଲ ଚୋକସି, ଲଳିତ ମୋଦିଙ୍କ ଭଳି ଅନେକ ଉଦ୍ୟୋଗପତିମାନେ ବିଦେଶରେ ଥିଲାବେଳେ ଆଜି ବ୍ୟାଙ୍କ ବ୍ୟବସ୍ଥା ଏକ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଛିଛି । ଏହିସବୁ ଦୁର୍ନୀତି ଛଡ଼ା ବିଜେପିକୁ ଭ୍ୟାପମ ଦୁର୍ନୀତି ଭଳି ଅନେକ ଦୁର୍ନୀତି ବିଗତ ବର୍ଷମାନଙ୍କରୁ ଘେରିଆସୁଛି ।

ଏହା ଆଶ୍ଚର୍ଯ୍ୟର ବିଷୟ, ବିଜେପି ଖଣି ଦୁର୍ନୀତି ଏବଂ ଚିଟଫଣ୍ଡ ଦୁର୍ନୀତି ବିଶୟରେ ମତ ରଖୁଛି । ଯେତେବେଳେ ଏହି ଦୁର୍ନୀତିଗୁଡିକ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ସିବିଆଇ ଦ୍ୱାରା ତଦନ୍ତ କରାଯାଉଛି । ଏସବୁ ବିଷୟ ଦିଲ୍ଲୀ ଠାରେ ତଦନ୍ତାଧୀନ ଥିଲାବେଳେ ବିଜେପି ଏ ପ୍ରକାର ଅଭିଯୋଗ ଆଣିବା ତାଙ୍କର ହତାଶାଭାବ ଏବଂ ନିରାଶାକୁ ପ୍ରତିପାଦିତ କରୁଛି । ଏହା କେବଳ ରାଜନୀତି ଦ୍ୱାରା ପ୍ରାୟୋଜିତ ଏବଂ ସତ୍ୟତା ଉପରେ ଆଧାରିତ ନୁହେଁ । ବିଜେଡି ସର୍ବଦା ଏକ ସ୍ୱଚ୍ଛ, ନିର୍ମଳ ଏବଂ କ୍ରିୟାଶୀଳ ସରକାର ଓଡ଼ିଶାର ଜନସାଧାରଣଙ୍କୁ ଦେଇଆସିଛି ଏବଂ ବିଜେପିର ଏଭଳି ଭିତ୍ତିହୀନ ଅଭିଯୋଗଗୁଡିକ ପାଣି ଫୋଟକା ପରି ମିଳେଇଯିବ । ୨୦୧୯ ନିର୍ବାଚନରେ ବିଜେପିର ପରାଜୟ, ୧୨୦ ମିଶନ ଏକ ଦିବାସ୍ୱପ୍ନ ବୋଲି ସ୍ପଷ୍ଟ ପ୍ରମାଣିତ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା