Connect with us

ଓଡିଶା

ବିଜେଡି ଭଙ୍ଗା ମାଠିଆ : ଧର୍ମେନ୍ଦ୍ର

ସାଙ୍କେତିକ ଚିତ୍ର

ବିଜେଡି ଭଙ୍ଗା ମାଠିଆ : ଧର୍ମେନ୍ଦ୍ର
ଭୁବନେଶ୍ୱର,୪ା୧୦ : ନବୀନ ପଟ୍ଟନାୟକ ଦଳୀୟ ପଦଯାତ୍ରାରେ ବିଜେପିକୁ ଫମ୍ପା ମାଠିଆ ବୋଲି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଭଙ୍ଗା ମାଠିଆ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କର ବିଶାଳ ଓ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଭିନ୍ନଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ମାମଲାରେ ଏହି ଟିପଣୀ ଦେବାସହ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କେନ୍ଦ୍ର ସରକାର ୨ଟଙ୍କା ୫୦ ପଇସା ଟିକସ ହ୍ରାସ କରିଥିବା ବେଳେ ରାଜ୍ୟ ସରକାର ସେତିକି ପରିମାଣର ଭ୍ୟାଟ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେବାପାଇଁ ଆହ୍ୱାନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହି ଯୋଜନାରେ ନବୀନ ପଟ୍ଟନାୟକ ୧ ଟଙ୍କିଆ ଚାଉଳ ଯୋଗାଇ ଦେଉଥିବା ଦାବୀ କରୁଥିବା ବେଳେ ବେଳେ ଗତ କିଛିଦିନ ତଳେ ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି । ଏହା ହନୁ ମଲାବେଳେ ସତ କହିବା ଭଳି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯଦି ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ତେବେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନା ପରସ୍ୱ ଥିଲା ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ୧୯ ବର୍ଷ ସରକାରର ମିଛର ପର୍ଦାଫାସ ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନାଟକର ଶେଷ ଦୃଶ୍ୟ ଉପରୁ ପରଦା ହଟାଇଛନ୍ତି । ଏହାଦ୍ୱାରା ସତ କଣ ଲୋକଙ୍କ ସାମ୍ନାକୁ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମାସକୁ ୫ କିଲୋ ଚାଉଳ ମୂଲ୍ୟ ବାବଦରେ ମାସକୁ ୪୮୦ କୋଟି ଟଙ୍କା ହିସାବରେ ବର୍ଷକୁ ୫୭୬୦ କୋଟି ରାଜ୍ୟକୁ ଦେଉଛନ୍ତି । ଅପରପକ୍ଷରେ ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫୧ କୋଟି ଟଙ୍କା ହିସାବରେ ବାର୍ଷିକ ୬୧୨ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି । ମାତ୍ର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କଟକ ମେୟର ଓ ଶାସକ ବିଜେଡି ଦଳର ବିଧାୟକ ମାନଙ୍କ ପତ୍ନୀ ମାନଙ୍କୁ ଦଳୀୟ ଆଧାରରେ ଏଥିରେ ସାମିଲ କରାଯାଇଥିଲା ।

ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମେ ୩୪ ଲକ୍ଷ, ପରେ ୩୨ ଲକ୍ଷ , ୨୫ ଲକ୍ଷ ଓ ଏବେ ଗଣମାଧ୍ୟମରେ ଏହା ୧୮ ଲକ୍ଷ ଲୋକ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ୧୮ ଲକ୍ଷ ଲୋକ କିଏ ତାର ନାଁ ଗାଁ ଠିକଣା କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଥ୍ରିଟି କଥା କହୁଥିବା ନବୀନ ବାବୁ ଟେକ୍ନୋଲୋଜିର ସାହଯ୍ୟରେ ତାଲିକାକୁ କାହିଁକି ସ୍ୱଚ୍ଛ ଓ ପାରଦର୍ଶୀ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଶାସକ ଦଳର ବିଧାୟକଙ୍କ ସୁପାରିଶରେ ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଏଥିରୁ ବଂଚିତ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା