Connect with us

ଓଡିଶା

ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳିତ

ସାଙ୍କେତିକ

ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳିତ
“ଓଡ଼ିଶା ପ୍ରତି କୌଣସି ଜାତୀୟ ଦଳର ଦରଦ ନାହିଁ’
ଭୁବନେଶ୍ୱର,୨୬ା୧୨ : ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଦଳର ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀମାନଙ୍କୁ ଉଦ୍‍ବୋଧନ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଦଳକୁ ସମ୍ବୋଧନ କରି ଆଞ୍ଚଳିକ ଦଳମାନଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଛି ଓ ଏହାର କାରଣ କ’ଣ ବୋଲି କହିଥିଲେ । ତତ୍‍ସହିତ କେନ୍ଦ୍ର ସରକାରଙ୍କ ୯ଟି ପ୍ରସଂଗକୁ ନେଇ ସଫଳ କାହାଣୀ କହିବି ବୋଲି କହି ପରୋକ୍ଷରେ ସେହି ୯ଟି ପ୍ରସଂଗର ବିଫଳତାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଦର୍ଶାଇଥିଲେ । ଜାତୀୟ ରାଜପଥ କ୍ଷେତ୍ରରେ ରାଉରକେଲାରୁ କଟକ ଆସୁଥିଲା ବେଳେ ସମ୍ବଲପୁର ପର୍ଯ୍ୟନ୍ତ କୌଣସି ସମସ୍ୟା ନାହିଁ । କାରଣ ଏହା ବିଜୁ ଏକ୍ସପ୍ରେସ୍‍ ୱେର ଅଂଶବିଶେଷ, ଯାହାକି ରାଜ୍ୟ ସରକାରଙ୍କ ସଫଳତାର ପରିଚୟ । କିନ୍ତୁ ସମ୍ବଲପୁର ପରେ ବିନା ବୋର୍ଡ ଦେଖି ଆଖି ବନ୍ଦ କରି ମଧ୍ୟ ଜାଣି ହେବ ଯେ ଜାତୀୟ ରାଜପଥ ଉପରେ ଗାଡ଼ି ଚାଲିଛି । ଯେଉଁ ଯାତ୍ରୀମାନେ ଗମନାଗମନ କରୁଛନ୍ତି, ତାହା ଭଗବାନଙ୍କ ଭରସାରେ ଏବଂ ସମାନ ଚିତ୍ର ବାରିପଦାରୁ ଦେବଗଡ଼ ଜାତୀୟ ରାଜପଥରେ ମଧ୍ୟ ଅନୁଭୂତ ହେଉଛି ।

ଅପରପକ୍ଷରେ ସାଢ଼େ ୪ବର୍ଷ ହେଲା ଉପକୂଳ ରାଜପଥ ପାଇଁ ଆମେ ଅପେକ୍ଷା କରୁଛୁ ବୋଲି ମାନ୍ୟବର ସଭାପତି ନିଜ ଉଦ୍‍ବୋଧନରେ କହିଥିଲେ । ଟେଲିକମ୍‍ କ୍ଷେତ୍ରରେ ବିଏସ୍‍ଏନ୍‍ଏଲ୍‍ ଭାରତ ସରକାରଙ୍କ ବୃହତ ନେଟ୍‍ୱାର୍କ ଥିଲାବେଳେ ଓଡ଼ିଶାର ଅଧା ଗାଁରେ ଏହି ନେଟ୍‍ୱାର୍କ ମିଳୁନାହିଁ । ନେଟ୍‍ୱାର୍କ ପାଇବା ପାଇଁ କେହି ଗଛରେ ଚଢ଼ୁଛନ୍ତି ତ କାହାକୁ ବଡ଼ କୋଠା ଘର ଉପରକୁ ଯିବାକୁ ପଡୁଛି । ମୋବାଇଲ୍‍ ସହ ଗଛ ଚଢ଼ା ଶିଖିବା ଦରକାର ଏବଂ ସହରମାନଙ୍କରେ ନେଟ୍‍ୱାର୍କ ମଧ୍ୟ ସବୁବେଳେ ବ୍ୟସ୍ତ ବୋଲି ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ । ରେଳବାଇ କ୍ଷେତ୍ରରେ ଉନ୍ନତି କେବଳ ଟ୍ରେନ୍‍ ଟିକେଟ୍‍ ଓ ପ୍ଲାଟ୍‍ଫର୍ମ ଟିକେଟ୍‍ ଦରରେ ଆସିଥିବା କହି ସେ ପ୍ରକାଶ କରିଥିଲେ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‍ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗୀକରଣ ଏବଂ ରାଜ୍ୟ ସରକାର ଏହି ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବା ସହ ମାଗଣାରେ ଜମି ମଧ୍ୟ ପ୍ରଦାନ କରୁଛନ୍ତି । ତଥାପି କାମ ଆଗକୁ ବଢ଼ିପାରୁ ନାହିଁ । ଜଣାପଡୁଛି ଏହି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବୋଧେ ଇତିହାସ ବହିରେ ରହିଯିବ ଏବଂ ପିଲାମାନେ ଏହା ପାଠ କରିବେ । ନୋଟ୍‍ ବନ୍ଦୀ ଯୋଗୁ ଲୋକମାନଙ୍କୁ ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ହଇରାଣ ହେବାକୁ ପଡିଥିଲା ଏବଂ ଏହି ଅନୁଭୂତି ସମସ୍ତଙ୍କର ରହିଥିବ । ଓଡ଼ିଶାର ଅଧା ଗାଁରେ ବ୍ୟାଙ୍କ ନାହିଁ ଏବଂ ବହୁ ସଭା ଆଲୋଚନା ପରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ ସେବା ମିଳିପାରୁ ନାହିଁ ।

କେନ୍ଦ୍ର ସରକାର ପ୍ରଚାର କରିଥିଲେ ଯେ କୋଇଲା ନିଲାମ ଦ୍ୱାରା ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କା ପ୍ରାପ୍ତ ହେବ ଓ ଓଡ଼ିଶାବାସୀଙ୍କ ଦୁଃଖ ରହିବ ନାହିଁ । କିନ୍ତୁ ୩ବର୍ଷ ପରେ ମଧ୍ୟ ମାତ୍ର ୩୭୦ କୋଟି ଟଙ୍କା ମିଳିପାରିଛି ବୋଲି ଶ୍ରୀ ପଟ୍ଟନାୟକ ଉଦ୍‍ବୋଧନ ଦେଇଥିଲେ । ଚାଷୀଙ୍କୁ ଶସ୍ୟ ବୀମା ଦ୍ୱାରା ଉଚିତ୍‍ କ୍ଷତିପୂରଣ ଓ ପରିମାଣ ଠିକ୍‍ ସମୟରେ ମିଳିପାରୁ ନାହିଁ । ଚାଷୀଙ୍କ ଲାଭ ନହୋଇ ଘରୋଇ ବୀମା କମ୍ପାନୀଙ୍କର ଲାଭ ହେଉଛି । ଭାରତୀୟ ଜନତା ପାର୍ଟି ତା’ର ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା, ଦେଢ଼ଗୁଣ ଏମ୍‍ଏସ୍‍ପି ବୃଦ୍ଧି କରିବା ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବ । କିନ୍ତୁ ସାଢ଼େ ୪ବର୍ଷ ବିତିଗଲା ପରେ ମଧ୍ୟ ସରକାରରେ ଥାଇ ଏ ମଧ୍ୟରୁ କୌଣସି ଗୋଟିଏ ପ୍ରତିଶ୍ରୁତି ରକ୍ଷା କଲେନାହିଁ । ଅପରପକ୍ଷରେ ଜନଜାତି ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ବନ୍ଦ କରିବା ସହିତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ଅର୍ଥ ମଧ୍ୟ ଗତ ୨ବର୍ଷ ହେଲା ବନ୍ଦ କରିଦେଇଛନ୍ତି ।

ରାସ୍ତାଘାଟ, କୋଠାବାଡ଼ିରେ ବଡ଼ ବଡ଼ ହୋର୍ଡିଂ ମାରି କେନ୍ଦ୍ରର ଉଜ୍ଜ୍ୱଳା ଯୋଜନାକୁ ବହୁତ ପ୍ରଚାର କରାଗଲା ପରେ ମଧ୍ୟ ମା’ମାନଙ୍କର ଦୁଃଖ ଗଲାନାହିଁ । କେନ୍ଦ୍ର ସରକାର ୩୦ଲକ୍ଷ ମହିଳାଙ୍କୁ ଗ୍ୟାସ୍‍ ସଂଯୋଗ ଦିଆଗଲା ବୋଲି ଦାବି କରିବା ସତ୍ୱେ ଏଲ୍‍ପିଜି ଦର ବୃଦ୍ଧି ଯୋଗୁ ରିଫିଲିଂ କେତେଜଣ କରୁଛନ୍ତି ଏବଂ ଏହାର ବାସ୍ତବିକତା ଆପଣମାନେ ଜାଣିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ । ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ହକ୍‍ ପାଇଁ ରାଜ୍ୟକୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଥିଲା । ଏହା ହେଉଛି ଭାରତ ସରକାରଙ୍କ ପରୋକ୍ଷରେ ସଫଳତା ଏବଂ ଏହାର ଜବାବ ଓଡ଼ିଶା ମାଗୁଛି ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ଦଳର କର୍ମୀ ଓ ନେତାମାନଙ୍କୁ ପ୍ରତି ଘରେ ଯାଇ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୧୫ରୁ ଏ ପର୍ଯ୍ୟନ୍ତ କୋଇଲା ରୟାଲିଟି ସଂଶୋଧନ ହୋଇନାହିଁ । ୫ମିନିଟ୍‍ ମଧ୍ୟରେ ଏହି ନିଷ୍ପତ୍ତି ହୋଇପାରିବ କିନ୍ତୁ ହେଉନାହିଁ । ଏହାଯୋଗୁ ଓଡ଼ିଶାବାସୀ ହଜାର ହଜାର କୋଟି ଟଙ୍କା ହରାଉଛନ୍ତି । ଭାରତ ସରକାର କ୍ଲିନ୍‍ ଏନର୍ଜି ସେସ୍‍ ବସାଇ ୨୧୦୦ କୋଟି ଟଙ୍କା ଆଦାୟ କଲେ, କିନ୍ତୁ ଓଡ଼ିଶାବାସୀଙ୍କୁ କିଛି ମିଳିଲା ନାହିଁ । ଓଡ଼ିଶାର ମାଟି ଓ ଖଣିକୁ ନେଇ ମହାନଦୀ କୋଲ୍‍ ଫିଲ୍‍ଡି ଭଳି କମ୍ପାନୀ ଗଠନ କରାଗଲା, ଯିଏକି ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ଲାଭ କରୁଛି, କିନ୍ତୁ ଓଡ଼ିଶାବାସୀ କେବଳ ପ୍ରଦୂଷଣ ପାଉଛନ୍ତି । ଓଡ଼ିଶାରୁ ବର୍ଷକୁ ରେଳବାଇ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲା ବେଳେ ରାଜ୍ୟ ପାଇଁ ବଜେଟ୍‍ରେ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ । ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ କହିଥିଲେ, “ଯେ ମୋତେ ଆରଥରକ ସ୍ୱାଧୀନତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢ଼ିତୋଳିବି ।” ଏହି ଅବସରରେ ଦଳୀୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ପାଇଁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ଯେଉଁ ନିବେଦନ କରିଥିଲେ, ସେହି ଅନୁଯାୟୀ ଆଜି ଦଳର ବହୁ ନେତା ଓ କର୍ମୀ ଚେକ୍‍ ମାଧ୍ୟମରେ ଅର୍ଥ ପ୍ରଦାନ କରିଥିଲେ ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସରୋଜିନୀ ହେମ୍ବ୍ରମ୍‍, ବଳଭଦ୍ର ମାଝୀ, ନରେନ୍ଦ୍ର ସ୍ୱାଇଁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମହିଳା ବିଜେଡି ଭୁବନେଶ୍ୱର ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା