Connect with us

ଓଡିଶା

ବାସୁଦେବପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ

ସାଙ୍କେତିକ

ନର୍ବାଚନର ପ୍ରଥମ ନାମାଙ୍କନ ପତ୍ର ଦାଖଲର ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଭଦ୍ରକ ସହର କମ୍ପିଲା : ବାସୁଦେବପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ
ଭଦ୍ରକ, ୩ ଅପ୍ରେଲ – ଭଦ୍ରକ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଦିନ କେହି ତାହା ଦାଖଲ କରିନଥିବାବେଳେ ଆଜି ଦ୍ୱିତୀୟ ଦିନରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ବାସୁଦେବପୁର-୪୫ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସକାଳେ ବିଷ୍ଣୁବ୍ରତ ନିଜ ବାସୁଦେବପୁରସ୍ଥିତ ବାସଭବନରୁ ପୂଜାର୍ଚ୍ଚନା କରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଭଦ୍ରକର ଚାନ୍ଦବାଲି ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ହଜାର ହଜାର ସମର୍ଥକଙ୍କ ସହ ବାଜା ରୋଷଣି ମଧ୍ୟରେ ପହଂଚିଥିଲେ ।

ସେଠାରେ ସେ ପୂଜାର୍ଚ୍ଚନା କରିବା ପରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଚଳିତ ନିର୍ବାଚନରେ ଏହି ଜିଲାର ସାଂସଦ ପ୍ରାର୍ଥୀ ଭାବେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମଣ୍ଡଳଙ୍କ ସହଧର୍ମିଣୀ ମଂଜୁଲତାଙ୍କ ସହ ସେ ଏକ ଖୋଲା ଜିପରେ ବିଭିନ୍ନ ବାଦ୍ୟ, ବାଣ ଓ ନୃତ୍ୟ ମଧ୍ୟରେ ସହର ପରିକ୍ରମା କରି ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ ସେ ନିଜ ପିତା ରାଜ୍ୟ ଜଂଗଲ ବିଭାଗ ମନ୍ତ୍ରୀ ଶ୍ରୀ ରାଉତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣିମା ମଲ୍ଲିକ, ତିହିଡି ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଏବଂ ଲୋକସଭା ପାଇଁ ଘୋଷିତ ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳ ଓ ସମର୍ଥକଙ୍କ ସହ ଅତିରିକ୍ତ ଜିଲାପାଳ ତଥା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ଶ୍ୟାମଭକ୍ତ ମିଶ୍ରଙ୍କୁ ତାଙ୍କ ନାମାଙ୍କନ ପତ୍ର ଅପରାହ୍ନ ୧.୨୦ ମିନିଟ୍ ସମୟରେ ପ୍ରଦାନ କରିଥିଲେ । ଏହି ଅବସରରେ ବିଷ୍ଣୁବ୍ରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତରରେ ତାଙ୍କୁ ଦଳର ସୁପ୍ରିମୋ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାସକୁ ନେଇ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ସେ ତାଙ୍କ ଆଶା ଓ ସ୍ୱପ୍ନକୁ ସାକାର କରିବେ ବୋଲି କହିଥିଲେ । ଏବଂ ବିଗତ ଦିନମାନଙ୍କରେ ତାଙ୍କ ଜେଜେ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ବର୍ତମାନର ମନ୍ତ୍ରୀ ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରି ଲୋକଙ୍କ ହିତରେ ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ୧ନଂ କରାଇବାର ପ୍ରୟାସ କରିବେ ବୋଲି ସୂଚାଇ ଚଳିତ ନିର୍ବାଚନରେ ତାଙ୍କୁ ଲୋକେ ନିଶ୍ଚିତ ବିଜୟଲାଭ କରାଇବାର ଆଶାପୋଷଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଏହି ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁଦୃଢ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ନାମାଙ୍କନ ସମୟରେ ଗହଳି ରୋକିବା ଲାଗି ତଥା ଗାଡି ମୋଟର ନିୟନ୍ତ୍ରଣ ପାଇଁ ପ୍ରାର୍କିଂ ଏବଂ ନୋ ପାର୍କିଂ ଜୋନ୍ କଟକଣା ଜାରି କରାଯାଇଛି । ଏଥିସକାଶେ ଉଭୟ ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୁଦୃଢ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ଜିଲାପାଳଙ୍କ ନିକଟରେ ଭଦ୍ରକ ଲୋକସଭା ପାଇଁ ଏବଂ ଅତିରିକ୍ତ ଜିଲାପାଳଙ୍କ ନିକଟରେ ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଲାଗି ନାମାଙ୍କନ କରାଯାଉଥିବାବେଳେ ଭଦ୍ରକ ଉପଜିଲାପାଳଙ୍କ ନିକଟରେ ଭଦ୍ରକ, ଧାମନଗର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଆସନ୍ତା ୪ ତାରିଖ ଗୁରୁବାର ବିଜେଡି ସଂସଦୀୟ ପ୍ରାର୍ଥୀ ମଂଜୁଲତା ମଣ୍ଡଳ ତାଙ୍କ ନାମାଙ୍କନ ପତ୍ର ଦାଖଲ କରୁଥିବାବେଳେ ୬ ତାରିଖ ଶନିବାର ଦିନ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ ୮ ତାରିଖ ସୋମବାର କଂଗ୍ରେସ ଲୋକସଭା ପ୍ରାର୍ଥୀ ମଧୁମିତା ସେଠୀ ଓ ଭଦ୍ରକ ବିଧାନସଭା ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା