Connect with us

ଆଞ୍ଚଳିକ

ବାଲେଶ୍ୱର “ଫକୀର ମୋହନ ମେଡିକାଲ କଲେଜ” ଲୋକାର୍ପିତ l

ବାଲେଶ୍ୱର "ଫକୀର ମୋହନ ମେଡିକାଲ କଲେଜ" ଲୋକାର୍ପିତ l

ବାଲେଶ୍ୱର “ଫକୀର ମୋହନ ମେଡିକାଲ କଲେଜ” ଲୋକାର୍ପିତ
ବାଲେଶ୍ୱରବାସୀଙ୍କ ସ୍ୱପ୍ନ ପୂରଣ ହେଲା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୯ : ବଲାଙ୍ଗୀର ପରେ ବାଲେଶ୍ୱର ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଲୋକାର୍ପିତ କରିଛନ୍ତି । ଯାହା ଫଳରେ ଉତର ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିପାରିବ । ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫକୀରମୋହନ ଓଡିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତା । ସଂକଟ ସମୟରେ ସେ ତାଙ୍କ ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡିଆ ଭାଷା ଓ ସାହିତ୍ୟର ଗୌରବକୁ ପୁନରୁଦ୍ଧାର କରିଥିଲେ । ସେ ଥିଲେ ଶିକ୍ଷା ଓ ବ୍ୟକ୍ତି ସ୍ୱତନ୍ତ୍ରତାର ବାର୍ତାବହ । ତାଙ୍କ ନାମରେ ଏହି ଶିକ୍ଷାନୁଷ୍ଠାନକୁ ଲୋକାର୍ପିତ କରି ସେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଆମର ଲକ୍ଷ୍ୟ । ରାଜ୍ୟର ସମସ୍ତ ଜନସାଧାରଙ୍କୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଓ ଯୋଜନା କରିଛନ୍ତି । ଏହା ସହିତ ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳିପାରିବ । ୨୦୦୦ମସିହାରେ ରାଜ୍ୟର ସମୁଦାୟ ଏମବିବିଏସ ସିଟ୍ ସଂଖ୍ୟା ୩୨୧ ଥିବା ବେଳେ ବର୍ତମାନ ଏହା ୧୦୫୦ ଟପିଛି । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡିଶାରେ ଏକ ନୂଆ ଯୁଗର ସୃଷ୍ଟି ହୋଇଛି ।

ଏହି ଅବସରରେ ନିଜ ବୃତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବାପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଫକୀରମୋହନ ମେଡିକାଲ କଲେଜ ନିର୍ମାଣ ପାଇଁ ୧୯୮.୫୧ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୩୩.୨୬ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫.୨୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୫ କୋଟି ବିନିଯୋଗ ହେବାର ଥିବା ବେଳେ ରାଜ୍ୟ ସରକାର ୯୭ କୋଟି ଓ କେନ୍ଦ୍ର ସରକାର ୧୮ କୋଟି ଟଙ୍କା ଖର୍ଚ୍ଚ କରିବେ । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୨.୬୮ ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି ।

ଗତବର୍ଷ ସେପ୍ଟେମ୍ବର ୪ ଓ ୬ ତାରିଖରେ ଜନଜାତି ବହୁଳ କୋରାପୁଟ ଓ ମୟୁରଭଂଜ ଜିଲ୍ଲାର ବାରିପଦା ଠାରେ ୨ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରଯାଇଛି । ବଲାଙ୍ଗୀରରେ ଗତ ଅଗଷ୍ଟ ୩୧ ତାରିଖରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କରାଯାଇଛି । ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟର ବ୍ୟବଧାନ ପରେ ଆଗକୁ ଆହୁରି ୫ ଟି ମେଡିକାଲ କଲେଜ ଓ ହସ୍ପିଟାଲ ସରକାରୀ ସ୍ତରରେ ପ୍ରତିଷ୍ଠା ହେବ । ଯାହାକି ରାଜ୍ୟରେ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ହେବ ।

ଏହି ମେଡିକାଲ କଲେଜ ଲୋକାର୍ପିତ ହେବା ପରେ ବାଲେଶ୍ୱରବାସୀଙ୍କ ମନରେ ଖୁସିର ଲହରୀ ଖେଳିଛି । ପ୍ରଥମ ବ୍ୟାଚରେ ୧୦୦ଜଣ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇଛନ୍ତି । ସୋମବାର ଦିନ ମେଡିକାଲ କଲେଜର ଲୋକାର୍ପଣ ସହ ପାଠପଢା ମଧ୍ୟ ଆରମ୍ଭ ହୋଇଛି ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ସାଂସଦ ଅର୍ଜୁନ ଚରଣ ସେଠୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ