Connect with us

ଅପରାଧ

ବଳରାମପୁରରେ ଗଛକଟାକୁ ନେଇ ରାଜ୍ୟ ସରକାରଙ୍କୁ ଏନଜିଟି ଛାଟ

ସାଙ୍କେତିକ ଚିତ୍ର

ବଳରାମପୁରରେ ଗଛକଟାକୁ ନେଇ ରାଜ୍ୟ ସରକାରଙ୍କୁ ଏନଜିଟି ଛାଟ
ଜଙ୍ଗଲ ଆଇନର ଉଲ୍ଲଂଘନ ହୋଇଛି
ନୂଆଦିଲ୍ଲୀ,୨୭ା୧୧ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଡିହି ଜଙ୍ଗଲ ଗଛକଟାକୁ ନେଇ ରାଜ୍ୟ ସରକାରଙ୍କୁ କଡା ଟିପ୍ପଣୀ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) । ଗଛକଟାରେ ଜଙ୍ଗଲ ଆଇନର ଉଲ୍ଲଘଂନ ହୋଇଛି । ତେଣୁ ମାମଲାରେ ଏନଜିଟି ଅନ୍ତରୀଣ ଆଦେଶ ଜାରି କରିଥିବା ବେଳେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଳରାମପୁର ଝିଙ୍କରଡିହି ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପାଇଁ ମୂଲ୍ୟବାନ ଗଛ କଟାକୁ ନେଇ ବିଜୟ ମାଝୀ ଏନଜିଟିରେ ରୁଜୁ କରିଥିବା ଏକ ମାମଲାର ଶୁଣାଣି ଆଜି ୩ ଜଣିଆ ଖଣ୍ଡପୀଠ କରିଥିଲେ ।

ବିଚାରପତି ଏସ୍.ପି ପିୱାଗଡି, କେ.ରାଧାକୃଷ୍ଣ ଏବଂ ବୈଷୟିକ ସଦସ୍ୟ ନଗିନ୍ ନନ୍ଦା ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିଥିଲେ । ଏଥିରେ କୋଲକାତାର ଆଞ୍ଚଳିକ ଏନଜିଟିରୁ ଆଇନଜୀବୀମାନେ ନିଜର ପକ୍ଷ ରଖିଥିଲେ । ସମସ୍ତ ପକ୍ଷ ଶୁଣାଣି କରିବା ପରେ ଖଣ୍ଡପୀଠ କହିଥିଲେ ଯେ, ଗଛକଟା ଯୋଗୁଁ ଜଙ୍ଗଲ ଅଧିନିୟମ ଧାରା ୧୯୮୦ ନିୟମର ଉଲ୍ଲଘଂନ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଓଡ଼ିଶା ସରକାର ଏନଜିଟି ନିକଟରେ ଆଫିଡେବିଟ୍ ଦାଖଲ କରନ୍ତୁ । ଆସନ୍ତା ୨୦୧୯ ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଝିଙ୍କରଡିହି ଜଙ୍ଗଲରେ ବଳପୂର୍ବକ ଚାଲିଥିବା ଗଛକଟାକୁ ସ୍ଥାନୀୟ ଲୋକ ଘୋର ବିରୋଧ କରିଥିଲେ । ଏଥିପାଇଁ ସେମାନଙ୍କୁ ପୋଲିସ ସହ ଧସ୍ତାଧସ୍ତି ହେବାକୁ ପଡିଥିଲା ।

ଏନେଇ ବିବାଦ ଉଠିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଛକଟା ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଗଛକଟା ମାମଲା ଏନଜିଟିରେ ପହଞ୍ଚିଥିଲା । ଏହି ମାମଲାରେ ବିଜୟ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ଏନଜିଟିରେ ମାମଲା ଦାୟର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ