Connect with us

ଦେଶ

ପେଡ୍ ନ୍ୟୁଜକୁ ନେଇ ନିର୍ବାଚନ ଆୟୋଗ କଠୋର

ସାଙ୍କେତିକ ଚିତ୍ର

ପେଡ୍ ନ୍ୟୁଜକୁ ନେଇ ନିର୍ବାଚନ ଆୟୋଗ କଠୋର
ନୂଆଦିଲ୍ଲୀ,୭ା୧୦ : ନିର୍ବାଚନ ଆୟୋଗ ଶନିବାର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଘୋଷଣା ସହିତ ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଏହାସହିତ ନିରପେକ୍ଷ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ନିର୍ବାଚନ ଆୟୋଗ । ଏହାକୁ ଦୃଷ୍ଟିରେ ରଖି ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବର ଉପରେ କଡା ନଜର ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ ଏଥିପାଇଁ ମଧ୍ୟପ୍ରଦେଶରେ ଆୟୋଗ କାର୍ଯ୍ୟାଳୟରେ ମନିଟରିଂ ସେଣ୍ଟର ସକ୍ରିୟ ହୋଇଉଠିଛି । ଏହି ସିଷ୍ଟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ସମୟରେ ପେଡ୍ ନ୍ୟୁଜ୍ ଉପରେ ଅଙ୍କୁଶ ଲଗାଇବା । ଏଥିପାଇଁ ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବର ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାମଧ୍ୟ ଦେଖିବାକୁ କୁହାଯାଇଛି ଯେମିତି କୌଣସି ନେତା କିମ୍ବା ପାର୍ଟି ଦ୍ୱାରା ପେଡ୍ ନ୍ୟୁଜ୍ ପ୍ରସାରଣ ନହେବ ।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ଆୟୋଗ ମଧ୍ୟ ପ୍ରଦେଶ ସହିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ହେବ ବିଜେପି କ୍ଷମତାରେ ରହିଛି । ଗତ ନିର୍ବାଚନରେ ବିଜେପି କଂଗ୍ରେସକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ୨୦୧୩ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୨୩୦ ସିଟରୁ ୧୬୫ଟି ସିଟରେ ବିଜୟୀ ହୋଇଥିଲା । ଅପରପକ୍ଷେ କଂଗ୍ରେସ ମାତ୍ର ୫୮ ସିଟରେ ଜିତିବାକୁ ସକ୍ଷମ ହୋଇଥିଲା । ଏହିପରି ବିଏସପି ୪ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିଲା ୩ଟି ସିଟ୍ ।

ଉଲ୍ଲେଖଯୋଗ୍ୟ ଯେ, ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପରିଣାମ ଡିସେମ୍ବର ୧୧ରେ ପ୍ରକାଶିତ ହେବ । ନଭେମ୍ବର ୧୨ରୁ ଡିସେମ୍ବର ୬ ମଧ୍ୟରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମ୍ପନ୍ନ ହେବ । ଏଥିରୁ କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ