Connect with us

ଓଡିଶା

ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ

ସାଙ୍କେତିକ

ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ
– ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, ୨୦ ଏପ୍ରିଲ – ବରିଷ୍ଠ ବିଜେଡି ନେତା , ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଘଟିଛି । ଶନିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବେଦପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଅବସ୍ଥା ଗୁରୁତର ହେବାରୁ କିଛି ଦିନ ତଳେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା ।
ଶନିବାର ଅପରାହ୍ନରେ ସ୍ୱର୍ଗତ ଅଗ୍ରୱାଲଙ୍କ ପାର୍ଥୀବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ଅଗ୍ରୱାଲଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ପରେ ତାଙ୍କ ମର ଶରୀରକୁ ତାଙ୍କ କେନ୍ଦ୍ରାପଡା ସ୍ଥିତ ଜନ୍ମସ୍ଥାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ତାଙ୍କ ମୃତ୍ୟୁରେ ପାଟକୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ଦଳର ନେତାମାନେ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସେ ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ମୋ ପାଇଁ ଓ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ଜନତାଦଳ ୟୁନାଇଟେଡ଼ର ରାଜ୍ୟ ସାଧାରଣସମ୍ପାଦକ ସୋମନାଥ ରାଉତରାୟ ଶୋକ ପ୍ରକାଶ କରି କହିଛନ୍ତିଯେ, ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ଜଣେ ଖାଣ୍ଟି ଓଡ଼ିଆ ସହିତ ଅମୟିକ ବିଧାୟକ ଥିଲେ  ।
ସ୍ୱର୍ଗତ ଅଗ୍ରୱାଲ ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ।ପୂର୍ବରୁ ସେ ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୧୪ ଓ ୨୦୦୯ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ରାପଡାରୁ ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
୧୯୩୭ ମସିହା ଜାନୁଆରୀ ୧୬ ତାରିଖରେ କେନ୍ଦ୍ରାପଡାରେହ ଜନ୍ମ ଗ୍ରହଣ କରିଥିବା ବେଦପ୍ରକାଶ ୨୦ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ । ସେ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର କାଉନ୍ସିଲର ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୩୩ ବର୍ଷ ବୟସରେ ସେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ ।
ସେହିପରି ସ୍ୱର୍ଗତ ଅଗ୍ରୱାଲ ପ୍ରଥମେ ୧୯୭୪ ମସିହାରେ ଉକ୍ରଳ କଂଗ୍ରେସ ଟିକେଟରେ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ରେ ଜନତା ପାର୍ଟି ଟିକେଟରେ ସେ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ସେ ଜନତା ଦଳରୁ ଏହି ଆସନରେ ବିଜୟୀ ହୋଇଥିଲେ । ୨୦୦୦ ମସିହାରେ ସେ ବିଜେପି ଟିକେଟରେ କେନ୍ଦ୍ରାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି-ବିଜେପି ମେଂଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ । ୨୦୦୦ରୁ ୨୦୦୪ ଯାଏ ସେ ଯୋଗାଣ ମନ୍ତ୍ରୀ ଥିଲେ । ଅର୍ଥ ଓ ଯୋଗାଣ ବିଭାଗ ବ୍ୟତୀତ ସେ ବିଭିନ୍ନ ସମୟରେ ବାଣିଜ୍ୟ, ପର୍ଯ୍ୟଟନ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ତାଙ୍କର ମୃତ୍ୟୁରେ ଓଡିଶା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା