Connect with us

ଦେଶ

ପାକ୍ ସେନାର ଗୁଳିମାଡରେ ଜଣେ ଯବାନ ସହିଦ୍

ସାଙ୍କେତିକ ଚିତ୍ର

ପାକ୍ ସେନାର ଗୁଳିମାଡରେ ଜଣେ ଯବାନ ସହିଦ୍
ଶ୍ରୀନଗର,୬ା୧୨ : ପାକିସ୍ତାନ ସେନାର ଗୁଳି ମାଡରେ ଗୁରୁବାର କୁପୱାଡା ମାଛିଲ ସେକ୍ଟରରେ ମୁତୟନ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଗୁରୁବାରକୁ ମିଶାଇ ଜାମ୍ମୁ କାଶ୍ମୀର ସୀମାରେ କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ଭାରତୀୟ ସେନା ଶିବିରକୁ ଲକ୍ଷ୍ୟ କରି ପାକିସ୍ତାନ ସେନା ପ୍ରବଳ ଗୁଳିଗୋଳା ମାଡ କରିଛି । ପ୍ରତି ଜବାବରେ ଭାରତୀୟ ସେନା ଗୁଳି ବିନିମୟ କରିଛି । ପୂର୍ବରୁ କୁପୱାଡାର ମାଛିଲ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏବେ ପାକିସ୍ତାନ ସେନାର ପ୍ରବଳ ଗୁଳି ବିନିମୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହାଯ୍ୟ କରିବାକୁ ଉଦ୍ଦିଷ୍ଟ ବୋଲି ସନ୍ଦେହ କରାଯାଉଛି । ଫଳରେ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ହାଇଆଲର୍ଟ ଘୋଷଣା କରାଯାଇଛି ।

ଅସ୍ତ୍ରବିରତି ଉଲ୍ଲଘନର ଏହି ଘଟଣା ପରେ ଏଲଓସି ପାର କାରବାର ବନ୍ଦ କରି ଦିଆଯାଇଛି । ଏହା ଦର୍ଶାଇବା ଅସଙ୍ଗତ ନୁହେଁ ଯେ ଭାରତ-ପାକିସ୍ତାନ ମଧ୍ୟରେ ଏକ ରାଜିନାମା ଆଧାରରେ ୨୦୦୮ ଅକ୍ଟୋବରରେ ଜାମ୍ମୁ ଓ କାଶ୍ମୀର ଏବଂ ପିଓକେ ମଧ୍ୟରେ ଶୁଳ୍କ ମୁକ୍ତ ଏଲଓସି ପାର କାରବାର ଆରମ୍ଭ ହୋଇଥିଲା । ଏହି କାରବାରରେ ସାମିଲ ବ୍ୟବସାୟୀଙ୍କ ସାମଗ୍ରୀରେ ଭର୍ତ୍ତି ଟ୍ରକ ଉରି ସେକ୍ଟରରେ ରାସ୍ତା ଦେଇ ଗୁଲାମ କାଶ୍ମୀର ଯାଇଥାଏ । ଆଜି ମଧ୍ୟ ଉଭୟ ପଟୁ ବ୍ୟବସାୟିକ ଟ୍ରକର ଯାତାୟାତ ଜାରି ରହିଥିଲା । ମାତ୍ର ପାକ୍ ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଘଂନ ହେବାରୁ ଏହି କାରବାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । କ୍ରସ ଏଲଓସି ଟ୍ରେଡ୍ ସହ ଜଡିତ ଅଧିକାରୀ କହିଛନ୍ତି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କାରବାର ସ୍ଥଗିତ ରହିବ ।

ଉରି ସ୍ଥିତ ଜଣେ ଅଧିକାରୀ କହିଛନ୍ତି ଯେ, ଏଲ୍ଓସିରେ ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି, ତାକୁ ଦୃଷ୍ଟିରେ ରଖି କ୍ରସ ଏଲଓସି କାରବାର ରୋକା ଯାଇଛି । ପରିସ୍ଥିତି ସ୍ୱାଭାବିକ ହେବା ପରେ ଯାଇ କାରବାର ସ୍ୱାଭାବିକ ହେବ । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସକାଳେ ପାକିସ୍ତାନ ସୈନିକ ଉତ୍ତର କାଶ୍ମୀର ଜିଲ୍ଲା କୁପୱାଡା ଅନ୍ତର୍ଗତ ମଚ୍ଛଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରି ଏଲଓସି ସ୍ଥିତ ଅଗ୍ରୀମ ଭାରତୀୟ ସୈନିକଙ୍କ ଶିବିର ଓ ଜନଗହଳିପୂର୍ଣ୍ଣ ଇଲାକା ଉପରେ ଗୁଳିମାଡ କରିଥିଲେ । ଭାରତୀୟ ସୈନିକ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ । ଏଥିରେ ଜଣେ ଭାରତୀୟ ଯବାନ ସହିତ ହୋଇଥିଲେ । ଅନ୍ୟପଟେ ପାକିସ୍ତାନ ଶିବିରକୁ କ୍ଷତିଗ୍ରସ୍ତ କରିଛନ୍ତି ଭାରତୀୟ ସେନା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ