Connect with us

ଅପରାଧ

ନିର୍ବାଚନ କମିଶନଙ୍କ ଆଦେଶକୁ ରାଉରକେଲା ପୁଲିସର ଅଣଦେଖା

ସାଙ୍କେତିକ

ନିର୍ବାଚନ କମିଶନଙ୍କ ଆଦେଶକୁ ରାଉରକେଲା ପୁଲିସର ଅଣଦେଖା
ରାଉରକେଲା, ୨୬ ଫେବୃଆରୀ – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩ ବର୍ଷରୁ ଅଧିକ ସମୟ ଗୋଟିଏ ଜିଲ୍ଲାରେ ରହିଥିବା ଅଫିସରଙ୍କୁ ବଦଳି କରିବା ଆବଶ୍ୟକ । ସେହି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ମାନଙ୍କର ବଦଳି ଚାଲିଥିବା ବେଳେ, ରାଉରକେଲା ପୁଲିସ ଜିଲ୍ଲାରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ରହିଛି ।

ନିକଟରେ ଖୋଦ ଏସପି ଏଠାରୁ ବଦଳି ହୋଇଥିବା ବେଳେ ୩ ବର୍ଷରୁ ଅଧିକ ସମୟ ଧରି କେତେକ ଥାନା ବାବୁ ଏଠାରେ ରହିଛନ୍ତି । ଏପରିକି ସେମାନଙ୍କ ମଧ୍ୟରେ ଜଣେ ଡିଏସପି ମଧ୍ୟ ରହିଛନ୍ତି । ପ୍ରଥମେ ଦେଖାଯାଉ ଡିଏସପିଙ୍କ କଥା । ସେ ୩ ବର୍ଷତଳେ ରାଉରକେଲା ଆସି ଉଦିତନଗର ଥାନାରେ ରହିବା ପରେ ସେ ସମୟରେ ତାଙ୍କୁ ବାହାର ଜିଲ୍ଲାକୁ ବଦଳି କରାଯାଇଥିଲା । ହେଲେ ସେ ଯିବେ କ’ଣ ତାଙ୍କୁ ସେ ସମୟର ଏସପି ବ୍ରାହ୍ମଣିତରଙ୍ଗ ଥାନାରେ ଅବସ୍ଥାପିତ କଲେ । ସେଠାରେ ରହି ସେ ଡିଏସପି ହେଲା ପରେ ବି ସେହି ଥାନାରେ ରହି ଥିଲେ । ନିକଟରେ ତାଙ୍କୁ ଏସପି ଅଫିସରେ ରଖାଯାଇଛି । ଠିକ୍ ସେହିଭଳି ବର୍ତମାନ ଉଦିତନଗର ଥାନାରେ ଥିବା ବାବୁଙ୍କର କୁଆଡେ ରେଞ୍ଜ ଅର୍ଡର ହୋଇସାରିଛି । ତଥାପି ସେ ସେହି ଥାନାରେ ଅବସ୍ଥାପିତ ଅଛନ୍ତି ।

ଅନୁରୂପ ଭାବେ ପ୍ଲାଂଟସାଇଡ୍ ଥାନାରେ ଥିବା ବାବୁ ବ୍ରାହ୍ମଣୀତରଙ୍ଗ ଥାନା ପରେ ଏହି ଥାନାରେ ଅଛନ୍ତି । ତାଙ୍କର ଜିଲ୍ଲାରେ ଅନେକ ଦିନ ହୋଇଥିଲେ ବି ଜିଲ୍ଲା ପୁଲିସ ଏ ଦିଗରେ ସମ୍ପୂର୍ଣ୍ଣ ନୀରବ । ଏହିଭଳି ଅନେକ ଅଫିସର କମିଶନଙ୍କ ନିୟମ ଭିତରେ ଆସୁଥିଲେ ସୁଦ୍ଧା ସେମାନଙ୍କୁ ଆଜି ଯାଏଁ ଏଠାରୁ ଅନ୍ୟତ୍ର ବଦଳି କରାଯାଇନାହିଁ । ପୂର୍ବତନ ଏସପି ଏନେଇ ଅନେକ ସମୟ ପାଇଥିଲେ ବି ସେ କିଛି କରି ନଥିବା ବେଳେ ନୂତନ ଏସପି ସାର୍ଥକ ଷଡଙ୍ଗୀ ଆସି ପ୍ରଥମ ଦିନରେ ଏ ସଂପର୍କରେ ପଚରା ଉଚରା କରିଥିବା ଖବର ମିଳିଛି । ଏସବୁରେ ଅଣଦେଖା ହେଉଥିବାରୁ ବାହାରୁ ଆସୁଥିବା ଅଫିସର ମାନଙ୍କୁ କାମ କରିବାର ସୁଯୋଗ ମିଳୁନଥିବା ଅଭିଯୋଗ ହେଉଛି ।

ଜିଲ୍ଲାର ବଣେଇ, ରାଉରକେଲାରେ ଏଭଳି ଅନେକ ଥାନା ବାବୁ ରହିଛନ୍ତି । ସେମାନଙ୍କୁ ନେଇ ନୂତନ ଏସପି କି ପଦକ୍ଷେପ ନେଉଛନ୍ତି ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଆଗାମୀ ଦିନରେ କିପରି ପାଳନ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ