Connect with us

ଓଡିଶା

ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି

ସାଙ୍କେତିକ

ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି
କାଳିଆ ଯୋଜନାର ମିଥ୍ୟା ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ ?
ଭୁବନେଶ୍ୱର, ୦୮ ଏପ୍ରିଲ – ରାଜ୍ୟରେ ଚାଷୀମାନଙ୍କୁ କାଳିଆ ଯୋଜନା ନାଁରେ ପ୍ରଲୋଭିତ ଏବଂ ଆକୃଷ୍ଟ କରିବାକୁ ଶାସକ ବିଜେଡି ଅପଚେଷ୍ଟା କରୁଛି । ନିର୍ବାଚନ ଥିବାରୁ ବିଜେଡି ଭୋଟର ମାନଙ୍କୁ କାଳିଆ ଯୋଜନା ନାଁରେ ଭୋଟ ମାଗୁଛି । କାଳିଆ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ସେହି ଅନୁସାରେ ବଜେଟ କରି ନାହାଁନ୍ତି ।

ଅନ୍ୟପକ୍ଷରେ କାଳିଆ ଟଙ୍କାକୁ ବିଜେଡି କର୍ମୀ ଓ ବିଜୁଯୁବବାହିନୀ କାର୍ଯ୍ୟକର୍ତା ମାନଙ୍କୁ ବଂଟାଯାଉଛି । ଗତକାଲି ବିଭିନ୍ନ ଖବର କାଗଜରେ କାଳିଆ ଯୋଜନାକୁ ନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ବିଜ୍ଞାପନରେ “ବିଜୁ ଜନତା ଦଳର ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଦୁଇ କିସ୍ତି ୧୦ ହଜାର ଟଙ୍କା ଏକା ଥରକେ ପାଇବେ” ବୋଲି ଲେଖାଯାଇଛି । ଏହି ଲିଖିତ ବିଜ୍ଞାପନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ରହିଛି । ଭାରତ ଦଣ୍ଡବିଧାନ ଆଇନ ଧାରା ୧୭୧(ଈ) ଓ ୧୭୧(ୠ) ଦ୍ୱାରା ନବୀନ ବାବୁ ଦେଇଥିବା ପ୍ରତିଶୃତି ସଂପୂର୍ଣ୍ଣରୂପେ ବେଆଇନ । ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାରୁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ସେହିପରି ଏହି ବିଜ୍ଞାପନର ତଳେ “ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି ।”ବୋଲି ଲେଖାଅଛି । ବିଜ୍ଞାପନରେ ଆମର କାଳିଆ ଯୋଜନା ଲେଖିବା ଅର୍ଥାତ୍ ସରକାରୀ ଯୋଜନାକୁ ବିଜୁ ଜନତା ଦଳ ଆମର ବୋଲି ଦାବି କରି ବେନିୟମ ଭାବେ ଭୋଟରମାନଙ୍କୁ ଭୂଆଁ ବୁଲାଇ ପ୍ରତାରଣ କରୁଛି । କାଳିଆ ଯୋଜନାରେ ହିତାଧିକାରୀମାନଙ୍କର ତାଲିକା ବିଜେଡି କେଉଁଥିରେ ବି ପ୍ରକାଶ କରିନାହିଁ । ଏବେ ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି କହି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ସହ ଲକ୍ଷ ଲକ୍ଷ ଭୋଟରଙ୍କୁ ପ୍ରତାରିତ କରିଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠର ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା