Connect with us

ଓଡିଶା

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ

image

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ଦିଲିପ ରାୟଙ୍କ ଉଦଵେଗ
ଭୁବନେଶ୍ୱର -ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଛି । ଏହି ସେତୁ ଲାଗି ସ୍ତୂପ ମୂଳଦୁଆ କାମ ଆରମ୍ଭ ହୋଇଥିବା ବେଳେ ଜମି ନ ମିଳିବାରୁ କାମ ବନ୍ଦ ରଖାଯାଇଥିବା କର୍ତୃପକ୍ଷ ସଫେଇ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ସେଥିନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହି ସେତୁ ନିର୍ମାଣ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ବ୍ରାହ୍ମଣୀ ଦ୍ୱିତୀୟ ସେତୁର ଅନିଶ୍ଚିତ ଭାଗ୍ୟ ଓ ଭବିଷ୍ୟତ ଜଳଜଳ ହୋଇ ଦେଖାଯାଉଛି ।
ଉତରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ବ୍ରାହ୍ମଣୀ ସେତୁର ଶୁଭ ୨୦୧୭ ଜୁଲାଇ ୨୧ ତାରିଖରେ ଦିଆଯାଇଥିଲା ଓ ଏହି ପ୍ରକଳ୍ପ ପାଇଁ ୬୭୮ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜମି ନମିଳିବା ଓ ଜଙ୍ଗଲ ଜମି ଅନୁମତି ମିଳିବା କ୍ଷେତ୍ରରେ ବିଳମ୍ବ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଡେରିରେ ଆରମ୍ଭ ହୋଇଛି । ଜଙ୍ଗଲ ଜମିର ଷ୍ଟେଜ୍-୧ ଅନୁମତି ଗତ ମଇ ମାସରେ ମିଳିଥିବା ବେଳେ ବୃକ୍ଷଛେଦନ ଓ କାମ ପାଇଁ ଅନୁମତି ଗତ ଅଗଷ୍ଟ ମାସରେ ମିଳିଛି । ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବ୍ରାହ୍ମଣୀ ରାସ୍ତାର ସମୁଦାୟ ୨୯.୧୦ କିମି ପ୍ରକଳ୍ପରୁ ୨୧.୩ କିମି ରାସ୍ତା ହସ୍ତାନ୍ତରିତ ହୋଇଛି । ତେବେ ସେତୁ ପ୍ରକଳ୍ପ ଗତ ମଇ ମାସରେ ଆରମ୍ଭ କରାଯାଇ ୧୮.୧୧.୨୦୨୦ରେ ପୂର୍ଣ୍ଣାଙ୍ଗ ପାଇଁ ସ୍ଥିର ହୋଇଛି । କିନ୍ତୁ ଜମି ମିଳୁନଥିବାରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ସ୍ତୂପ ମୂଳଦୁଆ କାମ ବି ବନ୍ଦ ରହିଛି ।
ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ବାଇପାସ୍ ରାସ୍ତାକୁ ପରିବର୍ତନ କରାଯାଇ ନୂତନ ବାଇପାସ୍ ନିର୍ମିତ ହେବ । ସେହିପରି ୧୪୯ ନମ୍ବର ଜାତୀୟ ରାଜପଥର ପାଲଲହଡ଼ା ଠାରୁ ତିତ୍ରି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ ପାଇଁ ୩୪୨ କୋଟି ଟଙ୍କାର ଅଟକଳକୁ କେନ୍ଦ୍ର ଅନୁମୋଦନ ଦେଇଛି । ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି କାମ ୨୦୧୭ ଜାନୁଆରୀ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଯାବତ୍ କାମ ଚାଲିଛି ଓ ଏ ବର୍ଷ ଡିସେମ୍ବର ସୁଦ୍ଧା ରାଜପଥ ସମ୍ପ୍ରସାରଣ କାମ ଶେଷ ହେବ ବୋଲି ଆଶା କରାଯାଉଛି । ବିଧାୟକ ଶ୍ରୀ ରାୟ ଏକ ବିବୃତିରେ କହିଛନ୍ତି ଯେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ୟୁପିଏ ସରକାର ସମୟରେ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ବନ୍ଦ ରଖାଯାଇ ସ୍ଥାନ ପରିବର୍ତନ କରାଗଲା । ୨୦୧୪ ମସିହାରେ ନିର୍ବାଚନୀ ସଭାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ସହ ଆଇଜିଏଚ୍କୁ ମେଡ଼ିକାଲ କଲେଜକୁ ପରିଣତ କରାଯିବ ବୋଲି ବର୍ତମାନର ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଏବଂ ୨୦୧୫ ଏପ୍ରିଲ୍ ମାସରେ ରାଉରକେଲାରେ ଅନୁଷ୍ଠିତ ଏକ ସଭାରେ ସେ ଏହି ଘୋଷଣାକୁ ପୁନର୍ବାର ଦୋହରାଇଥିଲେ ମଧ୍ୟ ୨ଟି ଯାକ ପ୍ରକଳ୍ପ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ ।
ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ୨୦୧୭ ଜୁଲାଇ ମାସରେ ଶୁଭ ଦେଇ ୧୫ ଦିନ ଭିତରେ କାମ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ ବି ତାହା କାର୍ଯ୍ୟକାରୀ ହେଲା ନାହିଁ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଯେପରି ଧିମା ଗତିରେ ଚାଲିଛି ତାହା ସରିବାକୁ ଆଉ ଶହେ ବର୍ଷ ଲାଗିପାରେ । କେନ୍ଦ୍ର ସରକାର ତାଳଚେର-ବିମଳାଗଡ଼ା ରେଳପଥ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସାକାର କରିବା ଲାଗି ବିଧାୟକ ଶ୍ରୀ ରାୟ ପୁଣିଥରେ ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ,ଏ ପ୍ରସଙ୍ଗରେ ଶ୍ରୀ ରାୟ ପୂର୍ବରୁ ବହୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟି ଚାଲିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା