Connect with us

ଦେଶ

ତେଜୁଛି କର୍ଣ୍ଣାଟକ ରାଜନୀତି, ସଙ୍କଟରେ କୁମାରସ୍ୱାମୀଙ୍କ ସରକାର

ସାଙ୍କେତିକ

ତେଜୁଛି କର୍ଣ୍ଣାଟକ ରାଜନୀତି, ସଙ୍କଟରେ କୁମାରସ୍ୱାମୀଙ୍କ ସରକାର
ସମର୍ଥନ ପ୍ରତ୍ୟାହାର କଲେ ଦୁଇ ବିଧାୟକ
ବେଙ୍ଗାଲୁରୁ,୧୫ା୧ : କର୍ଣ୍ଣାଟକର ଏଚଡ଼ି କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଗମ୍ଭୀର ହେଉଥିବା ଦେଖିବାକୁ ମିଳିଛି । ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରରୁ ଏବେ ଦୁଇଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଯାହା କର୍ଣ୍ଣାଟକ ରାଜନୀତିକୁ ନୂତନ ମୋଡକୁ ନେଇ ଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ଘୋଡା ବେପାର କରି ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିଜେପି ବିଧାୟକଙ୍କ ଉପରେ ଆରୋପ ଲଗାଇଛନ୍ତି ।

ଅନ୍ୟପଟେ ସଦ୍ୟତମ ଖବର ମୁତାବକ କଂଗ୍ରେସର ୪ରୁ ୫ ବିଧାୟକ ମୁମ୍ବାଇରେ ଅଛନ୍ତି । ଅପରପକ୍ଷେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିରୁ ବର୍ତ୍ତିବା ପାଇଁ ଏବଂ ନିଜର ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ବିଜେପି ସମସ୍ତ ବିଧାୟକଙ୍କୁ ହରିଆଣାର ଏକ ରିସର୍ଟରେ ନେଇ ରଖିଛି । ରାଜ୍ୟର ଦୁଇଜଣ ସ୍ୱାଧୀନ ବିଧାୟକ ମଙ୍ଗଳବାର ଅଚାନକ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ସ୍ୱାଧୀନ ବିଧାୟକ ଏଚ ନାଗେଶ ଓ ଶଙ୍କର ସରକାର ସହ ଅସନ୍ତୁଷ୍ଟ ପ୍ରକାଶ କରି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଶୁଣିବାକୁ ମିଳୁଛି ଯେ, ଉଭୟ ବିଧାୟକ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି । ନିର୍ଦ୍ଦଳୀୟ ବିଧାୟକ ଶଙ୍କର କହିଛନ୍ତି ଯେ, ଆମେ ସରକାରରେ ପରିବର୍ତ୍ତନ ଚାହୁଁଛୁ । ରାଜ୍ୟରେ ଏକ ପ୍ରଭାବଶାଳୀ ସରକାର ହେବା ଉଚିତ୍ । ତେଣୁ ଏହି ଦୃଷ୍ଟିରୁ ଆଜି କର୍ଣ୍ଣାଟକ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରୁଛୁ । ବିଧାୟକଙ୍କ କହିବା କଥା ସରକାରଙ୍କ କାର୍ଯ୍ୟଶୈଳୀରେ ସେ ଖୁସି ନଥିଲେ । ତେଣୁ କୁମାରସ୍ୱାମୀ ସରକାରଠୁ ସେ ସମର୍ଥନ ଫେରାଇ ନେଉଛନ୍ତି । ଦୁଇ ବିଧାୟକ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଚିଠି ଲେଖି ତତ୍କାଳ ପ୍ରଭାରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନିଜର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଜମିର ଅହମ୍ମଦ ଭରସା ଦେଇ କହିଛନ୍ତି ଯେ, ତାଙ୍କ ପାର୍ଟିର ବିଧାୟକ ଦଳ ବଦଳ କରିବେ ନାହିଁ । ଆମ ପାର୍ଟିର ୪-୫ ବିଧାୟକ ମୁମ୍ବାଇରେ ଅଛନ୍ତି । ଯଦି ବିଧାୟକଙ୍କୁ ନେଇ ଘୋଡା ବେପାର କରିବାକୁ ଚେଷ୍ଟା କରାଯାଏ ତେବେ ଆମେ ଚୁପ୍ ହୋଇ ବସିବୁ ନାହିଁ । ବିଜେପିର କିଛି ବିଧାୟକ ଆମର ସମ୍ପର୍କରେ ଅଛନ୍ତି । ତେଣୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ, କୌଣସି ବିଧାୟକ ଦଳ ବଦଳ କରିବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ