Connect with us

ଓଡିଶା

ଟିକେଟ୍ କୁ ନେଇ ବଢୁଛି ଅସନ୍ତୋଷ , ଦଳ ଛାଡୁଛନ୍ତିି ଅସନ୍ତୁଷ୍ଟ

ସାଙ୍କେତିକ

ଟିକେଟ୍ କୁ ନେଇ ବଢୁଛି ଅସନ୍ତୋଷ , ଦଳ ଛାଡୁଛନ୍ତିି ଅସନ୍ତୁଷ୍ଟ
ଭୁବନେଶ୍ୱର, ୧୯ ମାର୍ଚ୍ଚ – ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ଟିକେଟ୍ ନମିଳିବାରୁ ଦଳୀୟ ନେତାମାନେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଦେଓଙ୍କ ସ୍ଥାନରେ ରାଜ୍ୟସଭା ସଦସ୍ୟ ଡ. ଅଚ୍ୟୁତ ସାମନ୍ତଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି । ନୟାନଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିବା ଶ୍ରୀମତୀ ସିଂହଦେଓଙ୍କୁ ଟିକେଟ ନମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ନତୁବା ଅନ୍ୟ ଦଳରୁ ଲଢ଼ିବେ ବୋଲି ମନସ୍ଥ କରିଥିବା କଥା ସୂଚନା ଦେଇଛନ୍ତି । ସେ ନୟାଗଡ଼ବାସୀଙ୍କ ସେବା କରିବା ପାଇଁ ଚାହାନ୍ତି ବୋଲି କହିଛନ୍ତି ।
ଅନ୍ୟପକ୍ଷରେ କଳାହାଣ୍ଡି ସାଂସଦ ଶ୍ରୀ ଅର୍କକେଶରୀ ଦେଓ ଦଳୀୟ ଟିକେଟ ପାଇବାରୁ ବଂଚିତ ହେବା ଫଳରେ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ଦଳୀୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳୀୟ ଟିକେଟ କାଟିବା ନେଇ ତାଙ୍କ ସହିତ କୌଣସି ଆଲୋଚନା କରାଯାଇ ନଥିଲା । ତାଙ୍କ ସହିତ ବିଶ୍ୱାସଘାତକତା କରାଯାଇଥିବାରୁ ସେ ବାଧ୍ୟହୋଇ ଇସ୍ତଫା ଦେଇଛନ୍ତି । ସେହିପରି ବିଧାୟକ ଦେବରାଜ ମହାନ୍ତିଙ୍କ ବଦଳରେ ପରଲୋକଗତ ସାଂସଦ ଲଡ଼ୁକିଶୋର ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁଙ୍କୁ ଟିକେଟ ଦିଆଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ସେ ଲୋକଙ୍କ ସହିତ ଅଛନ୍ତି ଏବଂ ସେମାନଙ୍କର ସେବା କରିଆସୁଥିଲାବେଳେ ତାଙ୍କୁ ଦଳୀୟ ଟିକେଟ୍ରୁ ବଂଚିତ କରାଯାଇଛି । କ’ଣ ପାଇଁ ଟିକେଟ୍ କଟିଲା ସେ ସମ୍ପର୍କରେ କୌଣସି ସୂଚନା ତାଙ୍କୁ ଦିଆଯାଇ ନାହିଁ । ଏହାଦ୍ୱାରା ଦଳ ତାଙ୍କ ପାଇଁ ଅନ୍ୟାୟ କରିଛି ବୋଲି ସେ କହିଛନ୍ତି ।
ସେହିପରି ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଧ୍ୟ ଦଳୀୟ ଟିକେଟ୍ରୁ ବଂଚିତ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ଥାନରେ କଲ୍ୟାଣୀ ଗଜପତିଙ୍କୁ ଦଳୀୟ ଟିକେଟ୍ ଦିଆଯାଇଛି । ଯାହାଙ୍କର ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ବିଶେଷ ଜ୍ଞାନ ନାହିଁ । ସେହିପରି ଲୋକସମ୍ପର୍କ ମଧ୍ୟ ଖୁବ୍ କମ୍ । ସର୍ବୋପରି ସେ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନୁହାନ୍ତି । ତାଙ୍କୁ ଦଳୀୟ ଟିକେଟ୍ ଦିଆଯାଇଥିବାରୁ ତାଙ୍କ ସମେତ ୬୦ଜଣ ଦଳୀୟ କର୍ମୀ ଓ ନେତା ଦଳରୁ ଇସ୍ତଫା ଦେଇଛନ୍ତି ।
ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ବିଧାୟକ ଶ୍ରୀ ଆୟୁବ୍ ଖାଁଙ୍କୁ ଦଳୀୟ ଟିକେଟ୍ରୁ ବଂଚିତ କରାଯାଇ ତାଙ୍କ ସ୍ଥାନରେ ଅଜିତ୍ ଦାସଙ୍କୁ ଦିଆଯାଇଥିବାରୁ ସେଥିରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଯାଇଛି । ଶ୍ରୀ ଖାଁ କହିଛନ୍ତି ଯେ, ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଭେଟିବେ । ତାଙ୍କୁ ଭେଟିବା ପରେ ଯାହାକିଛି ପଦକ୍ଷେପ ନେବେ । ଟିକେଟରୁ ବଂଚିତ କରିବା ପାଇଁ ଏହା ପଛରେ କଳିକେଶଙ୍କର ହାତ ଅଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା