Connect with us

ଦେଶ

ଜିସାଟ୍-୧୧ କକ୍ଷପଥରେ ଅବସ୍ଥାପିତ

ସାଙ୍କେତିକ ଚିତ୍ର

ଜିସାଟ୍-୧୧ କକ୍ଷପଥରେ ଅବସ୍ଥାପିତ
ନୂଆଦିଲ୍ଲୀ,୫ା୧୨ : ଭାରତର ସବୁଠାରୁ ଓଜନଦାର, ବୃହତ୍ ଏବଂ ଅତି ଶକ୍ତିଶାଳୀ ଉପଗ୍ରହ ଜିସାଟ୍-୧୧କୁ ଆଜି ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଛି । ଫ୍ରେଞ୍ଚ ଗୁଏନାସ୍ଥିତ ଏରିଏନ୍ ରକେଟ୍ ଉତକ୍ଷେପଣ କେନ୍ଦ୍ରରୁ ଭାରତୀୟ ସମୟ ରାତି ୨ଟା ୭ ମିନିଟରେ ଏହି ଉପଗ୍ରହକୁ ନିଖୁଣ ଭାବେ ମହାକାଶରେ ତା’ର କକ୍ଷପଥରେ ଅବସ୍ଥାପିତ କରାଯାଇଛି ।

କକ୍ଷପଥରେ ପହଞ୍ଚିବାକୁ ଜିସାଟ୍-୧୧କୁ ୩୩ ମିନିଟ୍ ସମୟ ଲାଗିଥିଲା । ଦେଶରେ ବ୍ରଡବ୍ୟାଣ୍ଡ ସେବା ଯୋଗାଣ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଯୋଗାଯୋଗ ସେବା ପ୍ରଦାନ କ୍ଷେତ୍ରରେ ଜିସାଟ୍-୧୧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍ କହିଛନ୍ତି । ଏହାଦ୍ୱାରା ସିକ୍ସିଟିନ୍ ଜି.ବି.ପି. ଡାଟା ଲିଙ୍କ୍ ସର୍ଭିସ୍ ଯୋଗାଣ ସମ୍ଭବ ହେବ ବୋଲି ସେ ସୂଚନା ଦେଇଛନ୍ତି । ଜିସାଟ୍-୧୧ର ଓଜନ ୫ ହଜାର ୮୫୪ କେଜି ଏବଂ ଏହାର ପରମାୟୁ ୧୫ ବର୍ଷ । ଭାରତର ସବୁଠାରୁ ଓଜନିଆ ଓ ଅତ୍ୟାଧୁନିକ ଯୋଗାଯୋଗ ଜିସାଟ୍-୧୧ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି, ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ବଡ ସଫଳତା ଏବଂ ଏହା ଦୁର୍ଗମ ଅଞ୍ଚଳ ସହ ସଂଯୋଗ ସ୍ଥାପନ କରି କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ । ବୈଜ୍ଞାନିକମାନଙ୍କର ଏହି ବିଚକ୍ଷଣ କାର୍ଯ୍ୟ ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, ଜିସାଟ୍-୧୧ ଉପଗ୍ରହର ଉତକ୍ଷେପଣ ଯୋଗାଯୋଗ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଜିସାଟ୍-୧୧ ଦ୍ୱାରା ଦେଶର ଉତ୍ତର-ପୂର୍ବାଞ୍ଚଳ ତଥା ପାର୍ବତ୍ୟାଞ୍ଚଳ ରାଜ୍ୟ ଗୁଡିକରେ ଉଚ୍ଚ ବେଗ ସମ୍ପନ୍ନ ଯୋଗାଯୋଗ ବ୍ୟବସ୍ଥା ହୋଇପାରିବ ।

ମନ୍ତ୍ରାଳୟ ପକ୍ଷରୁ ହାତକୁ ନିଆଯାଇଥିବା ଭାରତ ନେଟ୍ ପ୍ରକଳ୍ପ ଦ୍ୱାରା ଦୁର୍ଗମ ଅଞ୍ଚଳରେ ଶସ୍ତାରେ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଶ୍ରୀ ସିହ୍ନା କହିଛନ୍ତି । ଭାରତ ନେଟ୍ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୨ ଳକ୍ଷ ୫୦ ହଜାର ଗ୍ରାମ ପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ନେଟ୍ୱାର୍କ ଯୋଗାଇ ଦିଆଯିବ ଏବଂ ଏହି ଲକ୍ଷ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପୂରଣ କାରାଯାଇପାରିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ