Connect with us

ଓଡିଶା

ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ସାଙ୍କେତିକ

ପ୍ରତିରୋଧ ସପ୍ତାହ ପାଳନର ଶେଷ ଦିନରେ ଗଛକାଟି ରାସ୍ତା ଅବରୋଧ
ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର
କନ୍ଧମାଳ, ୩୧ ଜାନୁଆରୀ – ମାଓବାଦୀ ସଂଗଠନ ପକ୍ଷରୁ ଗତ ୨୫ ତାରିଖ ଠାରୁ ଦିଆଯାଇଥିବା ପ୍ରତିରୋଧ ସପ୍ତାହ ପାଳନର ଶେଷ ଦିନରେ ଆଜି ବନ୍ଦ ଡ଼ାକରା ଦିଆଯାଇଥିଲା । ବନ୍ଦ ପରିପ୍ରେକ୍ଷୀରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ପକାଲଡାମି ଘାଟିରେ ମାଓବାଦୀମାନେ ବଡବଡ ଗଛସବୁ କାଟି ରାସ୍ତାରେ ପକାଇଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେଠାରେ କିଛି ଲାଲ କପଡ଼ାର ବ୍ୟାନର ଓ କାଗଜ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି ।

ପ୍ରତିରୋଧ ଦିବସର ଶେଷ ଦିବସରେ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ନିବେଦନ କରାଯିବା ସହିତ ଏହି ବ୍ୟାନରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଶାସନ ବିରୋଧରେ ଉଲ୍ଲେଖ ରହିଛି । କେନ୍ଦ୍ରରେ ମୋଦୀ ସରକାର ମୁର୍ଦାବାଦ ଉଲ୍ଲେଖ ରହିଥିବାବେଳେ ରାଜ୍ୟରେ ଚାଲିଥିବା ଫାସିବାଦ ଘେରାଉ ଓ ଦମନ ଲୀଳାକୁ ବିରୋଧ ପାଇଁ ମଧ୍ୟ ନିବେଦନ କରାଯାଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆଦିବାସୀ ଦମନ କାର୍ଯ୍ୟ ତଥା ଲୋକଙ୍କୁ ବିସ୍ଥାପନ କରାଯିବା ସହ ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦକୁ ବିଦେଶୀଙ୍କ ହାତରେ ଟେକି ଦିଆଯାଉଛି । ସେଥିପାଇଁ ଏହାର ବିରୋଧ କରାଯିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି । ମାଓବାଦୀଙ୍କ ସମର୍ଥକ ନାମରେ ଗିରଫ କରାଯାଇଥିବା ୭ ଜଣ ନୀରିହ ଆଦିବାସୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ମଧ୍ୟ ଦାବୀ କରାଯାଇଛି ।

ନିୟମଗିରିଠାରେ ଜନ ଆନ୍ଦୋଳନକୁ ଦମନ କରାଯିବା ନାମରେ ବସାଯାଇଥିବା ସିଆରପିଏଫ କ୍ୟାମ୍ପକୁ ସେଠାରୁ ହଟାଇବା ସହିତ ସେଠାକାର ଆଦିବାସୀ ମାନଙ୍କୁ ଅପହରଣ କରାଯିବା ବନ୍ଦ କରାଯାଉ । କୁନ୍ଦୁଲି ନାବାଳିକା ଧର୍ଷଣକାରୀ, ଗୁମୁଡୁମାହା ପାଙ୍ଗଲପଦର, ନିଶାନଗୁଡା, ନିୟମଗିରି ଓ ସୁନାବେଡା ଡାକ୍ତରଙ୍କୁ ଦଣ୍ଡ ଦେବାପାଇଁ ସେଥିରେ ଉଲ୍ଲେଖ ରହିଛି । ଆଣ୍ଟି ନକ୍ସଲ ପିପଲ୍ସ ପିସ ଫୋର୍ସକୁ ବିରୋଧ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଜନ ସମ୍ପର୍କ ମେଳା ନାମରେ ପୋଲିସ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନକୁ ବିରୋଧ କରାଯାଇଛି । ବିକାଶ ନାମରେ ସମ୍ପତି ଲୁଣ୍ଠନ ଓ ରାସ୍ତା ତିଆରି କାର୍ଯ୍ୟକୁ ବିରୋଧ କରାଯାଇଛି । ଜଳ, ଜମି, ଜଙ୍ଗଲ ଅଧିକାର ନିମନ୍ତେ ଜନଯୁଦ୍ଧକୁ ତୀବ୍ରତର କରି ନୂଆ ଗଣତାନ୍ତ୍ରିକ ବିପ୍ଲବ ଜିନ୍ଦାବାଦ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ଗଛ କଟାଯାଇ ରାସ୍ତାରେ ପକାଯାଇଛି । ଏହି ରାସ୍ତା ଅବରୋଧ ଯୋଗୁଁ ବାଲିଗୁଡାରୁ ବ୍ରହ୍ମପୁର-ସୋରଡା ରାସ୍ତା ବନ୍ଦ ହୋଇଯାଇଛି । ଆଜି ଦାରିଙ୍ଗବାଡିରୁ ବାଲିଗୁଡା ଓ ଫୁଲବାଣୀକୁ ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ରାସ୍ତାରେ କିଛି ଦୋକାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା