Connect with us

ଓଡିଶା

ଚାନ୍ଦବାଲି : ଅସନ୍ତୁଷ୍ଟଙ୍କ ଭୂମିକା ନିର୍ଣ୍ଣାୟକ ହେବ

ସାଙ୍କେତିକ

ଚାନ୍ଦବାଲି : ଅସନ୍ତୁଷ୍ଟଙ୍କ ଭୂମିକା ନିର୍ଣ୍ଣାୟକ ହେବ
ଭଦ୍ରକ, ୨୩ ଅପ୍ରେଲ – ଭଦ୍ରକ ଜିଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ମାନେ ପ୍ରମୁଖ ଭୂମିକାରେ ଅର୍ଥାତ୍ ପ୍ରତିଦ୍ୱନ୍ଦିତାର ଶୀର୍ଷରେ ରହିଥିବା ଲକ୍ଷ୍ୟ କରାଯାଉଛି । କେବଳ ବିଜେପିରେ ଦ୍ୱିତୀୟ ଆଶାୟୀ କେହି ନଥିଲେ । ତାଙ୍କର ଏକମାତ୍ର ଦାବିଦାର ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ୨୦୧୪ ରେ ଥିଲେ ଏବଂ ୨୦୧୯ ରେ ମଧ୍ୟ ରହିଛନ୍ତି । ତେଣୁ ବିଜେପିରେ ଟିକେଟ୍ ଆଶାୟୀରୁ ବାଦ୍ ପଡିବା, ନୀରବତା ପ୍ରକାଶ କରି ଭୋଟ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କୁ କ୍ରସ୍ କରାଇବା ଆଦି ଘଟଣା ହେବାର ସମ୍ଭାବନା ନାହିଁ ।

କିନ୍ତୁ ବିଜେଡି ଓ କଂଗ୍ରେସରେ ଟିକେଟ୍ ଦୌଡରୁ ବାଦ୍ ପଡିଥିବା ନେତାଙ୍କ ନୀରବତା ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡିର ଏହି ପ୍ରାର୍ଥୀ ଚୟନକୁ ବିରୋଧ କରି ଆଶାୟୀ ଥିବା ପ୍ରତାପ ଧଳ ନିଜ ସମର୍ଥକଙ୍କ ସମେତ ବିଜେପିରେ ସାମିଲ ହେବା ସହ ଅନ୍ୟତମ ଆଶାୟୀ ସଂଗ୍ରାମ ରାଉତ ମଧ୍ୟ ବିଜେପି ସହିତ ଗଠବନ୍ଧନ କରିବା ଚାନ୍ଦବାଲି ବିଜେଡିକୁ ଏକ ଶକ୍ତ ଧକ୍କା ଦେଇଛି । ଅନ୍ୟତମ ଆଶାୟୀ ଭାବେ ପ୍ରମୁଖ ସ୍ଥାନରେ ଥିବା ଅଜୟ ନାୟକଙ୍କ ନୀରବତା ତଥା ଚାନ୍ଦବାଲି ନିର୍ବାଚନୀ ରଣାଙ୍ଗନରେ ତାଙ୍କର ଅନୁପସ୍ଥିତିକୁ ନେଇ ଭିନ୍ନ ଧରଣର ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆରଡି ଧାମ ତଥା ୧ନଂ ଜିଲା ପରିଷଦ ସଭ୍ୟ ଭାବେ ସେ ଅତୀତରେ ନିର୍ବାଚିତ ହୋଇ ଚାନ୍ଦବାଲିରେ ବେଶ୍ ଦବଦବା ରଖିଥିଲେ । ନିଜ ଭାଇ ବିଜୟ ନାୟକ ଚାନ୍ଦବାଲି ବିଧାୟକ ସମୟରେ ମଧ୍ୟ ଅଜୟଙ୍କର ବେଶ୍ ଲୋକପ୍ରିୟତା ଥିଲା । ବର୍ତମାନ ଟିକେଟ୍ ଦୌଡରୁ ବାଦ୍ ପଡିବା ପରେ ତାଙ୍କୁ ରାଜ୍ୟ ସଂପାଦକ ସହ ବାଲେଶ୍ୱର ଭଳି ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ପଦବୀ ଦିଆଯିବା ସାଙ୍ଗକୁ ପୂର୍ବରୁ ଜୀବନବିନ୍ଦୁର ଜିଲା ସଂଯୋଜକ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟର ଭଦ୍ରକ ଜିଲା ସଭାପତି ଭାବେ ଦାୟୀତ୍ୱ ତୁଲାଇ ଦଳୀୟ ସୁପ୍ରିମୋ ବିଶ୍ୱାସ ଭାଜନ ହୋଇଥିବା ଅଜୟଙ୍କୁ ଚାନ୍ଦବାଲି ବିଜେଡି ଦଳୀୟ ପ୍ରଚାର ରଣାଙ୍ଗନରେ ଦେଖିବାକୁ ନପାଇ ତାଙ୍କର ସମର୍ଥକ ମାନଙ୍କ ମଧ୍ୟରେ ଭିନ୍ନ ଧରଣର ଚର୍ଚ୍ଚା ଚାଲିଛି ।

ଅନ୍ୟପକ୍ଷରେ କଂଗ୍ରେସ ଟିକେଟ୍ ଦୌଡରୁ ବାଦ୍ ପଡିଥିବା ସତ୍ୟାନନ୍ଦ ରାଉତ ନିଜର ରାଜ୍ୟ ସଂପାଦକ ପଦରୁ ଇସ୍ତଫା ଦେବା ପରେ ବର୍ତମାନ ତାଙ୍କ ନୀରବତାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବୁମେରାଂ ସୃଷ୍ଟି ହୋିଛି । ସେହିପରି ଅନ୍ୟତମ ଆଶାୟୀ ଅମୀୟ ମହାପାତ୍ରଙ୍କ ନୀରବତା ମଧ୍ୟ ଦଳ ପାଇଁ କିଛି ମାତ୍ରାରେ କ୍ଷତି ଘଟାଇ ପାରେ ବୋଲି ଚର୍ଚ୍ଚା ଚାଲିଛି । ଗାଁ ପୁଅ ହିସାବରେ ଯଦିଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ଦବଦବା ଧାମରା ଅଂଚଳରେ ରହିଛି, ତଥାପି ଅମୀୟଙ୍କର ମଧ୍ୟ କିଛି ଭୋଟ ସଂପୃକତ ଅଂଚଳରେ ରହିବା ସହ ତିହିଡି ଅଂଚଳରେ ମଧ୍ୟ ସତ୍ୟାନନ୍ଦଙ୍କ ସମର୍ଥକ ମାନଙ୍କର ଗତିବିଧି କଣ ରହୁଛି, ତାହା ମଧ୍ୟ ପୂର୍ବାନୁମାନ କରିବା କଷ୍ଟସାଧ୍ୟ ହୋଇପଡିଛି ।

ବିଶେଷକରି ବିଜେଡି ଦଖଲରେ ଥିବା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଏଥର ବିଧାୟକ ବ୍ୟୋମକେଶ ରାୟ ପ୍ରାର୍ଥୀ ହୋଇଛନ୍ତି । ଏହି ସିଟ୍କୁ ଦଖଲ କରିବା ନିମନ୍ତେ ତାଙ୍କର ଏଥର ଆଭିମୁଖ୍ୟ କଣ ରହୁଛି ଏବଂ ତାହାକୁ ସାଧାରଣ ଭୋଟର କେତେ ମାତ୍ରାରେ ଗ୍ରହଣ କରୁଛନ୍ତି, ତାହା ଚଳିତ ମାସ ୨୯ ତାରିଖରେ ପ୍ରତିଫଳିତ ହେବ ବୋଲି ଚର୍ଚ୍ଚା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା