Connect with us

ଅପରାଧ

କ୍ଷମା ପ୍ରାର୍ଥନା କଲେ ୩ ପୋଲିସ ଅଧିକାରୀ

ସାଙ୍କେତିକ ଚିତ୍ର

କ୍ଷମା ପ୍ରାର୍ଥନା କଲେ ୩ ପୋଲିସ ଅଧିକାରୀ
୭୯ଦିନ ପରେ ଆନ୍ଦୋଳନରୁ ଓହରିଲା ଓକିଲ ସଂଘ
କଟକ,୧୪ା୧୧ : କଟକରେ ପୋଲିସ-ଓକିଲ ବିବାଦ ମାମଲାରେ ପୂର୍ଣ୍ଣଛେଦ ପଡିଛି । ଦୀର୍ଘ ୭୯ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ଓକିଲ ସଂଘ । ଆସନ୍ତାକାଲିଠାରୁ ସେମାନେ କୋର୍ଟରେ କାର୍ଯ୍ୟରେ ଯୋଗ ଦେବେ । ଆଜି ହାଇକୋର୍ଟରେ ୩ଜଣ ପୋଲିସ ଅଧିକାରୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ହାଇକୋର୍ଟ ବାର ଆସୋସିଏସନର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଓକିଲଙ୍କ ଜିଦ ଆଗରେ ଶେଷରେ ହାର ମାନିଥିଲା ପୋଲିସ ।

ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ ମାରିଥିବା ସମ୍ପୃକ୍ତ ହାବିଲଦାର ଓ ୨ଜଣ କନେଷ୍ଟବଳ ଆଜି ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟ ବାର୍ ଆସୋସିଏସନର ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା । ସମସ୍ତ ଓକିଲଙ୍କ ମତ ନିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ସେମାନେ ଆସନ୍ତାକାଲିଠାରୁ ହାଇକୋର୍ଟରେ ଯୋଗ ଦେବେ ବୋଲି ବାର୍ ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟର ସବୁ ଓକିଲ ସଂଘକୁ କାର୍ଯ୍ୟରେ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି କନେଷ୍ଟବଳଙ୍କୁ ମାଡ ଘଟଣାରେ ବାର୍ ଆସୋସିଏସନ ଦୁଃଖ ପ୍ରକାଶ କରିଛି ।

ଅନ୍ୟପକ୍ଷରେ ଆସନ୍ତାକାଲି ହାଇକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ । ତେବେ ଏପରି ମାମଲା ରୋକିବା ପାଇଁ ହାଇକୋର୍ଟ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । ଏହି କମିଟିରେ ୨ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ସଭାପତି, ପୋଲିସ ଡିଜି ଓ ପୋଲିସ କମିଶନର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉ କି, ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ ମରା ଅଭିଯୋଗରେ ଗତ ଅଗଷ୍ଟ ୨୯ରୁ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଆସୁଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ