Connect with us

ଓଡିଶା

କୃଷି ଓ କୃଷକଙ୍କ ପାଇଁ କାଳିଆ ଯୋଜନା ସର୍ବୋକ୍ରୃଷ୍ଟ : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

କୃଷି ଓ କୃଷକଙ୍କ ପାଇଁ କାଳିଆ ଯୋଜନା ସର୍ବୋକ୍ରୃଷ୍ଟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧ : ଆଜି କୃଷି ଓଡ଼ିଶା କର୍ମଶାଳାକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କୃଷି ଓ କୃଷକଙ୍କ ଉନ୍ନତି ଓ ବିକାଶରେ କାଳିଆ ଯୋଜନା ଦେଶରେ ସର୍ବୋକ୍ରୃଷ୍ଟ ସାବ୍ୟସ୍ତ ହେବ । ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ଆୟୋଜିତ ଏହି ପାଞ୍ଚଦିନିଆ କର୍ମଶାଳାକୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ କାଳିଆ ଯୋଜନାର ପ୍ରଶଂସା କରି କହିଥିଲେ ଯେ, ମୁଁ ଜାଣିବାକୁ ପାଇଲି କାଳିଆ ଯୋଜନା ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ପସନ୍ଦ ହୋଇଛି ।

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ତାରିଖ ସମାପ୍ତ ହୋଇଛି । ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଆସନ୍ତା ୨୫ରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । କାଳିଆ ଯୋଜନାରେ ରବି ଓ ଖରିଫ ଋତୁ ପାଇଁ ଭାଗଚାଷୀ, କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କୁ ବିନା ସୁଧରେ ଋଣ ସହିତ ମାଗଣାରେ ବୀମା ଓ ଜୀବିକା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ଚାଷୀଙ୍କ ପାଇଁ ଉନ୍ନତିର ଦ୍ୱାର ଖୋଲିବ । ଚାଷୀ ଭାଇମାନେ ଯଦି କାଳିଆ ଯୋଜନାକୁ ଚାଷ କ୍ଷେତ୍ରରେ ଉପଯୋଗ କରି ସେମାନଙ୍କ ଆୟ ବୃଦ୍ଧି କରିପାରିବେ ତେବେ ମୁଁ ଖୁସି ହେବି । ରାଜ୍ୟର କୃଷି ଚିତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ, କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟରେ କୃଷି ବିକାଶ, ଦୀର୍ଘସ୍ଥାୟୀ କୃଷି ଦ୍ୱାରା ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଗତ ୬ ବର୍ଷ ଧରି ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରି ଆସୁଛି । କୃଷକ ଭାଇମାନଙ୍କ ସହଯୋଗରୁ ଓଡ଼ିଶା ଲଗାତାର ୪ଥର କୃଷି କର୍ମଣ ପୁରସ୍କାର ପାଇ ସାରିଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏକଦା ଖାଦ୍ୟ ନିଅଣ୍ଟିଆ ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ହୋଇଛି । ଅନ୍ୟ ରାଜ୍ୟର ଖାଦ୍ୟ ଚାହିଦା ମେଣ୍ଟାଇ ପାରୁଛି । କୃଷି କୃଷକଙ୍କ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ବଜାର ସୁବିଧା, ଉନ୍ନତ ଜ୍ଞାନକୌଶଳ, ଆର୍ଥିକ ସହାୟତା ଆଦି ଜରିଆରେ ଏହି ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ପାଇଁ ୨୦୧୪ରେ ରାଜ୍ୟ ସରକାର ଘୋଷଣା କରିଥିଲେ ।

ଏଥିପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଇତିମଧ୍ୟରେ ୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି । ଆସନ୍ତା ଏପ୍ରିଲ୍ ସୁଦ୍ଧା ଧାର୍ଯ୍ୟ ପୂରଣ ହୋଇଯିବ । ଚାଷୀଭାଇମାନଙ୍କ ସହଯୋଗରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସିଆଇଆଇର ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ କୃଷି ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇର୍ ଓଡ଼ିଶା ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କୃଷି ଅର୍ଥନୀତିଜ୍ଞ ଡ. ଅଶୋକ ଗୁଲାଟି ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା, ଗରିବ ହ୍ରାସ ଯୋଜନା ଓ ବିଶେଷ କରି କାଳିଆ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । କାଳିଆ ଯୋଜନା ଦେଶରେ ଚାଷୀଙ୍କ ସମସ୍ୟା ସମାଧାନରେ ମାର୍ଗଦର୍ଶକ ହେବ ବୋଲି ସେ କହିଥିଲେ । ଏହି କର୍ମଶାଳାରେ ବହୁ କୃଷକ, କୃଷିବିତ୍, କୃଷି ନିବେଶକାରୀ ଓ ଭାରତ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଜଣ ଆଗୁଆ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା