Connect with us

ଦେଶ

କହ୍ନେୟାଙ୍କ ସମେତ ୧୦ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ

ସାଙ୍କେତିକ

ଜେଏନ୍ୟୁ ଦେଶଦ୍ରୋହ ମାମଲା
କହ୍ନେୟାଙ୍କ ସମେତ ୧୦ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ
ନୂଆଦିଲ୍ଲୀ,୧୪ା୧ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଦେଶ ବିରୋଧୀ ସ୍ଲୋଗାନ ତଥା ଦେଶଦ୍ରୋହ ମାମଲାରେ ସୋମବାର ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଶାଖା ପଟିଆଲା ହାଉସ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଛି । ଏହି ଅଭିଯୋଗଫର୍ଦ୍ଦରେ ଜେଏନ୍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସମେତ ୧୦ଜଣଙ୍କ ନାମ ରହିଛି । କୋର୍ଟ ଏହି ଅଭିଯୋଗଫର୍ଦ୍ଦ ଉପରେ ମଙ୍ଗଳବାର ଶୁଣାଣି କରିବେ । ୩ ବର୍ଷ ଧରି ତଦନ୍ତ ପରେ ପୋଲିସ ଅଭିଯୋଗଫର୍ଦ୍ଦ ଏବଂ ଅନ୍ୟାନ୍ୟ ଦସ୍ତାବିଜ୍ ଏକ ଟ୍ରକରେ ନେଇ କୋର୍ଟରେ ପହଞ୍ଚଥିଲା ।

କୋର୍ଟାରେ ଦାଖଲ ଅଭିଯୋଗଫର୍ଦ୍ଦ ୧୨୦୦ ପୃଷ୍ଠାର ବୋଲି ଜଣାପଡିଛି । ଏଥିରେ ପୋଲିସ ଅଭିଯୁକ୍ତ କହ୍ନୋ କୁମାର ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ୧୨ଟି ସ୍ଲୋଗାନ ଉଲ୍ଲେଖ କରିଛି । ଏହି ସ୍ଲୋଗାନଗୁଡିକ ମଧ୍ୟରେ ‘ହମ୍ ଲେକର ରହେଙ୍ଗ ଆଜାଦୀ…, ସଂଗବାଜୀ ୱାଲି ଆଜାଦୀ…., ଭାରତ ତେରେ ଟୁକଡେ ହୋଙ୍ଗେ…, କାଶ୍ମୀର କି ଆଜାଦୀ ତକ ଜଙ୍ଗ ରହେଗା…., ଭାରତ ମୁଲ୍ଲ କୋ ଏକ ଝଟକା ଅର ଦୋ…, ଭାରତ କୋ ଏକ ରଗଡା ଅର ଦୋ…, ତୁମ୍ କିତନେ ମକବୁଲ ମରୋଗେ… ଇଣ୍ଡିଆ ଆର୍ମି କୋ ଦୋ ରଗଡା…., ଆଦି ଅନ୍ତର୍ଭୁକ୍ତ ରହିଛି । ଅଭିଯୋଗଫର୍ଦ୍ଦରେ ଜେଏନ୍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସହ ସୟଦ ଉମର ଖାଲିଦ୍, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସୈନ, ମୁଜୀବ ହୁସୈନ, ମୁନିବ ହୁସୈନ, ଉମର ଗୁଲ, ରଇଜ ରସୁଲ, ବଶରତ ଅଲ୍ଲୀ ଏବଂ ଖାଲିଦ ବଶୀର ଭଟ୍ଟଙ୍କ ନାମ ରହିଛି ।

ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସିଆରପିସିର ଏଭଳି ଧାରାରେ ରହିଛି ଯେ, ବୟାନ ବଦଳାଇଲେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ । ପୋଲିସ ଫରେନ୍ସକ୍ ଏବଂ ଫେସବୁକ ଜରିଆରୁ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି । ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି) ଧାରା ୧୨୪ (କ), ୩୨୩, ୪୬୫, ୧୪୩, ୧୪୯, ୧୨୦ (ଖ) ଅନୁସାରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି ।

ଅପରପକ୍ଷରେ କହ୍ନେୟା କୁମାର ନିର୍ବାଚନ ସମୟରେ ଅଭିଯୋଗଫର୍ଦ୍ଦ ଦାଖଲକୁ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି । ତେବେ ଦେଶର ନ୍ୟାୟପାଳିକା ଉପରେ ତାଙ୍କର ଆସ୍ଥା ରହିଛି ଓ ସେ ନ୍ୟାୟ ପାଇବେ ବୋଲି କହିଛନ୍ତି । ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ଏକ ବାକ୍ସରେ ଅଭିଯୋଗଫର୍ଦ୍ଦ ନେଇ ପଟିଆଲା ହାଉସ କୋର୍ଟକୁ ଯାଇଥିଲା । ତଦନ୍ତ ଅନୁଯାୟୀ କହ୍ନେୟା କୁମାର ୨୦୧୬ ଫେବୃଆରୀ ୯ ତାରିଖ ସଂଧ୍ୟାରେ ପ୍ରଦର୍ଶନକାରୀଙ୍କ ନେତୃତ୍ୱ ନେଇଥିଲେ ।

ଜେଏନ୍ୟୁ ପରିସରରେ ଏଭଳି କୌଣସି ଗତିବିଧି ବା କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନିଆଯାଇ ନଥିଲା । ଏପରିକି କାର୍ଯ୍ୟକ୍ରମ ମଝିରେ ସେମାନଙ୍କୁ ଅଟକା ଯାଇଥିଲା ଓ ଏଭଳି କାର୍ଯ୍ୟକ୍ରମ ପାଇଁ ତାଙ୍କ ପାଖରେ ଅନୁମତି ନଥିବା ଦର୍ଶାଯାଇଥିଲା । ଏହାପରେ ବି ସେମାନେ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ