Connect with us

ଓଡିଶା

କମିବ ବ୍ୟାଗ ବୋଝ

image

କମିବ ବ୍ୟାଗ ବୋଝ
ନୂଆଦିଲ୍ଲୀ,୨୬ା୧୧ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ (ଏଚ୍ଆର୍ଡି) ମନ୍ତ୍ରାଳୟ ଆଜି କୋମଳମତି ସ୍କୁଲ ଛାତ୍ରଛାତ୍ରୀଙ୍କର ସ୍କୁଲ ବ୍ୟାଗର ଓଜନ ଉପରେ ଲଗାମ କସିଛନ୍ତି । ଏଥିସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାକୁ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ମନ୍ତ୍ରାଳୟ । ଏଣିକି ୧ମ ଓ ୨ୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ସ୍କୁଲ ବ୍ୟାଗର ଓଜନ ସର୍ବାଧିକ ୧.୫ କିଲୋଗ୍ରାମ ରହିବ ଓ ୮ମରୁ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ସ୍କୁଲ ବ୍ୟାଗର ଓଜନ କୌଣସି ପରିସ୍ଥିତିରେ ବି ୫ କିଲୋଗ୍ରାମରୁ ଅଧିକ ହୋଇପାରିବ ନାହିଁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ।

ଏଥିସହ ୧ମ ଓ ୨ୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପକ୍ଷରୁ କୌଣସି ପ୍ରକାରର ‘ହୋମ ୱାର୍କ’ ବା ଘରୋଇ ପଠନ କାର୍ଯ୍ୟ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି । ଯେଉଁଦିନ ସ୍କୁଲରେ ଯେଉଁ ବିଷୟରେ ପାଠ ପଢ଼ାଯିବାକୁ ଥିବ କେବଳ ମାତ୍ର ସେହି ବିଷୟର ବହି ଓ ଖାତା ପିଲାମାନେ ବିଦ୍ୟାଳୟକୁ ଧରି ଯିବେ ବୋଲି ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ଏହି ନିର୍ଦ୍ଦେଶନାମାର ନକଲ ପ୍ରତି ରାଜ୍ୟର ଶିକ୍ଷା ବିଭାଗ ଓ ସ୍କୁଲମାନଙ୍କୁ ପଠାଯିବା ସହ ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏଥିସହ ଯେଉଁ ସ୍କୁଲମାନେ ଏହି ନିର୍ଦ୍ଦେଶନାମାକୁ ପାଳନ ନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ମନ୍ତ୍ରାଳୟ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରିଭେଣ୍ଟିଭ୍ ମେଡିସିନ୍ (ଏସ୍ପିଏମ୍) ପକ୍ଷରୁ ଏକ ସର୍ଭେ କରାଯାଇ ଦେଶର ୮୩.୭ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ସେମାନଙ୍କ ଶରୀର ଓଜନ ଠାରୁ ୧୦ଗୁଣା ଅଧିକ ଓଜନର ସ୍କୁଲ ବ୍ୟାଗ ବୋହୁଥିବା ଏବଂ ଏହି କାରଣରୁ ୫୦ ପ୍ରତିଶତରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପିଠି ଓ ମେରୁଦଣ୍ଡରେ ଯନ୍ତ୍ରଣା ଭୋଗ କରୁଛନ୍ତି ବୋଲି ରିପୋର୍ଟ ପ୍ରଦାନ କରିବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା