Connect with us

ଓଡିଶା

କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ ହେବ ଋଣ ଛାଡ଼ – ରାହୁଳ ଗାନ୍ଧୀ

ସାଙ୍କେତିକ

କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ ହେବ ଋଣ ଛାଡ଼ – ରାହୁଳ ଗାନ୍ଧୀ
– ତମାଣ୍ଡୋ ପଡିଆରେ ମୋଦି , ନବୀନଙ୍କୁ ଟାର୍ଗେଟ୍
– ନବୀନଙ୍କ ରିମୋର୍ଟ କଂଟ୍ରୋଲ ମୋଦିଙ୍କ ପାଖରେ
ଭୁବନେଶ୍ୱର – ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଓଡ଼ିଶାରେ କୃଷି ଋଣ ଛାଡ଼ କରାଯିବ । ଏହା ବ୍ୟତୀତ ଚାଷୀଙ୍କୁ ଜଳ ଯୋଗାଇ ଦିଆଯିବ ଓ ଧାନର ସର୍ବନିମ୍ନ ସହାୟକ ଦର ୨୬୦୦ ଟଙ୍କା କରାଯିବ ଏବଂ ଖାଲି ପଡ଼ିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପୂରଣ କରାଯିବ ବୋଲି ଏଆଇସିସିର ସଭାପତି ରାହୁଳ ଗାନ୍ଧୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଭିନ୍ନ ସମାଲୋଚନା କରିଛନ୍ତି । ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଦିଲ୍ଲୀରେ ବସିଥିବା ଚୌକିଦାର ଚୋର । ଓଡ଼ିଶାରେ ବଡ଼ ଚୋର ରହିଛନ୍ତି । ମୋଦୀ, ନବୀନ ଚିନ୍ତାଧାରା ଏକ ପ୍ରକାର । ଆଜି ତାଙ୍କର ବକ୍ତବ୍ୟ ଥିଲା ଅତି ଶାଣିତ । ଯାହାକି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତା ମାନଙ୍କର ମନକୁ ଛୁଇଁ ପାରିଥିବାର ଲକ୍ଷ୍ୟ କରାଯାଇଥିଲା ।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଏଆଇସିସିର ସଭାପତି ଶ୍ରୀ ଗାନ୍ଧୀ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋଠାରେ ଦଳ ପକ୍ଷରୁ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କହିଥିଲେ ଯେ, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଶୈଳୀର ସମାନତା ରହିଛି । କ୍ଷମତାକୁ ଆସିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି କ୍ଷମତାକୁ ଆସିବା ପରେ ତାହା ଭୁଲି ଯାଆନ୍ତି । ଚାଷୀ ଏବଂ ଯୁବକ ମାନଙ୍କ ସମ୍ପର୍କରେ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିନାହାନ୍ତି । ଅମଲାତନ୍ତ୍ରଙ୍କ ମାଧ୍ୟମରେ ଶିଳ୍ପଦ୍ୟୋଗୀମାନଙ୍କଠାରୁ ଟଙ୍କା କଲେକସନ କରି ନିର୍ବାଚନରେ ଲଢ଼ିବା ହେଉଛି ତାଙ୍କର ଲକ୍ଷ୍ୟ ଏବଂ କ୍ଷମତାକୁ ଆସିଲା ପରେ ଶିଳ୍ପପତି ମାନଙ୍କ କଥା ବୁଝ । ସେମାନେ ନିଜର ଇଚ୍ଛାକୁ ଦେଶ ଓ ରାଜ୍ୟ ଉପରେ ଲଦି ଦେଉଛନ୍ତି । ମାତ୍ର କଂଗ୍ରେସ ତାହା କରେ ନାହିଁ । ଭିନ୍ନ ମତକୁ ସମ୍ମାନ ଦିଏ । ଲୋକ ଶାସନ କରିବା ସିଦ୍ଧାନ୍ତରେ ବିଶ୍ୱାସ କରେ । ପ୍ରାକୃତିକ ସମ୍ପଦଭରା ଓଡ଼ିଶା ଗରିବ ନୁହେଁ । ଲୋକ ଗରିବ । ବିକାଶ କରିବା ପାଇଁ ବହୁ ପ୍ରକାର ସମ୍ଭାବନା ରହିଛି । ସେଥିପାଇଁ କଷ୍ଟ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ରାହୁଳଗାନ୍ଧୀ କହିଥିଲେ । ଓଡ଼ିଶାର ସମ୍ପଦ ଜମି, ଜଳ, ଜଙ୍ଗଲ, ଖଣି ଆଦିକୁ ଛଡ଼ାଇ ନିଆଯାଇ କିଛି ନିର୍ଦ୍ଦିଷ୍ଟ ଶିଳ୍ପଦ୍ୟୋଗୀ ମାନଙ୍କୁ ଦିଆଯାଉଛି ବୋଲି ସେ ଉଦବେଗ ପ୍ରକାଶ କରିଥିଲେ । ଓଡ଼ିଶା ହେଉଛି ସେହି ରାଜ୍ୟ ଯେ କି ଭାରତବର୍ଷକୁ ବିଭିନ୍ନ ସମୟରେ ବାଟ ଦେଖାଇଛି । ଶାନ୍ତିର ତରିକା, ଭାଇଚାରା, ସ୍ନେହ ଶିଖେଇଛି ।

ଓଡ଼ିଶାରେ ଚାଷୀର ବଡ଼ ସମସ୍ୟା ରହିଛି । ଚାଷୀଙ୍କୁ ଆମେ ଦୟା କରୁନାହୁଁ । ସେମାନଙ୍କର ହକ୍ ଦେଉଛୁ । କୃଷିର ବିକାଶ ବା ସୁରକ୍ଷା ନ ରହିଲେ ଦେଶର ବିକାଶ ଘଟିବ ନାହିଁ । କଂଗ୍ରେଦ ଦଳ ଦେଶକୁ ହରିକ୍ରାନ୍ତି ଦେଇଛି । ଯାହା ଫଳରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି । ପୂର୍ବରୁ ବିଦେଶରୁ ଆମଦାନୀ କରାଯାଉଥିଲା । ତାଙ୍କ ସରକାର ଆସିଲେ ଓଡ଼ିଶାରୁ ଉତ୍ପାଦିତ ଖାଦ୍ୟ ପଦାର୍ଥ ବାହାରକୁ ରପ୍ତାନୀ କରାଯିବା ସହ ସାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଆନୁସଂଗିକ ଶିଳ୍ପ ଆସିଲେ ଶିଳ୍ପ ଉପରେ ଗୁରୁତ୍ୱ ଦେବ । ବର୍ତମାନ ଓଡ଼ିଶାରେ ଚାଲିଥିବାଏକଛତ୍ରବାଦ ଶାସନକୁ ହଟାଇବାକୁ ପଡ଼ିବ । ଜନତା ସରକାର ଗଠନ କରାଯିବ । ଓଡ଼ିଶା ଏକ ଅନୁସୂଚିତ ଜନଜାତି ବହୁଳ ରାଜ୍ୟ ହୋଇଥିବାରୁ ସେମାନଙ୍କର ଧନ ଜୀବନର ସୁରକ୍ଷା, ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ଦଳ ନିଶ୍ଚିତ ଭାବରେ ଚେଷ୍ଟିତ ହେବ ବୋଲି ଶ୍ରୀ ଗାନ୍ଧୀ କହିଥିଲେ ।

ବିଜେପି ଓ ଆରଏସଏସକୁ ସମାଲୋଚନା କରି କହିଲେ ଯେ, ଏମାନେ କ୍ଷମତାକୁ ଆସିବା ପରେ ଦେଶରେ ଘୃଣା ଭାବ ସୃଷ୍ଟି କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ, ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ଗାନ୍ଧୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି । ଯେତେବେଳେ ସେ ଦିଲ୍ଲୀରେ ସୁଇଚ୍ ଟିପନ୍ତି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଉଠନ୍ତି ଓ ବସନ୍ତି । ଚିଟ୍ ଫଣ୍ଡ ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ମୋଦିଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି । କାରଣ ଏଥିରେ ବହୁ ମନ୍ତ୍ରୀ ଓ ବିଧାୟକ ମାନେ ସମ୍ପୃକ୍ତ ରହିଛନ୍ତି । ଓଡ଼ିଶାରେ ପୂରି ରହିଥିବା ଦୁର୍ନୀତି, ଭ୍ରଷ୍ଟାଚାରର ବିଲୋପ କରି କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ । ସେଥିପାଇଁ ଦଳୀୟ କର୍ମୀ ଓ ନେତାମାନେ ଏକାଠି ହୋଇ ଯେଉଁ ସଂକଳ୍ପ ନେଇଛନ୍ତି ତାର ପ୍ରଶଂସା ଶ୍ରୀ ଗାନ୍ଧୀ କରିଥିଲେ ।

ଏହି ସଭାରେ ବିରୋଧି ଦଳର ନେତା ନରସିଂହ ମିଶ୍ର , ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଭାଷଣ ଦେଇଥିଲା ବେଳେ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା